ବୈଶିଙ୍ଗା : ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଜଙ୍ଗଲ ଭିତରେ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ। ୪ ଘଣ୍ଟା ଭିତରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୀଡ଼ିତା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି। ଦଶହରା ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବ ଜଙ୍ଗଲରେ ସଂଘଟିତ ଏହି ଜଘନ୍ୟ କାଣ୍ଡ ଜନସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାର ଜଣେ ଯୁକ୍ତ ୩ ବିଜ୍ଞାନ ଛାତ୍ରୀ ଗତକାଲି ସନ୍ଧ୍ୟାରେ ଇଞ୍ଜିନିୟରିଂ ପଢ଼ୁଥିବା ନିଜ ପୁରୁଷ ବନ୍ଧୁଙ୍କ ସହ ବାଇକ୍ରେ ବାଲେଶ୍ବରରୁ ବାରିପଦା ଯାଉଥିଲେ। କୌଣସି କାରଣରୁ ସେମାନେ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟ ଜଙ୍ଗଲ ପାର୍ଶ୍ୱରେ ଅଟକିଥିଲେ। ଏହି ସମୟରେ ରେମୁଣା ଅଞ୍ଚଳର ୨ ଜଣ ଯୁବକ ବାଇକ୍ ଯୋଗେ ସେଠାକୁ ମଦ ପିଇବାକୁ ଆସିଥିଲେ। ସେମାନେ ନିଛାଟିଆ ସ୍ଥାନରେ ଯୁବତୀଙ୍କୁ ଦେଖି ଟିକେ ଦୂରରେ ଅଟକି ଯାଇଥିଲେ ଏବଂ ନିଜ ଗ୍ରାମର ଆଉ ଜଣେ ଯୁବକଙ୍କୁ ଫୋନ୍ କରି ସେଠାକୁ ଡାକିଥିଲେ। ତୃତୀୟ ଅଭିଯୁକ୍ତ ପହଞ୍ଚିବା ପରେ ସେମାନେ ଉକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଘେରି ଯାଇଥିଲେ। ପୁରୁଷ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ପକେଟ୍ରୁ ମୋବାଇଲ ଛଡ଼ାଇ ନେଇଥିଲେ। ଜଣେ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଜଗି ରହିଥିବା ବେଳେ ଅନ୍ୟ ଦୁଇଜଣ ଉକ୍ତ ଯୁବତୀକୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ ଓ ସେଠାରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ।
ସୌଭାଗ୍ୟକ୍ରମେ ଦଶହରା ପାଇଁ ବୈଶିଙ୍ଗା ଥାନାର ପାଟ୍ରୋଲିଂ ଟିମ୍ ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତା କଡ଼ରେ ଦୁଇଟି ବାଇକ୍ ଦେଖି ସନ୍ଦେହରେ ଅଟକି ଯାଇଥିଲା। ଏସ୍ଆଇ ଅନିତା ସ୍ୱାଇଁ ଗାଡ଼ିରୁ ଓହ୍ଲାଇ କିଛି ଦୂରରେ ଏକ ଗଛରେ ବନ୍ଧା ହୋଇଥିବା ଯୁବକଙ୍କ ପାଖକୁ ଯିବା ସମୟରେ ସେଠାରେ ଜଗିଥିବା ଅଭିଯୁକ୍ତ ଜଣକ ପୁଲିସକୁ ଦେଖି ଚମ୍ପଟ୍ ମାରିଥିଲା। ପୁଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ଜାଣିବା ପରେ ଜଙ୍ଗଲ ଭିତରକୁ ପଶିଥିଲା। ସେପଟେ ପୁଲିସକୁ ଦେଖି ଅଭିଯୁକ୍ତଦ୍ବୟ ପୀଡ଼ିତାଙ୍କୁ ଛାଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ଘଟଣାସ୍ଥଳରୁ ପୀଡ଼ିତା ଯୁବତୀ ଓ ତାଙ୍କ ବନ୍ଧୁଙ୍କୁ ଉଦ୍ଧାର କରି ପୁଲିସ ଥାନାକୁ ଆଣିବା ସହ ଅଭିଯୁକ୍ତଙ୍କ ବାଇକ୍ ଜବତ କରିଥିଲା। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ନିଜେ ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ତଦନ୍ତ ଆରମ୍ଭ କରିଥିଲେ। ପୀଡ଼ିତାଙ୍କ ବନ୍ଧୁଙ୍କ ମୋବାଇଲ୍ ଟ୍ରାକ କରିବା ସହ ଜବତ ବାଇକ୍ର ନମ୍ବର ପ୍ଲେଟ୍କୁ ଅନୁଧ୍ୟାନ କରି ପୁଲିସର ଏକ ସ୍ବତନ୍ତ୍ର ଟିମ୍ ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। ହେଲେ କାହାରି ପତ୍ତା ମିଳିନଥିଲା। ରାତି ପ୍ରାୟ ୧୦.୩୦ ସମୟରେ ଥାନା ଅଧିକାରୀ ଶ୍ରୀ ମିଶ୍ର ଘଟଣାସ୍ଥଳକୁ ଛାନ୍ଭିନ ପାଇଁ ଯାଇଥିବା ବେଳେ ସେଠାରୁ ଅଭିଯୁକ୍ତଙ୍କ ଦୁଇହଳ ଜୋତା ଓ ଏକ ମନିପର୍ସ ପାଇଥିଲେ। ଅନ୍ୟପକ୍ଷରେ ପୁଲିସ ଟିମ୍ ସେଠାରେ ଥିବା ସମ୍ପର୍କରେ ଅବଗତ ନଥିଲେ ଅଭିଯୁକ୍ତ। ଦୁଇ ଅଭିଯୁକ୍ତ ଟର୍ଚ୍ଚ ମାରି ମନିପର୍ସ ଖୋଜିବାକୁ ଆସୁଥିବାବେଳେ ସେମାନଙ୍କୁ ମାଡ଼ି ବସିଥିଲେ ପୁଲିସ କର୍ମଚାରୀ। ଧରାପଡ଼ିଥିବା ଅଭିଯୁକ୍ତଙ୍କ ଫୋନ୍ରୁ ତୃତୀୟ ଅଭିଯୁକ୍ତକୁ ଫୋନ୍ କରି ଉକ୍ତ ଜଙ୍ଗଲ ପାଖକୁ କୌଶଳକ୍ରମେ ଡକାଯାଇଥିଲା। ତୃତୀୟ ଅଭିଯୁକ୍ତ ପହଞ୍ଚିବା ପରେ ଅନ୍ଧାରରେ ଜଗି ବସିଥିବା ପୁଲିସ ତାକୁ ବି ମାଡ଼ି ବସିଥିଲେ।
ଶନିବାର ଦିନ ପୀଡ଼ିତା ଓ ଅନ୍ୟମାନଙ୍କର ଡାକ୍ତରୀ ପରୀକ୍ଷା କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ପୀଡ଼ିତା ଓ ତାଙ୍କ ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ଓ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ଟିଆଇ ପ୍ୟାରେଡ୍ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି।