ପାଟଣାଗଡ଼: ଗତ ମାସ ୩୦ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ଯରାସ୍ତାରେ ଥିବା ଗଙ୍ଗାସାଗର ନିକଟସ୍ଥ ଏକ ପଲାସ ଗଛରୁ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ରଞ୍ଜୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକାଙ୍କ ବାପା ଅଭିଯୋଗ କରିଥିଲେ। ଇତି ମଧ୍ୟରେ ଘଟଣାକୁ ୭ ଦିନ ବିତି ଯାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସର ହାତ ଖାଲି ହୋଇଥିବା ବେଳେ ଶନିବାର ହତ୍ୟାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଛାତ୍ରଛାତ୍ରୀମାନେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

Advertisment

ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟରେ ଯୁକ୍ତ ତିନି ଶେଷ ବର୍ଷରେ ପଢୁଥିବା ଛାତ୍ରୀ ରଞ୍ଜୁ ଦଣ୍ଡସେନାଙ୍କ ମୃତଦେହ ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ଥିବା ଗଙ୍ଗାସାଗର ଗ୍ରାମ ନିକଟସ୍ଥ ଏକ ପଲାସ ଗଛରେ ଝୁଲୁଥିବା ଅବସ୍ଥାରେ ଠାବ କରା ଯାଇଥିଲା। ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରା ଯାଇଥିଲା। ମୃତଦେହ ଚିହ୍ନଟ ପରେ ରଞ୍ଜୁର ପରିବାରକୁ ପୁଲିସ ଖବର ଦେଇଥିଲା। ଘଟଣାସ୍ଥଳରେ ରଞ୍ଜୁର ପରିବାରବର୍ଗ ପହଞ୍ଚିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ।

publive-image

ଅପରପକ୍ଷରେ ମୃତଦେହ ଉଦ୍ଧାରକୁ ବର୍ତ୍ତମାନ ୭ ଦିନ ବିତି ଯାଇଥିବା ବେଳେ ପୁଲିସ କେବଳ ଛାତ୍ରୀ ରହୁଥିବା ବେସରକାରୀ ହଷ୍ଟେଲ ମାଲିକ ଓ ସେଠାରେ ରହୁଥିବା ତାଙ୍କ କିଛି ସାଙ୍ଗଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି। ଅନ୍ୟ କିଛି ତଥ୍ୟ ପୁଲିସ ହାତରେ ଲାଗି ନ ଥିବା ବେଳେ ଶନିବାର ଏହି ହତ୍ୟା କାଣ୍ଡ ଘଟଣାର ଉଚିତ ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ପୁଲିସ ବିରୁଦ୍ଧରେ ନାରାବାଜି ଦେଇଥିଲେ। ପରେ ଏଥି ସମ୍ପର୍କିତ ଏକ ଦାବି ପତ୍ର ଉପଜିଲ୍ଲାପାଳ ଡ ବିଜୟାନନ୍ଦ ସେଠୀଙ୍କୁ ପ୍ରଦାନ କରା ଯାଇଥିବା ଜଣାପଡିଛି। ଯଦି ତୁରନ୍ତ ଅଭୁଯୁକ୍ତମାନଙ୍କୁ ଗିରଫ କରା ନ ଯାଏ ତେବେ ଆଗାମି ଦିନରେ ଏ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିରାଟ ଆନ୍ଦୋଳନ କରିବା ପାଇଁ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।