କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ କଲେଜ ଛାତ୍ରୀ। ଟ୍ୟୁସନ୍ ସାରଙ୍କ ଦ୍ବାରା ବ୍ଲାକ୍ମେଲ୍ର ଶିକାର ହୋଇଥିବା ଛାତ୍ରୀଙ୍କ ଏତଲାକୁ ଥାନା ଅଧିକାରୀ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଓ ତାଙ୍କ ମା’ ଆଜି ଏପରି ଅଭିଯୋଗ ଆଣି ଏସ୍ପିଙ୍କ ନିକଟରେ ଫେରାଦ୍ ହୋଇଛନ୍ତି। ମାମଲା ରୁଜୁ ହେବାର ଆଠ ଦିନ ପରେ ବି ଅଭିଯୁକ୍ତ ଟ୍ୟୁସନ୍ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପୀଡ଼ିତା ଗଣମାଧୢମକୁ ବୟାନ ଦେଇଛନ୍ତି। ସୁନୀତି ପଞ୍ଚାୟତ ଅଞ୍ଚଳର ସମ୍ପୃକ୍ତ ପୀଡ଼ିତା ବର୍ତ୍ତମାନ +୨ରେ ପାଠ ପଢ଼ୁଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଶିକ୍ଷକ ତାପସ ବେରିଙ୍କ ପାଖରେ ନବମ ଓ ଦଶମ ଶ୍ରେଣୀରେ ଟ୍ୟୁସନ୍ ହେଉଥିଲେ। ବାପା-ମା’ ନ ଥିବା ସମୟରେ ଘରକୁ ଯାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରି ବିଭିନ୍ନ ପ୍ରକାର ଅଶ୍ଲୀଳ ଫଟୋ ଓ ଭିଡିଓ ମୋବାଇଲ୍ରେ ରଖିଥିଲେ।
ଏସ୍ପିଙ୍କୁ ଫେରାଦ ହେଲେ ପୀଡ଼ିତାଙ୍କ ପରିବାର
ଅଶ୍ଳୀଳ ଫଟୋ ରଖି ବ୍ଲାକ୍ମେଲ୍ କରୁଛନ୍ତି ଟ୍ୟୁସନ୍ ଶିକ୍ଷକ
ଏକଥା ପରିବାର ଲୋକ ଜାଣିବା ପରେ ଆଉ ଟ୍ୟୁସନ୍ ପଠାଇ ନ ଥିଲେ। ଏବେ ପୀଡ଼ିତା ଜିଲ୍ଲା ବାହାର ଏକ କଲେଜରେ +୨ରେ ପଢ଼ୁଛନ୍ତି। ଅଭିଯୁକ୍ତ ଶିକ୍ଷକ ବିଭିନ୍ନ ସମୟରେ ନାନାପ୍ରକାର ଅଶ୍ଳୀଳ ମେସେଜ୍ ପଠାଇବା ସହିତ ତାଙ୍କ କଥାରେ ରାଜି ନ ହେଲେ ଫଟୋ ଭାଇରାଲ୍ କରିଦେବାକୁ ଧମକ ଦେଉଛନ୍ତି। ଏପରି କି, ଗତ ଅଗଷ୍ଟ ୧୫ତାରିଖରେ ଅଭିଯୁକ୍ତ ଏକ କାର୍ରେ ଆସି ପୀଡ଼ିତାଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସ˚କ୍ରାନ୍ତରେ ତନ୍ତିଆପାଳ ଥାନାରେ ଏତଲା ଦେଇଥିଲେ। ପୀଡ଼ିତା କହିଛନ୍ତି ଯେ ‘ଏତଲା ଦେଇ ଆସିବା ପରେ ଥାନା ଅଧିକାରୀ ରାତି ୧୦ଟା ବେଳେ ଫୋନ୍ କରି କଳା କାଳିରେ ଏତଲା ଲେଖିଛ। ତାହା ହେବ ନାହିଁ। ନୀଳ କାଳିରେ ଏତଲା ଲେଖିବାକୁ ପଡ଼ିବ ବୋଲି କହିଥିଲେ। ଅଗଷ୍ଟ ୧୮ରେ ଥାନାକୁ ଯିବାରୁ ଆମ ମୂଳ ଏତଲାକୁ ବଦଳାଯାଇ ଆଉ ଏକ ଏତଲାରେ ଦସ୍ତଖତ ମାରିବାକୁ କୁହାଗଲା। ଏତଲା ଦେବାର ଆଠ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ।’
ଅନ୍ୟପକ୍ଷରେ ଥାନାଧିକାରୀ କିଶୋର କୁମାର ତରାଇ ଗଣମାଧୢମକୁ ସଫେଇ ଦେଇ କହିଛନ୍ତି ଯେ ଏତଲା ବଦଳାଇ ନାହୁଁ। କଳା କାଳିରେ ଏତଲା ଲେଖାଯାଇଥିବା କାରଣରୁ ତାହାକୁ ବଦଳାଇ ନୀଳ କାଳିରେ ଆଉଥରେ ଏତଲା ଲେଖାଯାଇଛି। ପୀଡ଼ିତା ନିଜେ ଏହାକୁ ଲେଖିଛନ୍ତି। ହେଲେ ଆଠଦିନ ହେଲା କାହିଁକି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ପ୍ରଶ୍ନ ହେବାରୁ, ତାହା ତଦନ୍ତ ଅଧିକାରୀ ଦାୟିତ୍ବରେ ଥିବା ଏସ୍ଆଇ କହିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/cPjhdTfmJzveKdzZ4WfZ.jpeg)