କଲେଜ ଛାତ୍ରଙ୍କୁ ବୀଭତ୍ସ ହତ୍ୟା

ପ୍ରେମିକାର ଫୋନ୍‌ ପାଇ ରାତିରେ ଘରୁ ଯାଇଥିଲେ, ସକାଳେ ମିଳିଲା କ୍ଷତବିକ୍ଷତ ମୃତଦେହ

କୁଆମରା/ଜୟପୁର: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଜୟପୁର ପଞ୍ଚାୟତରେ ଜଣେ କଲେଜ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଜୟପୁର ଗ୍ରାମର ଲକ୍ଷ୍ମୀଧର ବାରିକଙ୍କ ପୁଅ ଶୁଭାଶିଷ (୨୧)। ପ୍ରେମିକାର ଘର ଲୋକେ ତାଙ୍କ ପୁଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭି‌ଯୋଗ କରିଛନ୍ତି ଲକ୍ଷ୍ମୀଧର।

କୁଆମରା ସାରସ୍ୱତ ଡିଗ୍ରି କଲେଜରେ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଥିଲେ ଶୁଭାଶିଷ। ସେହି କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨ ବର୍ଷ ହେଲା ସେମାନେ ପରସ୍ପରକୁ ଭଲ ପାଉଥିଲେ ଓ ପ୍ରାୟ ସମୟରେ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ତେବେ ଉଭୟ ପରିବାର ଏହା ଜାଣିବା ସେମାନଙ୍କର ସଂପର୍କକୁ ବିରୋଧ କରିଥିଲେ। ଏମିତିକି ଶୁଭାଶିଷ ପୂର୍ବରୁ ପ୍ରେମିକାଙ୍କ ଘରକୁ ଯିବାଆସିବା କରିବା ସମୟରେ ସେଠାରେ ଏକାଧିକ ଥର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ତାଙ୍କ ପୁଅକୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା ବୋଲି କହିଛନ୍ତି ଶୁଭାଶିଷଙ୍କ ବାପା। ଗତ ଶନିବାର ରାତି ପ୍ରାୟ ୧୦ଟା ସମୟରେ ପ୍ରେମିକାଙ୍କ ପାଖରୁ ଶୁଭାଶିଷଙ୍କୁ ଏକ ଫୋନ୍‌ ଆସିଥିଲା। ଏହାର କିଛି ସମୟ ପରେ ସେ ଘରୁ ସାଇକେଲ ଧରି ୧ କିମି ଦୂର ଶ୍ରୀନାଥପୁର ଗ୍ରାମର ଜଣେ ସାଙ୍ଗ ଘରକୁ ଆସିଥିଲେ। ସେଠାରେ ସାଇକେଲ ରଖି ପ୍ରେମିକାଙ୍କ ଘରକୁ ଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ରାତିରେ ପୁଅ ଘରକୁ ନ’ଫେରିବାରୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ଲକ୍ଷ୍ମୀଧର। ହେଲେ କିଛି ଖୋଜଖବର ପାଇନଥିଲେ। ରବିବାର ସକାଳେ ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘରବାଡ଼ିରେ ଶୁଭାଶିଷଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଦେହର ଅନେକ ସ୍ଥାନରେ କ୍ଷତଚିହ୍ନ ଥିବା ବେଳେ ଯୌନାଙ୍ଗ ଓ ମଳଦ୍ବାରରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଥିଲା।

ପାରିପାର୍ଶ୍ବିକ ସ୍ଥିତିରୁ ଶୁଭାଶିଷଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। କପ୍ତିପଦା ଉପଖଣ୍ଡ ପୁଲିସ ଅଧିକାରୀ ସାର୍ଥକ ରାୟ, ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲଙ୍କ ସହ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। କେସ୍‌ ନଂ ୧୩୫/୨୨ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଖୁବ୍‌ଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ଓ ମୃତକଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଏସ୍‌ପି ଋଷିକେଷ ଦ୍ୟାନଦେଓ ଖିଲାରୀ କହିଛନ୍ତି।

ସମ୍ବନ୍ଧିତ ଖବର