ରେଢ଼ାଖୋଲ: ମୋବାଇଲ ନମ୍ବର ବ୍ଲକ୍‌ କରି ଦେବାରୁ ଜଣେ ଯୁବକ ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଟଣାଓଟରା କରି ଜେଲ ଯିବା ଘଟଣା ଚାରମାଳ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୁକ୍ତ ଚାରମାଳ ଥାନା ଚକାମୁଣ୍ଡା ଗାଁର ସୁମନ ମିର୍ଦ୍ଧା (୨୦)।

Advertisment

ଗତ ୨ ବର୍ଷ ହେଲା ସୁମନ କୁଆଡ଼େ ଜଣେ କଲେଜ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ଉଭୟ ଫୋନରେ ମଧ୍ୟ ଗପସପ କରୁଥିଲେ। ହେଲେ ସୁମନ ବିଭିନ୍ନ ସମୟରେ ବାରମ୍ବାର କଲ୍‌ କରିବାରୁ ଛାତ୍ରୀ ଜଣକ ଅତିଷ୍ଟ ହୋଇପଡ଼ିଥିଲେ। ଶେଷରେ ବାଧ୍ୟ ହୋଇ ସୁମନଙ୍କ ଫୋନ୍ ନମ୍ବରକୁ ବ୍ଲକ୍‌ କରି ଦେଇଥିଲେ। ଅନ୍ୟ ପଟେ ବାରମ୍ବାର ‌କଲ୍‌ କରି ନିରାଶ ହୋଇ ସୁମନ ଶନିବାର ଛାତ୍ରୀ ଜଣକ କଲେଜରୁ ଫେରୁଥିବା ବେଳେ ବାଟ ଓଗାଳିଥିଲେ। ନମ୍ବର ବ୍ଲକ୍‌ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସୁମନ ଛାତ୍ରଙ୍କ ଭାନିଟିରୁ ଜବରଦସ୍ତ ଫୋନ୍ ଛଡ଼ାଇ ଦେବାକୁ ଉଦ୍ୟମ କରିଥିଲେ।

ଉଭୟଙ୍କ ଟଣାଓଟରା ଭିତରେ ଯୁବତୀ ଜଣକ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡ଼ିଯାଇ ଥିଲେ। ଯୁବତୀଙ୍କ ଅସହାୟତା ଦେଖି ପାଖରେ ଥିବା ଲୋକମାନେ ସେଠାରେ ପହଞ୍ଚି ଯୁବକଙ୍କ କବଳରୁ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପରିବାର ଲୋକ ବି ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ଛାତ୍ରୀ ଜଣକ ପରିବାର ଲୋକଙ୍କ ସହ ଚାରମାଳ ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ରବିବାର ପୁଲିସ ସୁମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।