ଭୁବନେଶ୍ବର : ସୋସିଆଲ୍ ସର୍ଭିସ୍ ଫି’(ସାମାଜିକ ସେବା ଅର୍ଥ) ବାବଦରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କଠାରୁ ପ୍ରତିବର୍ଷ ଟଙ୍କା ଆଦାୟ ହେଉଛି। ୨୦୧୯-୨୦ ପର୍ଯ୍ୟନ୍ତ ପିଲା ପିଛା ୧୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ବେଳେ ୨୦୨୦-୨୧ରୁ ତାହା ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯେଉଁ କଲେଜରେ ଏନ୍ଏସ୍ଏସ୍(ଜାତୀୟ ସେବା ଯୋଜନା) ୟୁନିଟ୍ ରହିଛି ସେମାନେ ୪% ଅର୍ଥ ନିଜ ପାଖରେ ରଖିବେ ଏବଂ ବାକି ୬% ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ନିକଟରେ ଦାଖଲ କରିବେ। ଯେଉଁ କଲେଜରେ ଏନ୍ଏସ୍ଏସ୍ ୟୁନିଟ୍ ନାହିଁ ସେମାନେ ପିଲାଙ୍କଠାରୁ ଆଦାୟ କରୁଥିବା ସମସ୍ତ ଟଙ୍କା ପରିଷଦରେ ପଇଠ କରିବେ। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କ ଲାଗି ବର୍ଷ ତମାମ କଲେଜସ୍ତରରେ ବିଭିନ୍ନ ସେବା କାର୍ଯ୍ୟକ୍ରମ କରାଯିବ। ରାଜ୍ୟ ତଥା ଜାତୀୟସ୍ତରୀୟ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସମୟରେ ପରିଷଦ ପକ୍ଷରୁ ଅର୍ଥ ଖର୍ଚ୍ଚ ହେବ। ତେବେ ଗତ ୮ ବର୍ଷ ହେଲା ରାଜ୍ୟର ୧୪୮୩ ଯୁକ୍ତ୨ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରୁଥିଲେ ମଧ୍ୟ ତାହାକୁ ପରିଷଦ ନିକଟରେ ଦାଖଲ କରିନାହାନ୍ତି। ଏମିତିକି ୨୦୨୦-୨୧ ଶିକ୍ଷାବର୍ଷରେ କେବଳ ୬୦୦ରୁ ଅଧିକ ଯୁକ୍ତ୨ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରିଥିବା ୨୦ ଟଙ୍କା ଲେଖାଏ ଫି’ ପରିଷଦକୁ ଦେଇନାହାନ୍ତି।
ତଥ୍ୟ ଅନୁଯାୟୀ ୨୦୧୩-୧୪ରୁ ୨୦୧୯-୨୦ ଶିକ୍ଷାବର୍ଷ ମଧ୍ୟରେ ୭୫୩ କଲେଜ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଫି’ ଆଦାୟ କରିଛନ୍ତି। ସେଥିମଧ୍ୟରୁ ପ୍ରାୟ ୩ ଲକ୍ଷ ଟଙ୍କା ପରିଷଦ ନିକଟରେ ଦାଖଲ କରିବା କଥା। ତେବେ ଉକ୍ତ କଲେଜଗୁଡ଼ିକ ଅର୍ଥ ଚାପି ବସିପଡ଼ିଛନ୍ତି। ଫଳରେ ଛାତ୍ରଛାତ୍ରୀ ଦେଉଥିବା ଅର୍ଥ ଠିକ୍ କାର୍ଯ୍ୟରେ ଲାଗିପାରୁନାହିଁ। ୨୦୧୩-୧୪ରେ ୪୪, ୨୦୧୪-୧୫ରେ ୩୭, ୨୦୧୫-୧୬ରେ ୭୧, ୨୦୧୬-୧୭ରେ ୨୯, ୨୦୧୭-୧୮ରେ ୯୮, ୨୦୧୮-୧୯ରେ ୨୩୦ ଓ ୨୦୧୯-୨୦ ଶିକ୍ଷାବର୍ଷରେ ୨୪୪ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରିଥିବା ଫି’ ପରିଷଦ ନିକଟରେ ଦାଖଲ କରିନାହାନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗତ ଶିକ୍ଷାବର୍ଷ ଅର୍ଥାତ୍ ୨୦୨୦-୨୧ ଶିକ୍ଷାବର୍ଷରେ ୬୦୦ରୁ ଅଧିକ କଲେଜ ପ୍ରାୟ ୧୦ ଲକ୍ଷ ଟଙ୍କା ପରିଷଦ ନିକଟରେ ଦାଖଲ କରିନାହାନ୍ତି। ଫି’ ଦାଖଲ କରିବାକୁ କଲେଜଗୁଡ଼ିକ କାହିଁକି କୁନ୍ଥକୁନ୍ଥ ହେଉଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯୁକ୍ତ୨ କଲେଜର ସମସ୍ତ ବିଭାଗ ଯଥା କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକରେ ଏଭଳି ସମସ୍ୟା ହୋଇଛି। ସେଥିମଧ୍ୟରୁ ୬୧ଟି କଲେଜରେ ଶତାଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୨୦୦ରୁ ଅଧିକ କଲେଜରେ ୫୦ରୁ ୧୦୦ ମଧ୍ୟରେ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଇତିମଧ୍ୟରେ କେତେକ କଲେଜ ବନ୍ଦ ହୋଇ ସାରିଲାଣି। ସବୁଠାରୁ ବଡ଼ କଥା ହେଉଛି ଯେ କେତେକ ସରକାରୀ କଲେଜ ବି ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରିଥିବା ଫି’ ଚାପି ରଖିଛନ୍ତି। ୨୦୨୧ ଜୁଲାଇ ୩୧ ସୁଦ୍ଧା କଲେଜଗୁଡ଼ିକ ପରିଷଦ ନିକଟରେ ଫି’ ଦାଖଲ କରିବେ। କେଉଁ ଜିଲ୍ଲାର କେଉଁ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରି ତାହାକୁ ଦାଖଲ କରିନାହାନ୍ତି ସେ ତାଲିକା ପରିଷଦ ପ୍ରକାଶ କରିଛି। ଯେଉଁମାନେ ଫି’ ଦାଖଲ ନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦ ଏନ୍ଏସ୍ଏସ୍ ସଂଯୋଜକ ଚିନ୍ତନ ବ୍ରହ୍ମା କହିଛନ୍ତି।