କୁଜଙ୍ଗ: ଯାତ୍ରା ଜଗତରେ କମେଡି କିଙ୍ଗ୍, ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକର ପଦୁ ମହାନ୍ତି, ବିଶିଷ୍ଟ ଅଭିନେତା ରବି ଶତପଥୀ (୬୫)ଙ୍କର ଆଜି ସନ୍ଧ୍ୟା ୭ଟା ୪୦ରେ ପରଲୋକ ଘଟିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅଗପାଳସ୍ଥିତ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ସେ ଗଲା ୬ମାସ ଧରି ଲିଭର୍‌ କ୍ୟାନସର୍‌ରେ ପୀଡ଼ିତ ଥିଲେ। ଶେଷ ଶଯ୍ୟା ନିକଟରେ ପତ୍ନୀ ବିଦୁଲତା, ୩ ପୁଅ ଓ ଝିଅ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ବେଳେ ବଡ଼ ପୁଅ ସୂର୍ଯ୍ୟାଂଶୁ ଶତପଥୀ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ, ସରପ‌ଞ୍ଚ ବିପିନ ବିଶ୍ବାଳ, ବିଜେଡି ନେତା ଅରୁଣ ବେହେରା, ସୁକାନ୍ତ ମୁଦୁଲି, ଦିଲ୍ଲୀପ ମହାପାତ୍ର, ନିରଞ୍ଜନ ପ୍ରଧାନ, ଇଂ. ଲଳିତ ବସ୍ତିଆ ଓ ନକୁଳ ବେହେରା ପ୍ରମୁଖ ଶେଷଦର୍ଶନ କରିବା ସହ ଶୋକବ୍ୟକ୍ତ କରିଛନ୍ତି।

Advertisment

‘ଜନତା ଗଣନାଟ୍ୟ’ରେ ‘ଶାଗୁଣା ବସିଛି ଡେଣା ମେଲାଇ’ ନାଟକରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରିଥିବା ଏହି କଳାକାରଙ୍କ ସଂଳାପ ଏବେ ବି ଚର୍ଚ୍ଚିତ ରହି ଆସିଛି। ନବେ ଦଶକରେ ଏହି ନାଟକର ଏକ ଲକ୍ଷ କ୍ୟାସେଟ୍ ବିକ୍ରି ହୋଇ ରେକର୍ଡ କରିଥିବା ବେଳେ ସହ-କଳାକାର ମହେନ୍ଦ୍ର ଦାସ ଭିକୁ ସେଠ୍‌ଙ୍କ ସହ ତାଙ୍କ ଆକର୍ଷଣୀୟ ଅଭିନୟ ଆଜି ବି ରାଜ୍ୟବାସୀ ଭୁଲିପାରି ନାହାନ୍ତି। ‘ଠାକୁରାଣୀ ଅପେରା’ରୁ ୮୦ ଦଶକରେ ନିଜର ଅଭିନୟ ଆରମ୍ଭ କରି ରବି ଶତପଥୀ ପରବର୍ତ୍ତୀ ସମୟରେ ତୁଳସୀ, ପାର୍ବତୀ, ଗୌରୀ, ସ୍ବର୍ଣ୍ଣମହଲ, ମାୟାନଗରୀ ପ୍ରଭୃତି ୧୫ରୁ ଅଧିକ ଯାତ୍ରା ପାର୍ଟିରେ ଅଭିନୟ କରିଥିଲେ। ଗଲା ପାଞ୍ଚ‌ ଦଶନ୍ଧି ଧରି ହାସ୍ୟ ଓ ଚରିତ୍ର ଅଭିନୟରେ ରାଜ୍ୟବାସୀଙ୍କୁ ହସାଉଥିବା କଳାକାର ଯେ ଘରେ କମ୍ କଥା ହୁଅନ୍ତି ଏକଥା ହୁଏତ ବହୁତ କମ୍ ଲୋକେ ଜାଣିଥିବେ ବୋଲି ତାଙ୍କ ପତ୍ନୀ ବିଦୁଲତା ଶତପଥୀ କୁହନ୍ତି।

ଗତ ଦୁର୍ଗାପୂଜା ପୂର୍ବରୁ ଏହି ଶ୍ରୀ ଶତପଥୀଙ୍କୁ ଯାତ୍ରାଜଗତର ପ୍ରସିଦ୍ଧ ଖଳନାୟକ ଦୈତାରି ପଣ୍ତା, ରତି, ମିଟୁନା, ଜିତେନ୍ଦ୍ର ଦାସଙ୍କ ସହ ବହୁ ନିର୍ଦ୍ଦେଶକ ଦେଖା କରିବାକୁ ଆସିଥିଲେ।