ଦେବଗଡ଼, (ଶକ୍ତିସୌରଭ ନନ୍ଦ): ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ଲାଣ୍ଡିଝରି ଗାଁ। ଏହି ଗାଁ ବର୍ତ୍ତମାନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ରଙ୍ଗିନ ମାଛଚାଷ ପାଇଁ। ଉକ୍ତ ଗ୍ରାମର ଜୀବେଶ୍ୱରୀ ପ୍ରଧାନ ଏହି ରଙ୍ଗିନ ମାଛଚାଷକୁ ନିଜର ଜୀବିକା ନିର୍ବାହର ପ୍ରମୁଖ ପନ୍ଥା ଭାବେ ବାଛି ନେଇଛନ୍ତି। ଏଥିସହ ଅନ୍ୟମାନଙ୍କୁ ମଧ୍ୟ ଏଥିଲାଗି ଉଦ୍ବୁଦ୍ଧ କରିଛନ୍ତି। ଗ୍ରାମରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ବି ତାଙ୍କଠାରୁ ଅନୁପ୍ରାଣିତ ହୋଇ ଆରମ୍ଭ କରିଛନ୍ତି ରଙ୍ଗିନ୍ ମାଛଚାଷ। ରଂଗିନ ମାଛଚାଷ ଭଳି ଏକ ସଂପୂର୍ଣ୍ଣ ଅଣପାରମ୍ପରିକ କାର୍ଯ୍ୟ ବି ମହିଳାଙ୍କ ପାଇଁ ଆତ୍ମନିର୍ଭରଶୀଳତାର ବାଟ ହୋଇପାରେ ବୋଲି ପ୍ରମାଣ କରି ଦେଖାଇଛନ୍ତି ଜୀବେଶ୍ବରୀ ଓ ଏହି ଗ୍ରାମର ମହିଳାମାନେ।
ପ୍ରଥମେ ଜୀବେଶ୍ବରୀଙ୍କ ବଡ଼ଭଉଣୀ ପଙ୍କଜିନୀ ପ୍ରଧାନ ଗ୍ରାମରେ ମାଛଚାଷ ଆରମ୍ଭ କରିଥିଲେ। ଭଉଣୀଙ୍କଠାରୁ ଅନୁପ୍ରାଣିତ ହୋଇ ଜୀବେଶ୍ବରୀ ୨୦୧୭ ମସିହାରେ ପ୍ରଥମଥର ପାଇଁ ରଙ୍ଗୀନ ମାଛ ଚାଷ ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ସରକାରୀ ସାହାଯ୍ୟ ବି ମିଳିଛି। ତେଣୁ ଜୀବେଶ୍ବରୀ ରଙ୍ଗୀନ ମାଛ ଚାଷ କରିବା ସହ ଆକ୍ବାରିୟମ ତିଆରି କରି ମଧ୍ୟ ବିକ୍ରି କରୁଛନ୍ତି । ତାଙ୍କଠାରୁ ଅନୁପ୍ରାଣିତ ହୋଇ ବର୍ତ୍ତମାନ୧୪ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ରଙ୍ଗିନ୍ ମାଛଚାଷ କରୁଛନ୍ତି । ଏଥିପାଇଁ ମହିଳାମାନଙ୍କୁ ସରକାରୀ ସ୍ତରରୁ ବି ଉତ୍ସାହିତ କରାଯାଇଛି। ସହାୟତା ପ୍ରଦାନ କରାଯାଇଛି। ଫଳତଃ ବର୍ତ୍ତମାନ ଲାଣ୍ଡିଝରି ଗାଁ ରଂଗିନ ମାଛଚାଷର ଗାଁ ଭାବେ ପରିଚିତ ହୋଇଛି। ଏଥିସହ ଏବେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସମ୍ବଲପୁର, ମୟୁରଭଞ୍ଜ, ଅନୁଗୁଳ ଜିଲ୍ଲାର ମହିଳାମାନେ ଜୀବେଶ୍ବରୀଙ୍କ ନିକଟକୁ ଆସି ରଙ୍ଗିନ ମାଛ ଚାଷର ତାଳିମ ମଧ୍ୟ ନେଉଛନ୍ତି। ଜୀବେଶ୍ବରୀ ବର୍ତ୍ତମାନ ଜିଲ୍ଲାର ରଙ୍ଗିନ ମାଛ ଚାଷର ମାଷ୍ଟର ଟ୍ରେନର୍ ହୋଇ ସାରିଛନ୍ତି। ତାଙ୍କ ରଙ୍ଗିନ ମାଛ ଚାଷ ସ୍ଥାନକୁ ରାଜ୍ୟ ମତ୍ସ୍ୟ ବିଭାଗ ତଥା ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀ ପରିଦର୍ଶନ କରିଛନ୍ତି। ଏଥିପାଇଁ ଗାଁର ଚିତ୍ର ମଧ୍ୟ ବଦଳି ଯାଇଛି। ଆଗରୁ ଗାଁରେ ମାଟି ରାସ୍ତା ଥିଲା ଓ ପିଇବା ପାଣିର ସୁବିଧା ମଧ୍ୟ ନଥିଲା। ହେଲେ ବର୍ତ୍ତମାନ ଗାଁକୁ ବଡ଼ ବଡ଼ ଅଧିକାରୀମାନେ ଆସୁଥିବାରୁ ଭଲ ରାସ୍ତା ନିର୍ମାଣ ହେବା ସହିତ ଗାଁରେ ପିଇବା ପାଣି ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ତେବେ କେବଳ ରଂଗିନ୍ ମାଛ ଚାଷ ନୁହେଁ, ଜୀବେଶ୍ବରୀ ଇତିମଧ୍ୟରେ ଅଧିକ ଆୟ ପାଇଁ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ମହିଳାମାନଙ୍କୁ ନେଇ ଟେଲରିଂ କାମ ମଧ୍ୟ ଆରମ୍ଭ କରିଛନ୍ତି । ଟେଲରିଂରେ ଦେବଗଡ଼ ଆରସେ୍ଟି ତାଲିମ ଗ୍ରହଣ କରିବା ପରେ ରାଉରକେଲା ଓ ଚେନ୍ନାଇରୁ ବି ୬ ମାସ ତାଲିମ ଗ୍ରହଣ କରିଛନ୍ତି। ଏହାପରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଟେଲରିଂ କାମ କରିବା ସହ ଅନ୍ୟମାନଙ୍କୁ ମଧ୍ୟ କାମ ଶିଖାଉଛନ୍ତି।