ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଯବାନ, ପ୍ରତିକୂଳ ପରିସ୍ଥିତିରେ ବି କମ୍ବିଂ ଅପରେସନ ଜାରି

ମାଲକାନଗିରି: ଯବାନ ପ୍ରତିକୂଳ ପରିସ୍ଥିତିରେ ବି କମ୍ବିଂ ଅପରେସନକୁ ଜାରି ରଖିଥାନ୍ତି। ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସୁରକ୍ଷା କରିବାରେ ପଛାଇ ନଥାନ୍ତି। ଏଭଳି ଏକ ଦୃଶ୍ୟ ପଡୋଶୀ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ସମେତ ଡିଆରଜି ଯବାନ ଏବଂ ଏସଟିଏଫ ଯବାନ ଜଂଗଲରେ ପଶିଥିଲେ। ତେବେ ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଯବାନ ଧର୍ଯ୍ୟ ହରା ହୋଇନଥିଲେ।

ଲଗାଣ ବର୍ଷା ଯୋଗୁଁ ପାହାଡିଆ ନଦୀଗୁଡିକରେ କ୍ଷୀପ୍ର ଗତିରେ ପାଣି ପ୍ରବାହିତ ହେଉଥିବା ବେଳେ ଯବାନମାନେ ନିଜ ନିଜ ମଧ୍ୟରେ ମାନବ ଶୃଙ୍ଖଳ ତିଆରି କରି ଏହି ପାହାଡିଆ ନଦୀକୁ ପାର କରୁଥିବାର ଦୃଶ୍ୟ ଏବେ ବେଶେ ଭାଇରାଲ ହୋଇଛି। ଏହି ସମୟରେ ନକ୍ସଲ ହମଲାର ଆଶଂକା ରହିଥିଲେ ମଧ୍ୟ ଯବାନ ନିଜ ଜୀବନକୁ ବିପଦରେ ପକାଇ ନଦୀ ପାର କରୁଥିବା ଦେଖିବାକୁ ମିଳିଛି। ଏଥିରେ କିଛି ମହିଳା ଯବାନ ମଧ୍ୟ ରହିଥିଲେ। ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ବେଳେ ଯବାନଙ୍କୁ ଦେଖି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

ଡିଆରଜି ଯବାନଙ୍କ କହିବା ହେଲା ସରକାରଙ୍କ ନିର୍ଦେଶ ମାନି ଆମକୁ ଅପରେସନକୁ ଯିବାକୁ ପଡିଥାଏ। ବର୍ଷା ହେଉ ବା ଟାଣ ଖରା ଜଂଗଲରେ ରାତି କଟାଇବା ସହ ଦିନେ କିମ୍ବା ଦୁଇ ଦିନ ରହିବାକୁ ପଡେ।ନିଜ ପାଖରେ ଥିବା ଶୁଖିଲା ଖାଦ୍ୟକୁ ଖାଇ ଜୀବନ ବଞ୍ଚାଇବାକୁ ପଡେ। କୌଣସି ମୁହର୍ତ୍ତରେ ମଧ୍ୟ ନକ୍ସଲ ହମଲାର ଆଶଂକା ରହିଥିବାରୁ ସବୁବେଳେ ସତର୍କ ରହିବାକୁ ପଡେ ବୋଲି ଯବାନ କହନ୍ତି। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ନକ୍ସଲଙ୍କ ଗତିବିଧି ସଂପର୍କରେ ସୂଚନା ମିଳିବା ମାତ୍ରେ ଆମେ ଜଂଗଲରେ ସର୍ଚ୍ଚ ଅପରେସନ ଜୋରଦାର କରୁ ବୋଲି ଅନ୍ୟ ଜଣେ ଏସଟିଏଫ ଯବାନ କହନ୍ତି। ଯେତେ କଷ୍ଟ ହେଲେ ମଧ୍ୟ ଲୋକଙ୍କ ସୁରକ୍ଷା ଆମ ହାତରେ ରହିଛି। ତେଣୁ ରାସ୍ତାରେ ପଡୁଥିବା ପାହାଡ ପର୍ବତ ଚଢିବା ସହ ନଦୀ ନାଳକୁ ମଧ୍ୟ ପାର କରିବାକୁ ପଡିବ।

ତେବେ ଏନେଇ ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି ଯେ ଦନ୍ତେଵାଡାରେ ଯବାନ ବହୁତ ଭଲ କାମ କରୁଛନ୍ତି।ଯାହାଫଳରେ ଜିଲ୍ଲାରେ ୩୦୦ରୁ ଉର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ବହୁ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ଯବାନଙ୍କ ଏହି ଅବଦାନକୁ ସେ ଭୃୟସୀ ପ୍ରଶଂସା କରିଥିଲେ। ଯବାନ ଭରା ନଦୀ ପାର ହେଉଥିବା ଦୃଶ୍ୟ ଭାଇରାଲ ହେବା ପରେ ସାଧାରଣରେ ମଧ୍ୟ ଯବାନଙ୍କ ଅବଦାନକୁ ପ୍ରଶଂସା କରାଯାଇଛି। ଆସନ୍ତା ୨୮ ତାରଖ ଠାରୁ ନକ୍ସଲଙ୍କ ସହିଦ ସପ୍ତାହ ପାଳନ ହେଉଥିବାରୁ ଯବାନ କୁମ୍ବିଂକୁ ଜୋରଦାର କରୁଛନ୍ତି।କୌଣସି ଅଘଟଣକୁ ଏଡାଇବା ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ଏସପି କହନ୍ତି। ନକ୍ସଲ ଆଉ ଜିଲ୍ଲାରେ ଉପଦ୍ରବ ମଚାଇପାରିବେ ନାହିଁ, ତେଣୁ ତୁରନ୍ତ ଆତ୍ମସମର୍ପଣ କରି ନିଜର ବାକି ଜୀବନ ଖୁସିରେ କଟାନ୍ତୁ ବୋଲି ଏସପି ଶ୍ରୀ ପଲ୍ଲବ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର