କୋରାପୁଟ : ଗୋଟିଏ କଲେଜରେ ପଢ଼ୁଥିଲେ। ତେଣୁ ପରସ୍ପରକୁ ଭଲ ରୂପେ ଚିହ୍ନିଥିଲେ। ଆଉ ଛାତ୍ରଜଣକ ନାବାଳିକାକୁ ଏକତରଫା ଭଲ ପାଇ ବସିଥିଲା ଏବଂ ବିବାହ କରିବାକୁ ଅଡ଼ି ବସିଥିଲା। କିନ୍ତୁ ଏହା ଜାଣିବା ପରେ ବିବାହ କରିବାକୁ ଛାତ୍ରୀ ଜଣଙ୍କ ମନା କରି ଦେବା ପରେ କ୍ରୋଧରେ ଅନ୍ଧ ହୋଇଯାଇଥିଲା ପ୍ରେମିକ ପ୍ରବର ଛାତ୍ର। ରାଗରେ ହିତାହିତ ଜ୍ଞାନ ହରାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା। ‌ଛାତ୍ରୀ ଜଣଙ୍କ ଏବେ ଦରମରା ଅବସ୍ଥାରେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପଟେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ୩ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ସହରରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ସଭ୍ୟ ସମାଜକୁ ଚକିତ କରିଦେଲା ଭଳି ଏହି ଘଟଣା ସମଗ୍ର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ଉଭୟ ଛାତ୍ର ଓ ଛାତ୍ରୀ ସେମିଳିଗୁଡାର ଏକ ଘରୋଇ କଲେଜରେ ପଢୁଥିଲେ। ତେବେ ଛାତ୍ର ଜଣଙ୍କ ଛାତ୍ରୀଙ୍କ ଉପର ଶ୍ରେଣୀରେ ପଢୁଥିଲେ। ଦୁହିଁଙ୍କ ଘର ନନ୍ଦପୁର ଅଂଚଳରେ। ଛାତ୍ରୀ ଜଣଙ୍କ ସେମିଳିଗୁଡା ସହରରେ ଥିବା ଏକ ମେସ୍‌ରେ ଅନ୍ୟ ୪ ଜଣ ଛାତ୍ରୀଙ୍କ ସହ ରହୁଥିଲେ। ଏପଟେ ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲା ଉପର ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ର। ବାରମ୍ବାର ଦେଖା କରି ପ୍ରେମ ନିବେଦନ କରୁଥିଲା। ଏପରିକି ବିବାହ କରିବା ପାଇଁ ବାଧ୍ୟ କରୁଥିଲା। ମାତ୍ର ଛାତ୍ରୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇ ନ ଥିଲେ। ଛାତ୍ରଙ୍କ ସହ କଥାବାର୍ତା କରୁଥିଲେ ମଧ୍ୟ ବିବାହ କରିବାକୁ ସଫା ସଫା ମନା କରି ଦେଇଥିଲେ। ଏହାପରେ ପ୍ରେମିକ ଛାତ୍ର ଜଣଙ୍କ ରାଗି ଯାଇ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲା। ଏପରିକି ଛାତ୍ରୀଙ୍କୁ ମଧ୍ୟ ସେ ଏଭଳି ଚେତାବନୀ ମଧ୍ୟ ଦେଇଥିଲା। ମୋର ନ’ ହେଲେ କାହାର ହେବାକୁ ଦେବି ନାହିଁ ବୋଲି ଖୋଲାଖୋଲି ଜଣାଇ ଦେଇଥିଲା। କିନ୍ତୁ ଛାତ୍ରୀ ଜଣଙ୍କ କଥାକୁ ଏତେଟା ଗୁରୁତ୍ବ ଦେଇ ନ ଥିଲେ। ଗତକାଲି ଛାତ୍ରଜଣଙ୍କ ମେସ୍‌ରେ ପହଞ୍ଚି ଛାତ୍ରୀଙ୍କୁ ଡାକିଥିଲେ। ଆଉ ଛାତ୍ରୀ ଜଣଙ୍କ କିଛି ବୁଝିବା ଆଗରୁ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଛାତ୍ରୀ ଜଣଙ୍କ ହୁତ୍‌ହୁତ୍‌ ହୋଇ ଜଳିବା ଦେଖି ସେଠାରୁ ଚମ୍ପଟ ମାରିଥିଲା ପ୍ରେମିକ। ଏପଟେ ଛାତ୍ରୀଙ୍କ ସହପାଠିନୀମାନେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତି କରିଥିଲେ। କିନ୍ତୁ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା।

ବିଫଳ ପ୍ରେମର ଏମିତି କରୁଣ ପରିଣତି କୋରାପୁଟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ବେଳେ ଛାତ୍ରୀଙ୍କ ପରିବାର ପକ୍ଷରୁ ସେମିଳିଗୁଡା ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଚିହ୍ନଟ ସରିଥିବା ପୁଲିସ କହିଛି। ସୁନାବେଡା ଏସ୍‌ଡିପିଓ ନିରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୩ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି। ଏଥିନେଇ ଏସଡିପିଓ କହିଛନ୍ତି, ଛାତ୍ରଙ୍କ ସହ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିଦେବାରୁ ସେ ଛାତ୍ରୀଙ୍କୁ ଏମିତି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଛାତ୍ର ଜଣଙ୍କ ସାବାଳକ କି ନାବାଳକ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।