ବିରୂପାର ଗଭୀର ପାଣିରେ ସାଙ୍ଗମାନଙ୍କ ଆଖି ଆଗରେ ଭାସିଗଲେ କଲେଜ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

ବାଲିକୁଦା: ପହିଲି ରଜକୁ ସମସ୍ତେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବା ବେଳେ ବାଲିକୁଦା ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା, ଯାହା ସମସ୍ତଙ୍କୁ ହତଚକିତ କରିଦେଇଛି। ନଦୀକୁ ଗାଧୋଇବାକୁ ଯାଉଥିବା ଜଣେ କଲେଜ ଛାତ୍ର ନିଖୋଜ ଥିବା ଜଣାପଡିଛି। ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁସାରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସାଉଡିଆ ପଞ୍ଚାୟତ ଅନ୍ତର୍ଗତ ମୂଷାଟିକିରି ଗ୍ରାମର ନାରାୟଣ ମହାପାତ୍ରଙ୍କ ପୁଅ ଲିପୁ (୨୧ ) ସାଙ୍ଗମାନଙ୍କ ସହ ବିରୂପା ନଦୀର ବେଙ୍ଗପୁର ଘାଟରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯାଇଥିଲା। ଲିପୁ ଦେଖୁଦେଖୁ ଗଭୀର ପାଣିକୁ ଚାଲିଯାଇ ନିଖୋଜ ହୋଇଯାଇଥିବା ସାଥୀ ମାନେ କହିଛନ୍ତି।ଲିପୁ ଗୋପବନ୍ଧୁ ଚୌଧୁରୀ କଲେଜ ବରୀର +୩ ଶେଷ ବର୍ଷର ଛାତ୍ର ଥିଲା। ଗାଁ ଲୋକେ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ସହ ବରୀ ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ। ବରୀ ଓ କୁଆଖିଆ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର