ମୋ ପାଖକୁ ଫେରିଆ, ନହଲେ ପ୍ରାଇଭେଟ୍‌ ଭିଡିଓ ଭାଇରାଲ୍‌ କରିଦେବି

ସମ୍ବଲପୁର: ମୋ ପାଖକୁ ଫେରିଆ, ନହଲେ ପ୍ରାଇଭେଟ୍‌ ଭିଡିଓ ଭାଇରାଲ୍‌ କରିଦେବି। ଏଭଳି କଥା ଆଉକେହି ନୁହେଁ ଜଣେ ଯୁବତୀଙ୍କ ସ୍ବାମୀ କହିଛନ୍ତି। ଯାହାକୁ ନେଇ ଯୁବତୀ ଜଣକ ଏବେ ମାନସିକ ଚାପଗ୍ରସ୍ତ ଅଛନ୍ତି। କୁଚିଣ୍ଡା ମହୁଲପାଲି ଥାନା ଅଧୀନ ଅଞ୍ଚଳର ଏହି ଯୁବତୀଙ୍କୁ ତାଙ୍କ ସ୍ବାମୀ ଅକଥନୀୟ ଅତ୍ୟାଚାର ମଧ୍ୟ ଦେଇଛନ୍ତି। ବିବାହ ପୂର୍ବରୁ ଅନ୍ତରଙ୍ଗ ମୂହର୍ତ୍ତର ଭିଡିଓ ଭାଇରାଲ୍‌ କରିବା ପରେ ଗାଁରେ ସମାଜ ବସି ଉଭୟଙ୍କୁ ବିବାହ କରାଇଥିଲେ। ବିବାହ କରିବା ପରେ ଯୁବକଙ୍କର ଦୌରାତ୍ମ୍ୟ ଆହୁରି ଅଧିକ ବୃଦ୍ଧି ପାଇଥିଲା।

ପୁଣିଥରେ ଯୁବକ ଜଣକ ଯୁବତୀଙ୍କ ଆପତ୍ତି ଜନକ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିବା ଆରମ୍ଭ କରିଥିଲା। ଏହା ସହିତ ଅକଥନୀୟ ନିର୍ଯାତନା ମଧ୍ୟ ଦେଉଥିଲା। ଶେଷରେ ଯୁବତୀ ଜଣକ ଲୁଚି ସମ୍ବଲପୁର ଫେରି ଆସିଛନ୍ତି। ଉକ୍ତ ଯୁବକ ଜଣକ ଏବେ ବାରମ୍ବାର ଧମକ ଦେଉଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀ ଜଣକ ରାଜି ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ତାପରେ ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ଯୁବତୀଙ୍କ ସହ ସବୁ ପ୍ରକାର ସମ୍ପର୍କ ରଖିବା ଆରମ୍ଭ କଲେ। ବାଧ୍ୟ କରି ଆପତ୍ତିଜନକ ଫୋଟ ଓ ଭିଡିଓ ଉଠାଇଲେ। କିଛି ଦିନ ପରେ ଯୁବତୀଙ୍କ ସେହି ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଦେଲେ। ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ ଯୁବତୀ ଜଣକ ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ।

ତାପରେ କଥା ଗାଁ ସଭାରେ ପଡ଼ିଲା, ବିବାହ ପାଇଁ ଉଭୟ ପରିବାର ରାଜି ହେଲେ। ୨୦୨୧ ମସିହା ମାର୍ଚ୍ଚରେ ଉଭୟେ ବିବାହ ମଧ୍ୟ କଲେ। ଚାକିରି କରିବା ପାଇଁ ବିବାହ ପରେ ଉଭୟେ ଦିଲ୍ଲୀ ଗଲେ। କିଛି ଦିନ ଏକାଠି ରହିବା ପରେ ଯୁବକ ଜଣକ ଯୁବତୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ପୁଣିଥିରେ ଯୁବତୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିବାରେ ଲାଗିଲେ। କେବଳ ସେତିକି ନୁହେଁ ବିଭିନ୍ନ ଖାରପ ଭିଡିଓ ଦେଖାଇ ସେ ସବୁ କରିବା ପାଇଁ କହୁଥିଲେ। ଯୁବତୀ ଜଣକ ମନା କଲେ ମାଡ଼ ମାରୁଥିଲେ।

ତାଙ୍କୁ ଘରୁ କେଉଁ ଆଡ଼େ ଛାଡ଼ୁ ନଥିଲେ। ବାହାରକୁ ଗଲେ ଯୁବତୀଙ୍କୁ ବାହାରପଟୁ କବାଟ ଦେଇ ଯୁବକ ଜଣକ ଯାଉଥିଲେ। ଗତ ମାସରେ ସୁଯୋଗ ପାଇ ଯୁବତୀ ଜଣକ ସେଠାରୁ ଖସି ଆସିବାରେ ସଫଳ ହେଲେ। ଟ୍ରେନ୍‌ରେ ଭୁବନେଶ୍ବର ଆସିବା ବେଳକୁ ପାଖରେ ଆଉ ଟଙ୍କା ଟିଏ ବି ନଥିଲା। ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ ତାଙ୍କର ଜଣେ ସମ୍ପର୍କୀୟ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଟଙ୍କା ଦେଇ ଘରକୁ ପଠାଇଥିଲେ। ଯୁବତୀ ଜଣକ ଏବେ ତାଙ୍କ ଘରେ ରହିଥିବା ବେଳେ ଯୁବକଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଛନ୍ତି। ଯୁବତୀ ଜଣକ ସେଠାରୁ ଖସି ଚାଲିଆସିବା ପରେ ବର୍ତ୍ତମାନ ଯୁବକ ଜଣକ ତାଙ୍କୁ ଫୋନ୍‌ କରି ଧମକ ଦେବା ଆରମ୍ଭ କରିଛନ୍ତି। ମୋ ପାଖକୁ ଫେରିଆସେ, ନହେଲେ ତୋର ସବୁ ପ୍ରାଇଭେଟ୍‌ ଭିଡିଓ ଭାଇରାଲ୍‌ କରିଦେବି ବୋଲି କହି ଯୁବକ ଜଣକ ବାରମ୍ବାର ଯୁବତୀଙ୍କୁ ଧମକ ଦେଉଥିବାରୁ ଯୁବତୀ ଜଣକ କ’ଣ କରିବେ କିଛି ସ୍ଥିର ମଧ୍ୟ କରିପାରୁ ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର