ମିଳିତ ପୁଲିସ ସେବା ପରୀକ୍ଷା ୧୧ରେ

ବାରମ୍ବାର ତ୍ରୁଟି; ତୃତୀୟ ଥର ପାଇଁ ହେବ

କଟକ : ଆସନ୍ତା ‌୧୧ ତାରିଖରେ ଓଡ଼ିଶା ମିଳିତ ପୁଲିସ ସେବା ପରୀକ୍ଷା (ସିପିଏସଇ)୨୦୧୮ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ରାଜ୍ୟର ୩୨ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେଦିନ ପୂର୍ବାହ୍ନ ୧୦ଟାରୁ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଗତ ଅଗଷ୍ଟ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି ଓ ସର୍ଭର ସମସ୍ୟା ‌ଯୋଗୁଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇ ପାରି ନଥିଲା। ପରେ ଏହାକୁ ବାତିଲ କରାଯାଇଥିଲା। ଏବେ ତୃତୀୟଥର ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ମଧ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ଦେଖା ଦେଇଥିଲା।

ତଥ୍ୟ ମୁତାବକ, ଗତ ମିଳିତ ପୁଲିସ ସେବା ପରୀକ୍ଷା ପାଇଁ ଗତ ୨୦୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୁଲିସ ସବ୍ ଇନସପେକ୍ଟର ନିଯୁକ୍ତି ପାଇଁ ଏହି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା। ତେବେ ବିଭିନ୍ନ କାରଣରୁ ଏହି ପରୀକ୍ଷା ଅନୁଷ୍ଠିତ ହୋଇପାରିନଥିଲା। ଅର୍ଥାତ୍‌ ୪ ବର୍ଷ ପରେ ଏହି ପରୀକ୍ଷା ପରିଚାଳନା ଭାର ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ନେଇଥିଲା। ମାତ୍ର, ବୋର୍ଡ ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପରିଚାଳନା ଭାର ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲା। ଘରୋଇ ସଂସ୍ଥ‌ା ଏହାର ପରିଚାଳନା କରିଥିଲା। ବାରମ୍ବାର ଏକ ନିର୍ଦିଷ୍ଟ ପରୀକ୍ଷା‌ରେ ତ୍ରୁଟି ଯୋଗୁଁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରଥମ ପରୀକ୍ଷା ଜୁଲାଇ ୨ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ରରେ ତ୍ରୁଟି ଥିବାରୁ ଏହାକୁ ବାତିଲ କରାଯାଇଥିଲା। ପରେ ଅଗଷ୍ଟ ୨୦ କୁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଥିଲା। ‌ପ୍ରଶ୍ନ ଉଠୁଛି ବିଜ୍ଞପ୍ତିର ୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାରେ ବାରମ୍ବାର ତ୍ରୁଟି ଆଶାୟୀଙ୍କୁ ନିରାଶ କରିଛି।

ସମ୍ବନ୍ଧିତ ଖବର