କଟକ : କଟକର ଏକ ବିଶ୍ବବିଦ୍ୟାଳୟକୁ ଚାଲାଣ ହେଉଛି ବ୍ରାଉନସୁଗାର। ଏହି କାରବାର ପଛର କାର୍ପଟଦାର ତଥା ଡେଲିଭରି ବଏକୁ ଜିଲ୍ଲା ଅବକାରୀ ବିଭାଗ ଗିରଫ କରିବାପରେ ଏହିଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣକ ବାରଙ୍ଗ ବେଣ୍ଟକାରର ଅନନ୍ତ ଦାସ(୨୮)। ଅବକାରୀ ବିଭାଗ ତା’ ନିକଟରୁ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ସୂଚନା ଅନୁଯାୟୀ, କଟକରେ ଥିବା ଏକ ବିଶ୍ବବିଦ୍ୟାୟକୁ ଅନନ୍ତ ପ୍ରଥମେ ମଦ ଡେଲିଭରି କରୁଥିଲା। ଗଲା ଦୁଇ ମାସ ହେବ ସେ ବ୍ରାଉନସୁଗାର ଡେଲିଭରି ଆରମ୍ଭ କରିଦେଇଥିଲା। ଦିନ ୧୨ଟା ଏବଂ ସନ୍ଧ୍ୟା ୬ଟା ବେଳେ ଦିନକୁ ଦୁଇଥର ବ୍ରାଉନସୁଗାର ଅନନ୍ତ ଡେଲିଭରି କରି ଆସୁଥିଲା। ପ୍ରତି ପୁଡ଼ିଆକୁ ଅନନ୍ତ ୫୦୦ରୁ ୬୦୦ ଟଙ୍କାରେ ବିକ୍ରି କରୁଥିଲା। ଅନନ୍ତ ବାଇକରେ ବ୍ରାଉନସୁଗାର ନେଇ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଥିଲା। ଦିନକୁ ଅନନ୍ତ ହାରାହାରି ୨୦ଟି ପାଉଚ୍ ବିକ୍ରି କରୁଥିଲା। କଟକର ଆଉ ଜଣେ ମାଷ୍ଟରମାଇଣ୍ଡ ଅନନ୍ତକୁ ବ୍ରାଉନସୁଗାର ଯୋଗାଇଥିବାର ତଦନ୍ତରୁ ଜଣାପଡ଼ିଛି। ଏହି ମାଷ୍ଟରମାଇଣ୍ଡ ବ୍ରାଉନସୁଗାର ବାଲେଶ୍ବରରୁ ଆମଦାନୀ କରି କଟକରେ ଅନନ୍ତକୁ ଯୋଗାଉଥିଲା। ସମ୍ପୃକ୍ତ ମାଷ୍ଟରମାଇଣ୍ଡ କଟକରେ ଅନନ୍ତ ସମେତ ୪/୫ ଜଣଙ୍କୁ ବ୍ରାଉନସୁଗାର ଯୋଗାଇଥିବାରୁ ଅବକାରୀ ବିଭାଗ ଏବେ ସେମାନଙ୍କୁ ଧରିବାକୁ ଯୋଜନା ଚଳାଇଛି। ଅନ୍ୟପଟେ ବିଶ୍ବବିଦ୍ୟାଳୟର ଯେଉଁ ଯୁବ ଗ୍ରାହକଙ୍କୁ ଅନନ୍ତ ବ୍ରାଉନସୁଗାର ଯୋଗାଣ କରୁଥିଲା, ସେମାନଙ୍କ ତାଲିକା ଅବକାରୀ ବିଭାଗ ହାତରେ ଲାଗିଛି। ଗୋଡ଼ିସାହିରେ ଅବକାରୀ ବିଭାଗ ଚଢ଼ଉ କରି ଅନନ୍ତକୁ ଗିରଫ କରିଥିବା ବେଳେ ଏହି ଚଢ଼ଉରେ ଜିଲ୍ଲା ଅବକାରୀ ଏସ୍ପି ଦେବାଶିଷ ପଟେଲଙ୍କ ନେତୃତ୍ବରେ ଅଜିତ ପାତ୍ର, ସଞ୍ଜିତ ବରାଳ, କଳ୍ପନା ରାଉତ, ବିଷ୍ଣୁ ପ୍ରସାଦ ମାଝି, ଦୀପକ କୁମାର ସାହୁ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।