ଅନ୍ୟକୁ ଆନନ୍ଦ ଦେଇ ଯେଉଁ ଆନନ୍ଦ ମିଳେ ତାହାହିଁ ପରମାନନ୍ଦ: ସୌମ୍ୟରଞ୍ଜନ

କୁଆଁପାଳ ଜେ.ଏନ୍‌ କଲେଜ ଛାତ୍ରସଂସଦର ବାର୍ଷିକ ଉତ୍ସବ

ମାହାଙ୍ଗା : ଆନନ୍ଦ ପାଇବା ପାଇଁ ସମସ୍ତେ ଚାହାନ୍ତି। କିଏ ଅନ୍ୟକୁ କଷ୍ଟ ଦେଇ ଆନନ୍ଦ ଅନୁଭବ କରିଥାନ୍ତି ତ ଆଉ କିଏ ବିନା କଷ୍ଟରେ ଆନନ୍ଦ ପାଇଥାନ୍ତି। କିନ୍ତୁ ଅନ୍ୟକୁ ଆନନ୍ଦ ଦେଇ ଯେଉଁ ଆନନ୍ଦ ମିଳେ ତାହାହିଁ ପରମାନନ୍ଦ। ଅନ୍ୟକୁ ଦୁଃଖ ଦେଇ ନିଜେ ଖୁସି ହେବା ଅପେକ୍ଷା ଅନ୍ୟକୁ ଆନନ୍ଦ ଦେଇ ନିଜେ ଆନନ୍ଦିତ ହେବା ବ୍ୟକ୍ତି ହିଁ ମହାନ। ତେଣୁ କେବେ କାହା ମନରେ ଦୁଃଖ ନଦେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି ସମ୍ବାଦର ସଂପାଦକ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ମାହାଙ୍ଗା ବ୍ଲକ୍‌ କୁଆଁପାଳ ସ୍ଥିତ ଜେ.ଏନ୍‌.କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଉଥିବା ବ୍ୟକ୍ତିଙ୍କୁ ଦେବଦୂତ ଭାବେ ବର୍ଣ୍ଣନା କରିଥିଲେ। ଯୁବକମାନେ ରକ୍ତଦାନ କରି ନୂଆ ଓଡିଶା ଗଢିବାରେ ପ୍ରମୁଖ ଭୁମିକା ଗ୍ରହଣ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଛାତ୍ର ସଂସଦ ସଭାପତି ତ୍ରିନାଥ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ତଥା କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରତାପ ଜେନା, ସାଂସଦ ଅନୁଭବ ମହାନ୍ତି, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ତଥା କଲେଜ ପ୍ରତିଷ୍ଠାତା ବିକ୍ରମ କେଶରୀ ବର୍ମା ପ୍ରମୁଖ ଯୋଗ ଦେଇଥିଲେ। ନମ୍ରତାର ସହିତ ଶିକ୍ଷା ଗ୍ରହଣ ଛାତ୍ରଛାତ୍ରୀଙ୍କୁ ସଫଳତାର ଶୀର୍ଷରେ ପହଂଚାଇଥାଏ ବୋଲି ସାଂସଦ ଅନୁଭବ ମହାନ୍ତି କହିଥିଲେ। ଛାତ୍ରଛାତ୍ରୀମାନେ ନିଜ ମା’, ମାଟିକୁ ଭଲ ପାଇବା ସହ ନିଜକୁ ଭଲ ମଣିଷଭାବେ ଗଢିତୋଳିବା ପାଇଁ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ପରାମର୍ଶ ଦେଇଥିଲେ। ପୂର୍ବତନ ବିଧାୟକ ତଥା କଲେଜ ପ୍ରତିଷ୍ଠାତା ଶ୍ରୀ ବର୍ମା ଯୋଗଦେଇ ଲାଞ୍ଚ ଓ ନିଶାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ପ୍ରତାପ ଜେନା ମହାବିଦ୍ୟାଳୟର ଛାତ୍ର ଜୀବନ ଭବିଷ୍ୟତ ଗଢିବାର ପ୍ରକୃଷ୍ଟ ସମୟ ବୋଲି କହିବା ସହ ଯେ କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ନିଜର ପରିଚୟ ନିଜେ ସୃଷ୍ଟି କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ତାଙ୍କ ହ୍ଵାଟସ୍‌ ଅପ୍‌ ନମ୍ବରରେ ଯୋଡିହେବାକୁ ସୂଚନା ଦେଇଥିଲେ।

କଲେଜ ଅଧ୍ୟକ୍ଷ ପଲ୍ଲବ ଚକ୍ରବର୍ତ୍ତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅର୍ଜୁନ ଚରଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ର ସଂସଦ ସମ୍ପାଦିକା ମଧୁସ୍ମିତା ଲେଙ୍କା ବିବରଣୀ ପାଠ କରିଥିଲେ। ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ୍‌, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଜ କିଶୋର ଜେନା, ଭିକାରୀ ଚରଣ ସ୍ୱାଇଁ, ଛାତ୍ର ସଂସଦ ଉପସଭାପତି ରିଙ୍କୁ ରଞ୍ଜନ ଦାସ, ସହ-ସମ୍ପାଦକ ଏସ୍‌.କେ.ଆଲାମିନ୍‌ ରାହେଗୁଜାର, ଆକାଶ କୁମାର ସିଂହ, ମନୋଜ କୁମାର ଭୁୟାଁ, ଅଧ୍ୟାପକ କୁମୁଦ ସିଂହ ଓ ଅଧ୍ୟାପକ ବସନ୍ତ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର