କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ସବୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ସମ୍ବଲପୁର : ସୋମବାର ଦିନ ବହୁଚର୍ଚ୍ଚିତ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ଆସିଷ୍ଟାଣ୍ଟ ସେସନ୍ସ  ଜର୍ଜ(ଏସ୍‌ଟିସି) ଜନକ ରାଉତ। ଏହି ମାମଲା‌ର ମୁଖ୍ୟ ଅଭିଯୁକ୍ତ ରାହୁଲ ଓର୍‌ଫ ଶତ୍ରୁଘନ ଲୁହା, ରୋହିତ ପ୍ରଧାନ, ତାଙ୍କ ପତ୍ନୀ ସୁନୀତା ପ୍ରଧାନ ନାଥକୁ ନିର୍ଦୋଷରେ ଖଲାସ କରିଛନ୍ତି ଆସିଷ୍ଟାଣ୍ଟ ସେସନ୍ସ  ଜର୍ଜ(ଏସ୍‌ଟିସି) ।

ସୋନପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳର ଜଣେ ନାବା​ଳିକା କଲେଜ ଛାତ୍ରୀଙ୍କ ସହିତ କତରାପାଲି ଗାଁର ରାହୁଲଙ୍କ  ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରାହୁଲ ପୀଡ଼ିତାଙ୍କ ଗାଁକୁ କ୍ରିକେଟ୍‌ ଖେଳିବାକୁ ଆସିଥିବା ବେଳେ ସେମାନଙ୍କ ପରିଚୟ ହୋଇଥିଲା। ରାହୁଲ କଲେଜ ଛାତ୍ରୀଙ୍କୁ ସେ ଜଣେ ସଫ୍ଟୱେୟାର ଇଂଜିନିୟର ବୋଲି ମିଥ୍ୟା  ପରିଚୟ ଦେଇଥିଲେ। ୨୦୧୨ ମସିହା ମେ’ ୧୭ ତାରିଖ ଦିନ କଲେଜ ଛାତ୍ରୀ ଜଣକ ସମ୍ବଲପୁରସ୍ଥିତ ତାଙ୍କ ମାମୁ ଘରକୁ ଆସିଥିଲେ। ଶୀତଳଷଷ୍ଠୀ ଯାତ୍ରା ସମୟରେ ଗତ ୨୪ ମେ ୨୦୧୨ ଦିନ କଲେଜ ଛାତ୍ରୀ ଜଣକ ତାଙ୍କ ତଥାକଥିତ ପ୍ରେମିକ ରାହୁଲଙ୍କୁ ସାକ୍ଷାତ ପାଇଁ  ସମ୍ବଲପୁର ନେଲସନ୍‌ ମାଣ୍ଡେଲା ଛକକୁ ଡକାଇଥିଲେ। ଛାତ୍ରୀ ଜଣକ ବି ଶୀତଳଷଷ୍ଠୀ ଯାତ୍ରା ଦେଖିବା ବାହାନାରେ ସେଠାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ କଥାବାର୍ତ୍ତା ହେବା ପରେ ରାହୁଲ ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ବାଇକ୍‌ରେ ବୁର୍ଲା ଗୁହିରାଟିକ୍ରା ସ୍ଥିତ ତାଙ୍କ ବନ୍ଧୁ ରୋହିତଙ୍କ ଘରକୁ ନେଇଥିଲେ। ସେଠାକୁ ଯିବା ପରେ ରାହୁଲ ସମ୍ପର୍କରେ ସବୁ ସତ ଜାଣିବା ପରେ ସେ ପ୍ରତିବାଦ କରି ସେଠାରୁ ଚାଲି ଆସିବାକୁ ଚେଷ୍ଟା କରିଥିଲେହେଁ ଏଥିରେ ବିଫଳ ହୋଇଥିଲେ। ତେବେ, ଛାତ୍ରୀଙ୍କୁ ମେ’ ୨୮ ତାରିଖ ଦିନ ରାହୁଲ ଓ ତାଙ୍କ ସହଯୋଗୀମାନେ  ଗାଁ ପାଖରେ  ଛାଡ଼ି ଦେଇଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ମେ’ ୨୯ ତାରିଖ ଦିନ ପୀଡ଼ିତାଙ୍କ ମା’ ସମ୍ବଲପୁର ଆସି ଥାନାରେ ତାଙ୍କ ଝିଅଙ୍କୁ ରୋହିତଙ୍କ ଘରେ ଏବଂ ସିନ୍ଦୁରପଙ୍କ ନିକଟ ଏକ ଢ଼ାବା ପାଖରେ କାର୍‌ ଭିତରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଥିଲେ। ଏହି ମାମଲା ସେତେବେଳେ ସମ୍ବଲପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ପୁଲିସ ପ୍ରଥମେ ରୋହିତ ପ୍ରଧାନ, ସୁନୀତା ନାଥ ପ୍ରଧାନ, ହରି ମେହେର ଓ କୁଲଦୀପ ସିଦାରଙ୍କୁ ଏହି ମାମଲାରେ ଗିରଫ କରିଥିଲା। ୨୦୧୨ ଜୁନ ୨୨ରେ ମୁଖ୍ୟ ଅଭିଯୁକ୍ତ ରାହୁଲକୁ ବେଙ୍ଗାଲୁରୁରୁ ପୁଲିସ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ କିନ୍ତୁ ତାଙ୍କ ସହିତ ଗଣଦୁଷ୍କର୍ମ ହୋଇ ନଥିବା କହିଥିଲେ। କେବଳ ରାହୁଲ ତାଙ୍କ ସହିତ ଦୁଷ୍କର୍ମ କରିଥିବା ବେଳେ ରୋହିତ ଓ ସୁନୀତା ସହଯୋଗ କରିଥିବା କୋର୍ଟରେ ବୟାନ ଦେଇଥିଲେ। ଫଳରେ ପୁଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ ବେଳେ ହରି ମେହେର ଓ କୁଲଦୀପ ସିଦାରଙ୍କୁ ଏହି ମାମଲାରୁ ବାଦ ଦେଇଥିଲା। ମାମଲାରେ ସମ୍ପୃକ୍ତ ନଥିବା ପୁଲିସ ଚାର୍ଜସିଟ୍‌ରେ ସ୍ପଷ୍ଟ ହେବା ପରେ ହରି ଓ କୁଲଦୀପଙ୍କୁ କୋର୍ଟ ଜାମିନରେ ଛାଡ଼ିଥିଲେ।

ଅପରପକ୍ଷେ ଏହି ମାମଲାର ବିଚାର ବେଳେ ୨୬ ଜଣଙ୍କ ସାକ୍ଷୀ ନିଆଯାଇଥିଲା। ପ୍ରମାଣ ଅଭାବରୁ କୋର୍ଟ ୩ ଅଭିଯୁକ୍ତ ରାହୁଲ, ରୋହିତ ଓ ସୁନୀତା ନାଥ ପ୍ରଧାନଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଉକ୍ତ ମାମଲାରେ ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ମହାନ୍ତି, ଅଭିଷେକ ମହାନ୍ତି ଓ ଚିତ୍ତରଞ୍ଜନ ସାନବଡ଼ ମାମଲା ପରିଚାଳନା କରୁଥିଲେ। ସେହିପରି ରୋହିତ ଓ ସୁନୀତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଦୀପ ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର