ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି)ର ଏକ ଅଳିଆବୁହା ଗାଡ଼ିର କବାଟ ହଠାତ ଖୋଲିଦେବା ଯୋଗୁଁ ଆଜି ଏକ ବଡ଼ ଅଘଟଣ ଘଟିଛି। ଅଳିଆବୁହା ଗାଡ଼ିର କବାଟ ଖୋଲି ଦିଆଯିବାରୁ ପଛରେ ଆସୁଥିବା ଜଣେ କଲେଜ ଛାତ୍ରୀ ତଳେ ପଡ଼ି ଯାଇ ଜୀବନ ହରାଇଛନ୍ତି। ଘଟଣା ସମୟରେ ଛାତ୍ରୀଙ୍କ ପଛପଟରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ତାଙ୍କ ଉପରେ ଚଢ଼ିଯାଇଥିଲା। ମୃତକଙ୍କ ନାମ ପି ସାଳିନୀ ପାତ୍ର।
ସୂଚନା ଅନୁସାରେ ବ୍ରହ୍ମପୁର ଆସ୍କା ରୋଡ ନିକଟସ୍ଥ ଆର୍ଯ୍ୟ ମୋଟର ନିକଟରେ ଇମ୍ପେରିଆଲ କଲେଜର ବିସିଏ ଛାତ୍ରୀ ସାଳିନୀ ପାତ୍ରଙ୍କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ହୋଇଛି। ଶାଗୁଣାସାହିର ପି ତିରୁପତି ପାତ୍ରଙ୍କ କନ୍ୟା ପି ସାଲିନି ପାତ୍ର ନିଜ ପ୍ଲେଜର ସ୍କୁଟି ଯୋଗେ କୌଣସି କାର୍ଯ୍ୟରେ ଆସ୍କା ରୋଡ଼ ଦେଇ ଯାଉଥିବା ବେଳେ ଆର୍ଯ୍ୟ ମୋଟରଠାରେ ମହାନଗର ନିଗମର ଏକ ଅଳିଆ ଆବର୍ଜନା ବୁହା ଗାଡିର କବାଟ ଖୋଲି ଯାଇଥିଲା। ଫଳରେ ଏହି କବାଟ ସହିତ ସାଳିନୀ ଧକ୍କା ହୋଇ ତଳେ ପଡ଼ିଯାଇଥିଲେ। ସେହି ସମୟରେ ଫୁଲବାଣୀରୁ ବ୍ରହ୍ମପୁର ଅଭିମୁଖେ ପରିଡା ଆଣ୍ଡ ପରିଡା (ରୀୟ ) ନାମକ ଏକ ଘରୋଇ ବସ ଉକ୍ତ ଛାତ୍ରୀଙ୍କ ଉପରେ ମାଡି ଚାଲିଗଲା। ଫଳରେ ସେଠାରେ ହି ଛାତ୍ରୀ ସାଳିନୀ ପାତ୍ରଙ୍କ ମୃତ୍ୟୁ ଘଟିଥିଲା । କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଯାଇଥିଲା ।
ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣାରେ ମୃତ ସାଳିନୀଙ୍କ ସହ ତାଙ୍କ ୩ଜଣ ବନ୍ଧୁ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ହେଲେ ପରେସ ବେହେରା, ଫିରୋଜ କୁମାର ସାହୁ ଏବଂ ସୌମ୍ୟ ରଞ୍ଜନ ପଣ୍ଡା। ତେବେ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ ବର୍ତ୍ତମାନ ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।