ଓଲିଡଡ୍ର ସେଲେବ୍ରିଟି ଦମ୍ପତି ବର୍ଷା- ଅନୁଭବଙ୍କ ବିବାଦ ଚଳିତ ବର୍ଷ କେବଳ ଓଲିଉଡ୍ ନୁହେଁ ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା। ବର୍ଷା, ଅନୁଭବଙ୍କ ବିରୁଦ୍ଧରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଏହି ଦମ୍ପତିଙ୍କ ସମ୍ପର୍କର ଗୁମର କଥା ବାଟରେ ପଡ଼ି ହାଟରେ ଗଡ଼ିଲା। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସଦର ଏସ୍ଡିଜେଏମ୍ ଅଦାଲତରେ ମାମଲା ଦାୟର କରିବା ସହ ଅନୁଭବଙ୍କ ଉପରେ ଅନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ ଓ ୧୫ କୋଟି ଟଙ୍କାର କ୍ଷତିପୂରଣ ରାଶି ଦାବି କରିଥିଲେ। ବର୍ଷା ଅଗଷ୍ଟ ୭ରେ ଏହି ମାମଲା ରୁଜୁ କରିଥିଲେ। ଅନ୍ୟପଟେ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ଛାଡ଼ପତ୍ର ମାମଲା ଦାୟର କରିଥିଲେ। ତେବେ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ନେଇ ବର୍ଷା ପ୍ରିୟଦର୍ଶନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଅନୁଭବଙ୍କ ଛାଡ଼ପତ୍ର ଶୁଣାଣୀ କରି ମାମଲା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଆପୋସ ଆଲୋଚନା ଓ ବୁଝାମଣାଭିତ୍ତିରେ ସମାଧାନ କରାଯିବାକୁ ନେଇ ଉଭୟ ପକ୍ଷର ଓକିଲମାନଙ୍କୁ ପରାମର୍ଶ ଦେବା ସହିତ ମାମଲାକୁ ‘ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ର’କୁ ପଠାଇ ଦେଇଥିଲେ। ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଏହି ବିବାଦର ସମାଧାନ କରିବାକୁ କୁହାଯାଇଥିଲା। ଉଭୟ ପକ୍ଷଙ୍କୁ ଖଣ୍ଡପୀଠ ନୋଟିସ ଜାରି କରିଥିଲେ। ସହମତିଭିତ୍ତିକ ଆଲୋଚନାର ଫଳାଫଳ ଆସିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ଭିତରେ ପାଞ୍ଚ ପାଞ୍ଚ ଥର ଆପୋସ ଆଲୋଚନା ହୋଇଥିଲେ ସୁଦ୍ଧା ଏଯାଏ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
ପୁଣି ଏହି ବିବାଦ ଭିତରକୁ ଟଣା ହୋଇଛନ୍ତି ଦିଲ୍ଲୀ ସାମ୍ବାଦିକା ଜାଗୃତି ଶୁକ୍ଲା। ଅନୁଭବ ସାମାଜିକ ଗଣମାଧ୍ୟମରେ ଜାଗୃତିଙ୍କ ଏକ ସମ୍ବଲପୁରୀ ଶାଢ଼ି ପିନ୍ଧା ଫଟୋ ସେୟାର କରିବା ପରେ ଅନୁଭବ ଓ ଜାଗୃତିଙ୍କ ସମ୍ପର୍କ ନେଇ ସାମାଜିକ ଗଣମାଧ୍ୟମ ଓ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର୍ ଧରିଥିଲା। ପରେ ଜାଗୃତି ବି ଏନେଇ ମୁହଁ ଖୋଲିଥିଲେ। ଅନୁଭବ ଓ ସେ ଭଲ ବନ୍ଧୁ ବୋଲି ସେ ସ୍ପଷ୍ଟୋକ୍ତି ଦେବା ସହ ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦକୁ ତାଙ୍କ ନାମ ନ ଟାଣିବାକୁ ଜାଗୃତି ଅନୁରୋଧ କରିଥିଲେ। ଏବେ ବି ବର୍ଷା- ଅନୁଭବଙ୍କ ଛାଡ଼ପତ୍ର ମାମଲା ବିଚାରଧୀନ ରହିଛି।
ବଦଳୁଛି କଳିଙ୍ଗ ଷ୍ଟୁଡିଓ
୨୧ ବର୍ଷ ପରେ ମୁଖ୍ୟସ୍ରୋତକୁ ଫେରିଛି କଳିଙ୍ଗ ଷ୍ଟୁଡିଓ। ପରିତ୍ୟକ୍ତ ହୋଇ ପଡ଼ିଥିବା ଏହି ଷ୍ଟୁଡିଓ କିନ୍ତୁ କରୋନା ସମୟରେ ଅଣ୍ଟା ସଳଖିଛି। କଳିଙ୍ଗ ଷ୍ଟୁଡିଓର କଳେବଳ ବଦଳୁଥିବା ବେଳେ ଏବେ ମାସକୁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଧ୍ବ ଟଙ୍କାର ଆୟ ବି ବାହାରୁଛି। କରୋନା ସମୟରେ ଦୁଇ ଘରୋଇ ଟିଭି ଚ୍ୟାନେଲ୍ ସୁଟିଂ ପାଇଁ ଷ୍ଟୁଡିଓର ୨ଟି ଫ୍ଲୋର୍ ଭଡ଼ା ଲାଗିଥିବା ବେଳେ ଆଉ ଏକ ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ଜମିଦାର ଘର ଓ ଭିଲେଜ୍ କମ୍ପ୍ଲେକ୍ସର କିଛି ଅଂଶ ବି ନେଇଥିଲା। ଫଳରେ ଏକଦମ ଶୂନକୁ ଖସି ଆସିଥିବା ଷ୍ଟୁଡିଓର ଆୟ ଏବେ ମାସିକ ୫ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଏଥିସହ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି। ୨୨ ଏକର ପରିମିତ ଅଞ୍ଚଳକୁ ଷ୍ଟୁଡିଓକୁ ସଂପ୍ରସାରିତ କରାଯାଉଛି। ଏଥିସହ ଫିଲ୍ମ ସିଟି ଢାଞ୍ଚାରେ ଷ୍ଟୁଡିଓ ପରିସରକୁ ସଜାଯାଉଛି। ଏନେଇ ପ୍ରଥମ ପର୍ଯ୍ୟାୟରେ ୨ କୋଟି ଟଙ୍କାର ଅର୍ଥ ଯୋଗାଇ ଦିଆଯାଇଛି। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (ଓଏସ୍ଆଇସି) ଏବଂ ଆର୍ଆଣ୍ଡବି ପକ୍ଷରୁ କାମ ଚାଲିଛି।
ଲକ୍ଡାଉନ୍ରେ ଲାକ୍ଡାଉନ୍ ହୋଇଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟଚାର୍ଯ୍ୟ। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇ (ଡ୍ୟାନି)ଙ୍କ ହାତ ଧରିଥିଲେ ଝିଲିକ୍। ମେ’ ମାସରେ ଦୁହେଁ ଚିଲିକା କୂଳସ୍ଥିତ ସ୍ବସ୍ତି ଚିଲିକା ରିସର୍ଟରେ ବିବାହ କରିଥିଲେ। ହିନ୍ଦୁ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା। ଏହି ବାହାଘରରେ ବିଧାୟକଙ୍କ ବାପା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ମା’ ପ୍ରତିମା ଘଡ଼ାଇ, ମାମୁ ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ମାଇଁ, ବଡ଼ମାମୁ, ପୂର୍ବତନ କାଉନସିଲର ଉଷାରାଣୀ ସାମଲ, ଦେବେନ୍ଦ୍ର ସାମଲ(ବିଟୁ), ବାବୁଲି ବୋଇତାଇ ଏବଂ କୋଲକାତାରୁ ଆସିଥିବା ଝିଲିକଙ୍କ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପାଖାପାଖି ୧୫୦ ଜଣ ଆତ୍ମୀୟସ୍ବଜନ, ବନ୍ଧୁ, ପରିବାରବର୍ଗ ଏଥିରେ ଯୋଗ ଦେଇଥିଲେ। ଏଥିସହ ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ମଧ୍ୟ ସୌମ୍ୟରଞ୍ଜନ ଶତପଥୀଙ୍କୁ ବିବାହ କରିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ହୋଟେଲ୍ରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।