ବ‌କେୟା ଦରମା ପାଇଁ ରୋଗୀଣା ପୁଅକୁ ଧରି ଧାରଣାରେ ବସିଲେ

ଉଦଳା-୧: ଉଦଳା କଲେଜରେ କାର୍ଯ୍ୟରତ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ୧୯ ମାସର ବକେୟା ଦରମା ପ୍ରଦାନକୁ ନେଇ ଗୁରୁବାର ଦିନ କଲେଜ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ ଦେବାଶିଷ ବାରିକ ୨୦୧୪ ମସିହାରୁ ଯୁକ୍ତ ୩ ବିଭାଗରେ ଡାଟାଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଗତବର୍ଷ ଏପ୍ରିଲ ମାସଠାରୁ କଲେଜ ତାଙ୍କ ଦରମା ଦେଉନଥିଲା। ଏମିତିକି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ବେ ବି କଲେଜ କର୍ତ୍ତୃପକ୍ଷ ତାଙ୍କ ଦରମା ଦେଉନଥିବା ଶ୍ରୀ ବାରିକ ଅଭିଯୋଗ କରିଥଇଲେ। ବିନା ଦରମାରେ ବୁଢା ବାପା ମା, ପତ୍ନୀ ଓ ବର୍ଷକର ପୁଅକୁ ନେଇ ବହୁ କଷ୍ଟରେ ଚଳୁଥିଲେ। ଏହାରି ଭିତରେ ତାଙ୍କ କୁନି ପୁଅଟି ଟିବି ରୋଗରେ ଆକ୍ରାନ୍ତ ହୋଇଥିଲା। ଔଷଧ କିଣିବାକୁ ବି ପାଖରେ ପଇସା ନଥିବାରୁ ଶ୍ରୀ ବାରିକ ଧର୍ଯ୍ୟହରା ହୋଇ ଗୁରୁବାର ସକାଳୁ ନିଜ ପରିବାର ସହ କଲେଜ ପରିସରରେ ଅନଶନରେ ବସିଥିଲେ।

ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହରାଙ୍କୁ ଏ ବାବଦରେ ପଚାରିଥିଲେ। ତେବେ ଶ୍ରୀ ବାରିକ ସାମସ୍ ଦ୍ୱାରା ନିଯୁକ୍ତି ପାଇଥିବା ବେଳେ ଏ ଯାଏ ତାଙ୍କ ଦରମା ଆସିନଥିବାର ଶ୍ରୀ ବେହରା କହିଥିଲେ। ଏଥିସହ ସାମସ୍ ନିର୍ଦ୍ଦେଶକଙ୍କୁ ବାରମ୍ୱାର ଚିଠି ଲେଖୁଥିଲେ ବି ଦରମା ପ୍ରଦାନ କରାଯାଉନଥିବା ସେ କହିଥିଲେ। ତେବେ କଲେଜର କର୍ମଚାରୀମାନେ ଶ୍ରୀ ବାରିକଙ୍କ ସମର୍ଥନରେ ବାହାରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେବାରୁ ଶ୍ରୀ ବାରିକଙ୍କୁ ବକେୟା ଦରମା ବବଦକୁ ୧,୦୮,୬୧୩ ଟଙ୍କା ପ୍ରଦାନ କରିଛନ୍ତି ଅଧ୍ୟକ୍ଷ।

ସମ୍ବନ୍ଧିତ ଖବର