ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ଏସ୍ପି
ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ: ରେଜିଷ୍ଟ୍ରାର
ଘଟଣା ପଛରେ ପୂର୍ବଶତ୍ରୁତା, ଥାନାରେ ଅଟକ ଯୁବକଙ୍କୁ ପଚରାଉଚୁରା
ବଲାଙ୍ଗୀର : ଥରେ ନୁହେଁ, ବାରବାର ‘ସମ୍ବାଦ’ରେ ଖବର ହୋଇଛି। କେମିତି ବଲାଙ୍ଗୀର ସହରରେ ଦିନକୁ ଦିନ ବିଗିଡ଼ିଯାଉଛି ଆଇନଶୃଙ୍ଖଳା ବ୍ୟବସ୍ଥା। କଥା କଥାରେ ନିଜ ହାତକୁ ଆଇନ ନେଉଛନ୍ତି ସାଧାରଣ ଲୋକେ। ସହର ଭିତରେ କଙ୍ଗାରୁ କୋର୍ଟରେ ଦୁଇ ଯୁବକଙ୍କୁ ବାନ୍ଧି ମାଡ଼ ମାରିବା ଘଟଣା ମନରୁ ଲିଭିନଥିବା ବେଳେ ବୁଧବାର ଇଟାଭାଟିରେ ନାବାଳକଙ୍କୁ ସୈତାନ ଦାଦନ ସର୍ଦ୍ଦାରର ଅତ୍ୟାଚାରର ଭିଡିଓ ଭାଇରାଲ ହୋଇ ସାମ୍ନାକୁ ଆସିଥିଲା। ଗୁରୁବାର ଆଉ ଏକ କଙ୍ଗାରୁ କୋର୍ଟର ଭିଡିଓ ଭାଇରାଲ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। କଲେଜ ପିଲା ଓ କିଛି ଅଣଛାତ୍ର ଆଇନ ହାତକୁ ନେଇ ଜଣେ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଛନ୍ତି। ଭାଇରାଲ ଭିଡିଓରେ ଥିବା ଛାତ୍ରମାନେ ରାଜେନ୍ଦ୍ର ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ର ବୋଲି ୟୁନିଫର୍ମରୁ ସନ୍ଦେହ କରାଯାଉଛି। ଏସ୍ପିଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଚାଲୁରହିଛି।
/sambad/media/post_attachments/wp-content/uploads/2021/04/balangir-college-student-attack-2.jpg)
ଭାଇରାଲ ଭିଡିଓରେ ଜଙ୍ଗଲ ଭିତରେ ଉନ୍ମତ୍ତ ଯୁବକମାନଙ୍କ ଦାଦାଗିରି। ପରିଧାନରେ କଲେଜ ୟୁନିଫର୍ମ। ଅଧିକାଂଶ ପିଲାଙ୍କ ପଛପଟେ ବହିବ୍ୟାଗ୍। କିଛି ଅଣଛାତ୍ର ବି ସାମିଲ ହୋଇଛନ୍ତି। ଜଣେ ଯୁବକଙ୍କୁ ଘେରାବନ୍ଦୀ କରି ବାଡ଼ିରେ ପ୍ରହାର କରୁଛନ୍ତି। ୬ ମିନିଟର ୨ଟି ଭାଇରାଲ ଭିଡିଓକୁ ଦେଖିଲେ କିଛି କିଛି ଜାଗାରେ ବାରି ହୋଇପଡୁଛି ମାଡ଼ ଖାଉଥିବା ଯୁବକ ଦେହରେ ସିଗାରେଟ ଚେଙ୍କ ବି ଦିଆଯାଉଛି। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆଗକୁ ମାରିଦେବାର ଧମକ ବି ଦିଆଯାଉଛି। ବଦମାସ ଯୁବକମାନଙ୍କର କଥା ଶୁଣିଲେ ବାରି ହୋଇପଡୁଛି ପୂର୍ବ ଶତ୍ରୁତାର ଇଏ ହେଉଛି ପ୍ରତିଶୋଧ। ୬ ମିନିଟର ଭାଇରାଲ ଭିଡିଓରେ ଦୁଇଟି ନାଁ ସ୍ପଷ୍ଟ ଜଣାପଡୁଛି। ସୁମନ ଓ ଅନିମେଶ। ମାଡ଼ମାରିଲା ପରେ ଗୁରୁତର ଯୁବକଙ୍କୁ ଅନ୍ୟମାନଙ୍କୁ ଗୋଡ଼ଧରି କ୍ଷମା ମାଗିବାକୁ ବାଧ୍ୟ କରାଯାଉଛି। ସହର ଆଖପାଖ ଜଙ୍ଗଲ ଭିତରେ ଏସବୁ ଘଟଣା ଘଟିଥିବା ଜଣାପଡୁଛି। କଲେଜ ପିଲାଙ୍କ କଙ୍ଗାରୁକୋର୍ଟ ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ବଲାଙ୍ଗୀର ଏସ୍ପି। ଏସ୍ପିଙ୍କ ନିର୍ଦେଶକ୍ରମେ ତୁରନ୍ତ ସ୍ୱତନ୍ତ୍ର ପୁଲିସ ଟିମ୍ ବିଭିନ୍ନ ଜାଗାରେ ଚଢ଼ଉ କରି ୪ ରୁ ୫ ଜଣଙ୍କୁ ଥାନାରେ ଅଟକ ରଖିଛି। ଅନ୍ୟମାନଙ୍କୁ ବି ଚିହ୍ନଟ କରି ଖୋଜା ଚାଲିଛି।
ଏ ସଂପର୍କରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଭିଡିଓ ଦେଖି କହିଛନ୍ତି, କୌଣସି ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ। ଏମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। ପୁଲିସକୁ ଆମେ ସବୁ ପ୍ରକାର ସହାୟତା କରିବୁ। ଭିଡିଓରୁ ଛାତ୍ରମାନେ ଆମ ବିଶ୍ବବିଦ୍ୟାଳୟର ନା ଅନ୍ୟ କେଉଁ କଲେଜର ସ୍ପଷ୍ଟ ଜଣାପଡୁନି। ଆମ ବିଶ୍ବବିଦ୍ୟାଳୟ ବୋଲି ସ୍ପଷ୍ଟ ହେଲେ ଆମେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଏସ୍ପି ନିତିନ କୁଶଲକର ନିଜ ପ୍ରତିକ୍ରିୟାରେ କହିଛନ୍ତି, କିଛି ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଅନ୍ୟମାନଙ୍କୁ ବି ତୁରନ୍ତ କାବୁ କରାଯିବ। ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
/sambad/media/post_attachments/wp-content/uploads/2021/04/balangir-college-student-attack-3a.jpg)
ଥାନାରେ ମିଳାମିଶା ପାଇଁ କୁଜି ନେତାଙ୍କ ଭିଡ଼!
ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି ଏହି ଭାଇରାଲ ଭିଡିଓ। ଏବେ ଖୋଦ୍ ଏସ୍ପିଙ୍କ ନିର୍ଦେଶକ୍ରମେ କିଛି ପିଲାଙ୍କୁ ଆଦର୍ଶ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ଏପରିକି ମାଡ଼ ଖାଇଥିବା ଯୁବକ ଓ ତାଙ୍କ ବାପାଙ୍କୁ ବି ଥାନାକୁ ଡକାଇ ତଦନ୍ତ କରୁଛି ଆଦର୍ଶ ଥାନା ପୁଲିସ। ଥାନା ଭିତରେ ତଦନ୍ତ ଚାଲିଥିବା ବେଳେ ଥାନା ପରିସରରେ କୁଜି ନେତାଙ୍କ ଭିଡ଼। ମାଡ଼ ଖାଇଥିବା ଯୁବକ ଜଣକ ଜଣେ ଅଣଓଡ଼ିଆ ହୋଇଥିବାରୁ ମିଳାମିଶା କରିବା ପାଇଁ ତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରାଯାଉଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ ଚାଲିଥିବା ବେଳେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରୁଥିବା ଆଦର୍ଶ ଥାନା ପୁଲିସ ଥାନା ପରିସରରେ ନିର୍ଦ୍ଦିଷ୍ଟ ଦଳର ନେତା ଓ କର୍ମୀଙ୍କ ଭିଡ଼କୁ କାହିଁକି ବାରଣ କରୁନି? ଏଭଳି ଏକ ସମ୍ବେଦନଶୀଳ ମାମଲାରେ ବି ମିଳାମିଶା ହୋଇପାରେ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/balangir-college-student-attack-1_2.jpg)