ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ

ରାଉରକେଲା: ୨୦୨୩ ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମିଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ଏହିସବୁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଉରକେଲା ଗସ୍ତରେ ଆସିଥିବା ଜିଲ୍ଲାପାଳ ସୋମବାର ଦିନ ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ହକି ବିଶ୍ୱକପର ସଫଳ ଆୟୋଜନ ଉପରେ ଗୁରୁତ୍ୱ ଦେଇଥିଲେ। ହକି ବିଶ୍ୱକପ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ବେଳେ ସ୍ଥାନୀୟ ଜନସାଧାରଣଙ୍କୁ ଯୋଡ଼ିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମଙ୍ଗଳବାର ଦିନ ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପସ୍ଥଳକୁ ଯାଇ କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ।

ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀମାନଙ୍କ ଭିତରେ ବିଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ରାଉରକେଲାର ଛେଣ୍ଡଠାରେ ଆଧୁନିକ ପ୍ଲାନେଟୋରିୟମ ଓ ସାଇନ୍ସ ପାର୍କ ନିର୍ମାଣ କରାଯାଉଛି। ଜିଲ୍ଲାପାଳ ଏହି ପ୍ରକଳ୍ପ ବୁଲି ଦେଖିବା ସହ ହକି ବିଶ୍ୱକପ ପୂର୍ବରୁ ଏହାକୁ କିପରି ପ୍ରସ୍ତୁତ କରାଯିବ ସେନେଇ ସ୍ଥାନୀୟ ଅଧିକାରୀମାନଙ୍କ ସହ କଥା ହୋଇଥିଲେ।

କୋଏଲ ନଗରଠାରେ ରିକ୍ରିସନାଲ ପାର୍କ ନିର୍ମାଣ କରାଯାଉଛି। ଜିଲ୍ଲାପାଳ ଏହି ପ୍ରକଳ୍ପ ସ୍ଥାନକୁ ଯାଇ ଏହାର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ରାଉରକେଲା ସେକ୍ଟର-୫ସ୍ଥିତ ପାନ୍ଥନିବାସ ଏବଂ ପାନପୋଷସ୍ଥିତ ସର୍କିଟ ହାଉସରେ ଚାଲିଥିବା ନବୀକରଣ କାର୍ଯ୍ୟର ଅଗ୍ରଗତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ବୁଲି ଦେଖିଥିଲେ।

ଏହାସହ ରାଉରକେଲା ଷ୍ଟେସନ ଏବଂ ହନୁମାନ ବାଟିକା ପରିଦର୍ଶନ କରିଥିଲେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସେଠାରେ ପର୍ଯ୍ୟଟକମାନଙ୍କ ସୁବିଧା ଲାଗି କରାଯାଉଥିବା ବିଭିନ୍ନ ବ୍ୟବସ୍ଥାର ସେ ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ବେଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ହକି ବିଶ୍ୱକପକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରାଉରକେଲା ସହରରେ ରାସ୍ତାଘାଟ ନିର୍ମାଣ ସହିତ ଆଲୋକୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଆଦି କାମ ଚାଲିଛି। ଭୁବନେଶ୍ୱର ସହିତ ରାଉରକେଲାରେ ୨୦୨୩ ହକି ବିଶ୍ୱକପ୍ ଆୟୋଜନ କରାଯିବ। ଏଥିପାଇଁ ରାଉରକେଲା ବିପିୟୁଟି କ୍ୟାମ୍ପସରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିବାର ସୁବିଧା ରହିଛି। ଏହାସହ ଅଭ୍ୟାସ ପଡ଼ିଆ, ଖେଳାଳି ଏବଂ ଅଫିସିଆଲମାନଙ୍କ ପାଇଁ ରହଣୀସ୍ଥଳ ଆଦି ନିର୍ମାଣ କରାଯାଉଛି।

ସମ୍ବନ୍ଧିତ ଖବର