ସାବାଳିକା ଭାବି ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ, କଲେଜ ଛାତ୍ର ଗିରଫ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଂଚଳରେ ଜଣେ କଲେଜ ପଢୁଆ ଛାତ୍ରଙ୍କ ଘରୁ ଦଶମ ଶ୍ରେଣୀ ଛାତ୍ରୀକୁ ଉଦ୍ଧାର କରାଯାଇଛି। ସାବାଳିକା ଭାବି ଦଶମ ଶ୍ରେଣୀର ଛାତ୍ରୀକୁ ଅପହରଣ କରିଥିବା କଲେଜ ପଢୁଆ ଛାତ୍ରକୁ ପୁଲିସ ଗିରଫ କରିଛି। ଏଥି ସହିତ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ଗତ ମେ’ ମାସ ୫ ତାରିଖରେ ରାଜ୍ୟରେ ଲକ୍‌ଡାଉନ ଯୋଗୁଁ ନିଜର ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ କଲେଜରେ ପଢୁଥିବା ଛାତ୍ର ଜଣକ ଗାଁକୁ ଫେରି ଆସିଥିଲା। ଏହି ସମୟରେ ଛାତ୍ର ଜଣକ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ସାବାଳିକା ଭାବି ଭଲ ପାଇ ବସିଥିଲା। ସୋମବାର ଦିନ ଝିଅର ଘରେ କେହି ନଥିବାର ସୁଯୋଗ ଦେଖି ଛାତ୍ର ଜଣକ ଘରକୁ ପଶିଥିଲା। ସେ କୌଶଳ କ୍ରମେ ନାବାଳିକାକୁ ନିଜ ଘରକୁ ନେଇଯାଇଥିଲା।

ପରିବାର ଲୋକେ ଘରକୁ ନିଜ ନିଜ କାମରୁ ଫେରିବା ପରେ ଝିଅକୁ ଦେଖିବାକୁ ପାଇ ନଥିଲେ। ସେମାନେ ପଡ଼ିଶା ଘର ଓ ଗାଁରେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର କୌଣସି ସନ୍ଧାନ ପାଇନଥିଲେ। ଶେଷରେ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅପହରଣକାରୀ ଛାତ୍ରଙ୍କ ଘରୁ ଛାତ୍ରୀଙ୍କୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର