ଫେରିବ ପୁରୁଣା ପାଠପଢ଼ା ଢାଞ୍ଚା! ସ୍କୁଲକୁ ଆସିବ ଅଙ୍ଗନବାଡ଼ି

ପ୍ରତିଷ୍ଠା ହେବ ସ୍କୁଲ କମ୍ପ୍ଲେକ୍ସ, ପିଲାଙ୍କୁ ଦିଆଯିବ ଜଳଖିଅ‌ା

ଭୁବନେଶ୍ବର: ସରକାରୀ ପ୍ରି-ସ୍କୁଲ ତଥା ଅଙ୍ଗନବାଡ଼ିଗୁଡ଼ିକ ଏଣିକି ବିଦ୍ୟାଳୟରେ ସାମିଲ ହେବ। ଗୋଟିଏ କ୍ୟାମ୍ପସ୍‌ରେ ଅଙ୍ଗନବାଡ଼ି ସହ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିବ। ପାଠପଢ଼ାର ପୁରୁଣା ଢାଞ୍ଚା ଫେରାଇ ଆଣିବାକୁ ଏପରି ଯୋଜନା ହୋଇଛି। ଗୋଟିଏ କ୍ୟାମ୍ପସ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ରହିବ। କୋଳାହଳମୟ ପରିବେଶ ମଧ୍ୟରେ ୩୦୦ରୁ ୪୦୦ ଛାତ୍ରଛାତ୍ରୀ ପଢ଼ିବେ। ଶିକ୍ଷାଦାନ ସହ ଖେଳକୁଦ ବ୍ୟବସ୍ଥା ଉପଲବ୍ଧ ହେବ, ଲାଇବ୍ରେରି ବି ପ୍ରତିଷ୍ଠା କରାଯିବ। ଶ୍ରେଣୀଗୁଡ଼ିକୁ ଏକତ୍ରିତ କରି ସ୍କୁଲ କମ୍ପ୍ଲେକ୍ସ କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଆସିବାକୁ ଥିବା ଜାତୀୟ ଶିକ୍ଷା ନୀତି-୨୦୧୯ରେ ଏନେଇ ପ୍ରସ୍ତାବ ରହିଛି। ଯାହାକୁ ଆଧାର କରି ମାନସମନ୍ଥନ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ।

ସମସ୍ୟା ହେଉଛି ଏଥିପାଇଁ ଅର୍ଥ ଆସିବ କେଉଁଠୁ? କେନ୍ଦ୍ର ସରକାର ଅର୍ଥ ଦେବେ ନା ରାଜ୍ୟ ଉପରେ ବୋଝ ପଡ଼ିବ। ନିଷ୍ପତ୍ତିକୁ ଚୂଡ଼ାନ୍ତ ମୋହର ଦେବା ପୂର୍ବରୁ ବ୍ୟାପକ ଆଲୋଚନା‌ ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା‌ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ସ୍କୁଲଗୁଡ଼ିକୁ ୪ଟି ପର୍ଯ୍ୟାୟରେ ବିଭକ୍ତ କରିବାକୁ ଯୋଜନା କରିଥିଲୁ। ପ୍ରଥମରୁ ଦଶମ, ପ୍ରଥମରୁ ଅଷ୍ଟମ, ଷଷ୍ଠରୁ ଦଶମ ଓ ପ୍ରଥମରୁ ପଞ୍ଚମ ଶ୍ରେଣୀ କରିବାକୁ ଲକ୍ଷ୍ୟ ରଖିଥିଲୁ। ତେବେ ଜାତୀୟ ଶିକ୍ଷା ନୀତି ପ୍ରସ୍ତାବ ଆସିବା ପରେ ଏବେ କିଭଳି ଅଧିକରୁ ଅଧିକ ବିଦ୍ୟାଳୟ ଗୋଟିଏ କ୍ୟାମ୍ପସରେ ପ୍ରଥମରୁ ଦଶମ ଶ୍ରେଣୀ ରହିବ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। କ୍ୟାମ୍ପସରେ ଯେମିତି ସ୍କୁଲ ପରିବେଶ ସୃଷ୍ଟି ହୋଇପାରିବ, ଗୋଟିଏ କ୍ୟାମ୍ପସରେ ୪୦୦ରୁ ୫୦୦ ପିଲା ପଢ଼ିବେ, ସେଥିପ୍ରତି ଧ୍ୟାନ ଦିଆଯାଉଛି। ଚଳିତବର୍ଷ ୧୦ରୁ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିବା ୯୬୬ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଆଗାମୀ ଦିନରେ ନିଷ୍ପତ୍ତିକୁ ଆହୁରି କଡ଼ାକଡ଼ି କରାଯିବ। ସେ ଆହୁରି କହିଛନ୍ତି ଯେ ପ୍ରି-ସ୍କୁଲ ତଥା ଅଙ୍ଗନବାଡ଼ି ସ୍କୁଲ ବ୍ୟବସ୍ଥାକୁ ଆସିବ। ଆଉ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ରହିବନି। ଏବେ ରାଜ୍ୟରେ ୭୦ ହଜାର ଅଙ୍ଗନବାଡ଼ି ରହିଛି। ସେଗୁଡ଼ିକ ଯଦି ସ୍କୁଲକୁ ଆସିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ବୋଝ ବଢ଼ିବ। ଅଧିକ ଶିକ୍ଷକ ନିଯୁକ୍ତି କଥା ଆସିବ। କିନ୍ତୁ ଏତେସଂଖ୍ୟାକ ଶିକ୍ଷକ ନିଯୁକ୍ତି ତ ଦିଆଯାଇପାରିବ ନାହିଁ। ତେଣୁ ଏବେ ଯେଉଁ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି, ସେମାନଙ୍କୁ ତାଲିମ୍‌ ଦିଆଯିବ। ଭବିଷ୍ୟତରେ ବି ଯେଉଁ ଅଙ୍ଗନବାଡ଼ି କର୍ମୀମାନେ ନିଯୁକ୍ତି ହେବେ, ସେମାନଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରାଯିବ। ପ୍ରି-ସ୍କୁଲ ପାଇଁ ଯେଉଁ ଯୋଗ୍ୟତା ଆବଶ୍ୟକ, ସେହି ଅନୁଯାୟୀ ଅଙ୍ଗନବାଡ଼ି କର୍ମୀ ଚୟନ ହେବେ। ସରକାରୀ ସ୍କୁଲରେ ଏବେ ମାଗଣା ମଧ୍ୟାହ୍ନଭୋଜନ ଦିଆଯାଉଛି। ଆଗକୁ ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି। ପିଲାମାନେ ସ୍କୁଲରେ ପହଞ୍ଚିବା କ୍ଷଣି ସେମାନଙ୍କୁ ସକାଳ ଜଳଖିଆ ମିଳିବ। ଆଉ ମଧ୍ୟାହ୍ନ ବେଳକୁ ମଧ୍ୟାହ୍ନଭୋଜନ ପୂର୍ବଭଳି ମିଳିବ। ଜଳଖିଆ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ। ଉକ୍ତ ଅର୍ଥ କେଉଁଠୁ ଆସିବ? କେନ୍ଦ୍ର ସରକାର ଦେବେ ନା ଆମେ ଦେବୁ, ତାହା ଉପରେ ଏବେ ଆଲୋଚନା ହେଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର