ଭୁବନେଶ୍ବର: ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ମାଲକାନଗିରିରେ ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟରେ ୭୦ ମିମିରୁ ଅଧିକ ବର୍ଷା ହୋଇଛି। ଏଥିସହ ଛତ୍ରପୁରରେ ୪୪.୨ ମିମି, କୋରାପୁଟରେ ୨୬.୪ ମିମି, ଦାରିଙ୍ଗବାଡ଼ିରେ ୨୨ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଲଘୁଚାପ ପ୍ରଭାବରେ ଗଣେଶ ପୂଜା ଫିକା ପଡ଼ିବାକୁ ଯାଉଛି। କାରଣ ଆଜି ଭଳି ଆସନ୍ତାକାଲି ଓ ୩୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ।
ଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଏଣୁ ମାଲକାନଗିରି ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ଏଥିସହ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୮ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ସାରା ଓଡ଼ିଶାରେ ବି ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହିଭଳି ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୩୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନିଷେଧ କରାଯାଇଛି।