ଭୁବନେଶ୍ବର : ମୁହଁରେ କଳାପଟି ବାନ୍ଧି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଗୁରୁବାର ଅପରାହ୍ଣରେ ଶତାଧିକ ଅଧ୍ୟାପକ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର୍ ପିଏମ୍ଜିରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଥିଲେ। ସଭାରେ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଗତ ଫେବ୍ରୁଆରି ୧୩ ତାରିଖରୁ ୧୫ଦିନ ଧରି ଅହୋରାତ୍ର ଆନ୍ଦୋଳନ ଚାଲିବା ପରେ ସରକାର ସଂଘକୁ ଆଲୋଚନା ପାଇଁ ଡାକିଥିଲେ। ମାର୍ଚ୍ଚ ୧୦ରୁ ୧୨ତାରିଖ ମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ବସି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆଲୋଚନା ପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ଅଧ୍ୟାପକମାନେ ସୁଚାରୁରୂପେ ପରିଚାଳନା କଲେ। କିନ୍ତୁ ଏଯାଏ ସରକାରଙ୍କ ପକ୍ଷରୁ କୌଣସି ଦାବି ପୂରଣ କରାଗଲା ନାହିଁ।
ସଂଘ ପକ୍ଷରୁ କରାଯାଇଥିବା ୪ଦଫା ଦାବିଗୁଡ଼ିକ ହେଲା, ସମାନ ଗ୍ରେଡ୍-ପେ’କୁ ସମାନ ଦରମା ବୃଦ୍ଧି, ସମସ୍ତ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ଦେବା ଓ ପେନସନ୍ ପରିସରଭୁକ୍ତ କରିବା, ୨୦୧୮ ଜି.ଓରେ ଅର୍ନ୍ତଭୁକ୍ତ କର୍ମଚାରୀମାନଙ୍କୁ ୭ମ ବେତନ କମିସନ ହାରରେ ଦରମା ଦେବା, ଅନୁଦାନରୁ ବାଦ୍ ପଡ଼ିଥିବା କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଆଦି ଦାବି ସଂଘ ପକ୍ଷରୁ କରାଯାଇଛି। ସରକାର ଅତିଶୀଘ୍ର ଏହାର ଆଶୁ ସମାଧାନ ନକଲେ, ଆଗାମୀ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ମୂଲ୍ୟାୟନ ବର୍ଜନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି ପ୍ରତିବାଦ ସଭାରେ ସଂଘର ସଭାପତି ଗୋଲକ ନାୟକ, ଦୁଇ ସାଧାରଣ ସଂପାଦକ ସତାପଉଦ୍ଦିନ ଅହମ୍ମଦ, ଗଗନ ବେଉରା, ତପନ ଜେନା, ରଂଜନ ପ୍ରଧାନ, ଅଶୋକ ପୁରୋହିତ, ସଂଗ୍ରାମ ମଲ୍ଲିକ, ଜ୍ୟୋତ୍ସ୍ନା ବସ୍ତିଆ, ସମୀର ସାହୁ, ତ୍ରିନାଥ ପାତିକା, ପ୍ରତାପ ଦାସ, ସଂଜୟ ଶିବ ପଟ୍ଟନାୟକ, ନରେନ୍ଦ୍ର ପାଇକରାୟ, ଅଶୋକ ପରିଜା, ସରୋଜ ରଥ, ମାନଭଂଜନ ତ୍ରିପାଠୀ, ନରେନ୍ଦ୍ର ବସ୍ତିଆ, ସଂଜୟ ଷଡ଼ଙ୍ଗୀ, ଶିଶିର ବିଶୋୟୀ, ଗଜେନ୍ଦ୍ର ନାୟକ, ପ୍ରଣବ କୁଅଁର, ଆଦିତ୍ୟ ଜେନା, ଅଶୋକ ବେହେରା, ହୃଷୀକେଶ ଜାଲି, କଳ୍ପନା ଦାସ, ବିଜୟ ଦାସ, ସୁଧୀର ମହାନ୍ତି, ବସନ୍ତ ମିଶ୍ର, ଅକ୍ଷୟ ସିଂ, ସତ୍ୟ ପାଣିଗ୍ରାହୀ ଓ ବିଜୟ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।