ଆଗାମୀ ଦିନକୁ ନେଇ କି ସୂଚନା ଦେଇଗଲା ଗୋଲାପୀ ଆକାଶ? କ’ଣ କୁହନ୍ତି ବିଶେଷଜ୍ଞ?

ଭୁବନେଶ୍ବର: ଏପଟେ ବାତ୍ୟା ବୁଲ୍‌ବୁଲ୍‌କୁ ନେଇ ଓଡ଼ିଶାବାସୀ ଆଶଙ୍କାରେ ଥିବା ବେଳେ ସେପଟେ ବୁଲ୍‌ବୁଲ୍‌ ପରେ ପରେ ଆକାଶରେ ଦିଶିଥିଲା ଏକ କମନୀୟ ଦୃଶ୍ୟ। ଦିନେ ନୁହେଁ, ୮ ଓ ୯ ତାରିଖ ଦୁଇ ଦିନ ଧରି ଓଡ଼ିଶାର ଆକାଶ ରଂଗୀନ ହୋଇଥିଲା। ଓଡ଼ିଶା ଆକାଶ ଦିଶିଥିଲା ଗୋଲାପୀ ଗୋଲାପୀ। କୌଣସି ନିଦ୍ଦିର୍ଷ୍ଟ ଅଞ୍ଚଳରେ ନୁହେଁ, ଭୁବନେଶ୍ବରରୁ ନେଇ, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ପୁରୀ ଆଦି ଆକାଶରେ ସେତେ ଯେପରି କିଏ ରଂଗ ବୁଣି ଦେଇଥିଲା। ସୋସିଆଲ୍‌ ମିଡିଆରେ ଫଟୋ ପରେ ଫଟୋ ଦେଖିବାକୁ ମିଳିଲା। ଫେସ୍‌ବୁକ୍‌ ବ୍ୟବହାରକାରୀମାନେ ଫଟୋ ଦେଇ ଲେଖିଲେ ‘ଆଜି ଆକାଶେ କି ରଂଗ ଲାଗିଲା’।

ଏହି ଗୋଲାପୀ ରଂଗ ଦେଖିବାକୁ ଯେତେ ବି ସୁନ୍ଦର ହେଉ ନା କାହିଁକି ଏହାର କମନୀୟ ଦୃଶ୍ୟକୁ ଉପଭୋଗ କରିବା ବେଳେ ରାଜ୍ୟବାସୀଙ୍କ ମନରେ ସାମାନ୍ୟ ଭୟ ଉପୁଜିବା ସ୍ବାଭାବିକ ନୁହେଁ କି? କଥାରେ ଅଛି ଯେ ଝଡ଼ ପୂର୍ବରୁ ଆକାଶ ନାଲି କିମ୍ବା ନାରଙ୍ଗୀ ଦିଶେ। ହେଲେ ଗୋଲାପୀ ରଂଗର ଆକାଶ କି ସୂଚନା ଦେଉଛି ବୋଲି ଚିନ୍ତା କରି ବିବ୍ରତ ହୋଇ ଉଠିଥିଲେ ରାଜ୍ୟବାସୀ।

ମାତ୍ର ସମସ୍ତ ଦ୍ବନ୍ଦ୍ବର ଅନ୍ତଃ ଘଠିଛି। ଆକାଶର ରଂଗ ଗୋଲାପୀ ପଡ଼ିବା କୌଣସି ଅଶୁଭ ସଂକେତକୁ ଇଙ୍ଗିତ କରୁନାହିଁ ବୋଲି ନିଜର ମତ ରଖିଛନ୍ତି ଜଣେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ। ସେ କହିଛନ୍ତି କି ଅଧିକ ମାତ୍ରାରେ ପବନ ବହିଲେ ବାୟୁମଣ୍ଡଳରେ ଧୂଳିକଣା ଓ ଅଙ୍ଗାରକାମ୍ଳ ଅଧିକ ପରିମାଣ ରହିଥାଏ। ଅଣୁ, ପରମାଣୁ ଓ ଜଳୀୟ ବାଷ୍ପର ସମଷ୍ଟି ଉପରେ ସୂର୍ଯ୍ୟକିରଣ ବିଚ୍ଛୁରିତ ହୋଇ ପଡ଼ିବା ପରେ ଆକାଶ ରଂଗୀନ ଦିଶିଥିଲା। ସୂର୍ଯ୍ୟ କିରଣର ସାତ ରଂଗ ଭିତରୁ ନାଲି ରଂଗର ରଶ୍ମୀ ପୃଥିବୀ ପୃଷ୍ଟ‌ରେ ପ୍ରତିଫଳିତ ହୋଇଥାଏ। ସେଥିପାଇଁ ସୂର୍ଯ୍ୟଦୋୟ କିମ୍ବା ସୂର୍ଯ୍ୟାସ୍ତ ବେଳେ ଆକାଶ ନାଲିଆ ଦିଶିଥାଏ। ମାତ୍ର ଅତ୍ୟଧିକ ପରିମାଣର ଧୂଳିକଣା ‌ହେତୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କେବଳ ପଶ୍ଚିମ ଆକାଶରେ ହିଁ ଏହି  ଦୃଶ୍ୟ ଦୃଶ୍ୟମାନ ହୋଇଥିଲା।

ବିଶେଷଜ୍ଞ ଆହୁରି ବି କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ ଥର ପବନ ବହିଛି ମାତ୍ର ଏପରି ଦୃଶ୍ୟ ଦେଖିବାକୁ ମିଳିନାହିଁ। ଇନ୍ଦ୍ରଧନୁ ଯେପରି ସବୁବେଳେ ଦିଶେନାହିଁ, ଏପରି ଦୃଶ୍ୟ ମଧ୍ୟ ସବୁ ପବନ ପରେ ଦିଶିବ ବୋଲି ତାହାର କିଛି ମାନେ ନାହିଁ। ବାୟୁମଣ୍ଡଳର ଆଦ୍ରତା ଓ ଧୂଳିକଣିକା ଏପରି ଦୃଶ୍ୟରର ମୁଖ୍ୟ କାରଣ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଦୃଶ୍ୟ ପାଇଁ ବାୟୁ ପ୍ରଦୂଷଣ ବି କିଛି ମାତ୍ରାରେ ଦାୟୀ। ନିକଟରେ ଦୀପାବଳୀ ଯାଇଥିବା ସହ ମାତ୍ର କିଛି ଦିନ ଦୂରତାରେ ବୁଲ୍‌ବୁଲ୍‌ର ଆଗମନ ଏହାର ଏକ କାରଣ ବୋଲି ଆମେ ଧରିପାରିବା। ଦୁଇ ଦିନ ଧରି ଆକାଶରେ ଯେଉଁ ଗୋଲାପୀ ରଂଗ ଦେଖାଯାଇଥିଲା ତାହା ଆଗାମୀ ଦିନ ପାଇଁ କୌଣସି ଅଶୁଭ ସଂକେତ ଦେଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଜାପାନ ଓ ଆମେରିକାରେ ବି ଏପରି ଦୃଶ୍ୟ ଦେଖିବାକୁ ମିଳିସାରିଛି।

ସମ୍ବନ୍ଧିତ ଖବର