ମହାନଦୀକୁ ସାଙ୍ଗମାନଙ୍କ ସହ ପିକ୍‌ନିକ କରିବାକୁ ଯାଇଥିଲେ କଲେଜ ଛାତ୍ର, ଗାଧୋଇବା ବେଳେ ବୁଡ଼ିଗଲେ

ବିନିକା: ନୂଆବର୍ଷ ଅବସରରେ ସାଙ୍ଗମାନଙ୍କ ସହିତ ମହାନଦୀକୁ ପିକନିକ କରିବାକୁ ଯାଇଥିବା ଜଣେ କଲେଜ ଛାତ୍ର ଗାଧୋଇବା ସମୟରେ ବୁଡ଼ିଯାଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲ ନିଆଯାଇଥିଲା। କିନ୍ତୁ କଲେଜ ଛାତ୍ରଙ୍କୁ ଡାକ୍ତର ମୃତ‌ ଘୋଷଣା କରିଛନ୍ତି। ମୃତକ ହେଲେ ‌ଅନ୍ବେଷ ପଧାନ (୨୨)।

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସେଲେଡି ଗ୍ରାମର କିଛି ପିଲା ଆଜି ନୂଆବର୍ଷ ଅବସରରେ ମହାନଦୀକୁ ଭୋଜି କରିବାକୁ ଯାଇଥିଲେ। ଏହି ପିଲା ଗୋଷ୍ଠୀରେ ସେଲେଡି ଗ୍ରାମର ସଚ୍ଚିନନ୍ଦ ପଧାନଙ୍କ କଲେଜ ପଢ଼ୁଆ ପୁଅ ଅନ୍ବେଷ ମଧ୍ୟ ଥିଲେ। ଭୋଜି ଚାଲିଥିବା ବେଳେ ଅନ୍ବେଷ ଅନ୍ୟ ସାଙ୍ଗମାନଙ୍କ ସହିତ ମହାନଦୀରେ ଗାଧୋଇବାକୁ ପାଣିରେ ପଶିଥିଲେ। କିନ୍ତୁ ସେ ପହଁରି ଜାଣି ନ ଥିବାରୁ ପାଣିରେ ବୁଡିଯାଇଥିଲେ। ଏହା ଦେଖି ସାଙ୍ଗମାନେ ଅନ୍ଵେଷକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ପରେ ଦମକଳ ବାହିନୀ ବିନିକାକୁ ଫୋନ କରି ଜଣାଇଥିଲେ। ଦମକଳ ବାହିନୀ ଅନ୍ବେଷଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ଅନ୍ଵଷକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ତ‌େବେ ନୂଆବର୍ଷରେ ଏଭଳି ଅଭାବନୀୟ ଘଟଣାକୁ ସ୍ଥାନୀୟ ଅଂଚଳରେ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ଏକ ମାତ୍ର ପୁଅ ଅନ୍ବେଷକୁ ହରାଇ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଅନ୍ବେଷ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଷୟରେ ପାଠ ପଢୁଥିଲେ। କରୋନା ଯୋଗୁଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ସେ ଗାଁରେ ପରିବାର ଲୋକଙ୍କ ସହିତ ରହୁଥିଲେ।

ସମ୍ବନ୍ଧିତ ଖବର