ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ ସିଆର୍‌ପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ମାଓବାଦୀ ସନ୍ଦେହରେ ୧୧ ଜଣଙ୍କୁ ସନ୍ଦେହଜନକ ଭାବେ କାବୁ କରାଯାଇଥିଲା। ସେମାନଙ୍କ ପାଖରୁ ପୁଲିସ ୪ଟି ଦେଶୀବନ୍ଧୁକ, ୩ଟି ଟାଙ୍ଗିଆ, ଗୋଟିଏ କଟୁରି, ରଞ୍ଜକ, ହେଡ଼ ଟର୍ଚ୍ଚଲାଇଟ୍‌, ଥାଳି ଓ ୨ଟି ମୋବାଇଲ ଜବତ କରିଥିଲା। ତେବେ ମାଓ କାର୍ଯ୍ୟକଳାପରେ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ନମିଳିବାରୁ ୧୧ ଜଣ ଅଟକଙ୍କୁ ଛାଡ଼ିଦିଆଯାଇଥିବା କୋଟଗଡ଼ ଥାନାଧିକାରୀ ଓମ୍‌ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Advertisment

publive-image

ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୮ଟାରେ କୋଟଗଡ଼ରେ ନିୟୋଜିତ ସିଆର୍‌ପିଏଫ୍ ଯବାନ ଦୈନିକ ରୁଟିନ୍ ଅନୁସାରେ ମାଦାଗୁଡା ପଞ୍ଚାୟତର ଝରିଘାଟି ଗାଁ ନିକଟସ୍ଥ ବୁଢ଼ା ପାହାଡ଼ରେ କମ୍ବିଂ ଅପରେସନ୍ ଜାରି ରଖିଥିଲେ। ଏହିସମୟରେ ଦେଶୀବନ୍ଧୁକ ଧରିଥିବା କିଛିଲୋକ ସେମାନଙ୍କୁ ଦେଖି ଦୌଡ଼ିଥିଲେ। ଯବାନମାନେ ୧୧ ଜଣଙ୍କୁ କାବୁ କରିବା ସହ ସେମାନଙ୍କଠୁ ୪ଟି ଦେଶୀବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ମାଓପ୍ରବଣ ଇଲାକା ହୋଇଥିବାରୁ ସେମାନେ ଜଙ୍ଗଲରେ କାହିଁକି ବନ୍ଧୁକ ଧରି ବୁଲୁଥିଲେ, କେଉଁ ପରିସ୍ଥିତିରେ ଘଞ୍ଚ ଜଙ୍ଗଲରେ ଥିଲେ ଏବଂ ମାଓ ସଙ୍ଗଠନ ସହ ସେମାନଙ୍କର କିଛି ଲିଙ୍କ୍ ରହିଛି କି, ସେନେଇ ଖୋଳତାଡ଼ କରାଯାଇଥିଲା। ତେବେ, ଜୀବନଜୀବିକା ପାଇଁ ସେମାନେ ଜଙ୍ଗଲକୁ ଯାଇଥିବା ସହ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକ ହୋଇଥିବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।