କଲମ୍ବୋ, ବ୍ୟାଙ୍କକ୍‌କୁ ଉଡ଼ିବ ଏୟାର ଏସିଆ!

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଘଟିଛି। ଫଳରେ ଗତବର୍ଷ ଓଡ଼ିଶାକୁ ୧.୦୮ ଲକ୍ଷ ବିଦେଶୀ ଏବଂ ୧.୪୦ କୋଟି ଦେଶୀୟ ପର୍ଯ୍ୟଟକ ଆସିଥିଲେ। ଏହି ସଂଖ୍ୟାରେ ଅଭିବୃଦ୍ଧି ନିମନ୍ତେ ଆବଶ୍ୟକ ଆନ୍ତର୍ଜାତିକ ବିମାନ ସେବା ଉପଲବ୍ଧ କରାଯାଇଛି। ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରୁ କୁଆଲାମ୍‌ପୁରକୁ ସପ୍ତାହବ୍ୟାପୀ ଉଡ଼ାଣ ଚାଲିଛି। ଏଥିପାଇଁ ଆବଶ୍ୟକ ପାଣ୍ଠି(ଭିଜିଏଫ୍‌) ସରକାର ବହନ କରୁଛନ୍ତି। ଆଗାମୀ ଦିନରେ ଏୟାର ଏସିଆ ପକ୍ଷରୁ କଲମ୍ବୋ ଏବଂ ବ୍ୟାଙ୍କକ୍‌କୁ ଏଠାରୁ ଉଡ଼ାଣ ପ୍ରସ୍ତାବ ରହିଥିବା ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତିି।

ଆଜି ପର୍ଯ୍ୟଟନ ବିଭାଗର ସଫଳତା ସଂପର୍କରେ ବୟାନ ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ, ବରିଷ୍ଠ ତୀର୍ଥଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନଙ୍କୁ ସରକାରୀ ଖର୍ଚରେ ଦେଶର ବିଭିନ୍ନ ତୀର୍ଥସ୍ଥାନଗୁଡ଼ିକ ଭ୍ରମଣ ସୁବିଧା ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ବିଭାଗ ୫ଟି ତୀର୍ଥଯାତ୍ରା ଟ୍ରେନ୍‌ ଚାଲିବ। ଜଙ୍ଗଲ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ସହଭାଗିତାରେ ଚିଲିକାର ମଙ୍ଗଳାଯୋଡ଼ିରେ ପ୍ରଥମ ଜାତୀୟ ବିହଙ୍ଗ ଉତ୍ସବର ଆୟୋଜନ କରାଯାଇଛି। ଜଳକ୍ରୀଡ଼ାର ବିକାଶ ପାଇଁ ଆବଶ୍ୟକ ନିୟମାବଳୀ ପ୍ରଣୟନ ହୋଇଛି। ଇତି ମଧ୍ୟରେ ଧଉଳି, ପୁରୀର ନରେନ୍ଦ୍ର ପୋଖରୀ, କୋଣାର୍କରେ ଆଲୋକ ଓ ଧ୍ୱନି ପ୍ରଦର୍ଶନୀ (ଲାଇଟ୍‌ ଆଣ୍ଡ ସାଉଣ୍ଡ) କରାଯାଇଛି। ଆଗାମୀ ଦିନରେ ଖଣ୍ଡଗିରିରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ ଲକ୍ଷ୍ୟରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହୋଇଛି। ସେହିପରି ଗୁଜୁରାଟ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗୋଟିଏ ଲେଖାଏଁ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିବା ସେ କହିଥିଲେ। ଏହାଛଡ଼ା, ଓଡ଼ିଆ ସାହିତ୍ୟ ଏକାଡେମିର ୧୪ଟି ମୌଳିକ ସୃଜନଶୀଳ ରଚନା ତେଲୁଗୁ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରାଯାଇଛି। ଭାଗବତ ଟୁଙ୍ଗିର ପୁନରୁଦ୍ଧାର ପାଇଁ ଚଳିତ ବର୍ଷ ୯ କୋଟିର ବ୍ୟୟବରାଦ ହୋଇଛି। ପାଇକ ବିଦ୍ରୋହ ଉପରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହିତ ଖୋର୍ଦ୍ଧାରେ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜିତ ହୋଇଛି। ବିଭାଗୀୟ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ।

ସମ୍ବନ୍ଧିତ ଖବର