ଜୟପୁର: ଏକ ତରଫା ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମୁକ୍ତ କାଣ୍ଡ କରିଛି। କ୍ଲାସ ସାରି ଫେରୁଥିବା ବେଳେ ଯୁବକ ଜଣକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛି। ଯୁବକଙ୍କ ଦ୍ବାରା ପ୍ରାଣାନ୍ତକ ଆକ୍ରମଣର ଶିକାର ହେଲା ପରେ ସଂପୃକ୍ତ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ଟାଉନ୍‌ ଥାନା ଅଞ୍ଚଳରେ ବୁଧବାର ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଅଞ୍ଚଳର ଛାତ୍ରୀ ଜୟପୁର ସହରର ପାରାବେଡ଼ା ଖାଲସାହିରେ ଏକ ଭଡ଼ା ଘରେ ରହୁଥିଲେ। ସେ ସ୍ଥାନୀୟ ବିକ୍ରମ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ପାଠ ପଢୁଥିଲେ। ସେ ଆଜି ପୂର୍ବାହ୍‌ଣ ସାଢ଼େ ୧୦ଟାରେ କ୍ଲାସ ସାରି ଭଡ଼ାଘରକୁ ଚାଲିଚାଲି ଆସୁଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲା। ଛାତ୍ରୀ ଜଣକ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ମାରିଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରୀଙ୍କୁ ଅଭିଯୁକ୍ତ ଯୁବକ ଏକତରଫା ପ୍ରେମ କରୁଥିଲା। କିନ୍ତୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବକ ଜଣକ ଛାତ୍ରୀଙ୍କ ଦୁଇ ହାତକୁ ଏକ ବ୍ଲେଡରେ ଆକ୍ରମଣ କରିଥିଲା। ଯୁବକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ଛଟପଟ ହେଉଥିବା ଦେଖି କିଛି ସହପାଠୀ ଓ ‌ସାହିର ମହିଳାମାନେ ଛାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ପୁଲିସ ଅଭିଯୁକ୍ତକୁ ଖୋଜୁଛି। ରିପୋର୍ଟ ଲେଖାଯିିବା ବେଳକୁ ଅଭିଯୁକ୍ତର ପରିଚୟ ମିଳିପାରି ନାହିଁ।