କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ; ଆଗାମୀ ୧୫ ଦିନରୁ ୧ ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ ଏବଂ ଏ ପର୍ଯ୍ୟନ୍ତ ଆମେ ଏହାକୁ ସଫଳତା ସହିତ ପରିଚାଳନା କରି ଆସିଛୁ। ଆମର ଅନୁଭୂତିକୁ ଆଧାର କରି କୌଶଳର ପୁନଃନିର୍ଦ୍ଧାରଣ କରିବା ଦିଗରେ ଆଭିମୁଖ୍ୟ ପ୍ରସ୍ତୁତ କରିବାକୁ ହେବ। ବିମାନ ଓ ରେଳସେବା ଆରମ୍ଭ ହେବା ଦ୍ୱାରା ଆଗାମୀ ୧୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ସମୟ ଆମ ପାଇଁ ଅଧିକ ଆହ୍ଵାନମୂଳକ ହେବ। କିନ୍ତୁ ମାନବିକତାକୁ ଆଗରେ ରଖି ବୃତ୍ତିଗତଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଯେଉଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ଆରମ୍ଭ କରାଯାଇଛି। ତାହା ଭବିଷ୍ୟତର ଆହ୍ଵାନକୁ ସଫଳ ଭାବରେ ମୁକାବିଲା କରିବାରେ ବିଶେଷ ଭାବରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ  କୋଭିଡ-୧୯ ରୋଗ ନିୟନ୍ତ୍ରଣ ଏବଂ ବାତ୍ୟା ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ସଂକ୍ରମଣ ଯୋଗୁ ଗତ ୨ମାସ ହେଲା ଆମେ ଲକ୍‌ଡାଉନ୍‌ ପରିସ୍ଥିତିରେ ରହିଛୁ। ଏହି ୨ମାସ ମଧ୍ୟରେ ଆମେ ଅନେକ ଶିକ୍ଷାଲାଭ କରିଛୁ। ବୈଜ୍ଞାନିକ, ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ହାସଲ କରିଛୁ । ଏହି ଉପଲବ୍ଧିକୁ ଭିତ୍ତିକରି ଆମକୁ ଭବିଷ୍ୟତ ପାଇଁ କୌଶଳ ପୁନଃ ନିର୍ଦ୍ଧାଣ କରିବାକୁ ହେବ। ଯାହାଦ୍ୱାରା ଆମେ ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହିତ ଜୀବନଜୀବିକା ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣି ପାରିବା।

ଭାରତ ବିଶେଷକରି ଆମ ଓଡ଼ିଶାରେ କରୋନା ସଂକ୍ରମଣର ଗତି ସମ୍ପର୍କରେ ମିଳିଥିବା ଅନୁଭୂତି ଆମକୁ ଆଶା ଦେଖାଇଛି ଯେ କଡ଼ାକଡ଼ି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ଆମେ ଏହି ମହାମାରୀକୁ ସଫଳ ଭାବରେ ନିୟନ୍ତ୍ରଣ କରିପାରିବା। ଆମର ଅନୁଭୂତି କହୁଛି ଯେ ବିପଦସଂକୁଳ ଜନସାଧାରଣ,ବିଶେଷ କରି ବୟସ୍କ ଲୋକ ଏବଂ ଗୁରୁତର ରୋଗରେ ପୀଡିତ ଲୋକମାନଙ୍କର ଯତ୍ନ ଆବଶ୍ୟକ। ତେଣୁ ଏହି ସବୁ ବିଷୟକୁ ପ୍ରାଧାନ୍ୟ ଦେଇ ୧୫ଦିନ ବ୍ୟାପୀ ବ୍ୟାପକ ଜନସଚେତନ କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ସେ ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ ନୁହେଁ। ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା। ଏହା ହିଁ ଚଳିତ ସପ୍ତାହରେ ଆମ ପାଇଁ ଲକ୍ଷ୍ୟ।

କରୋନା ନିୟନ୍ତ୍ରଣ ପାଇଁ ଆଗ ଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତିବିଶେଷ ଏବଂ ବିପଦସଙ୍କୁଳ ଜନସାଧାରଣଙ୍କର ସଠିକ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ। ଦେଶରେ କରୋନା ଭୁତାଣୁ ପରୀକ୍ଷଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ଆଇସିଏମ୍‌ଆର ସୁପାରିଶ ଅନୁଯାୟୀ କରାଯାଇଛି। ସେହିପରି ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାିଛି। କୋଭିଡ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେ।

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡ଼ିକର ଭୂମିକା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଅସ୍ଥାୟୀ ଶିବିରଗୁଡ଼ିକ ରୋଗ ନିୟନ୍ତ୍ରଣ କ୍ଷେତ୍ରରେବହୁତ ଭଲ କାମ କରୁଛନ୍ତି। ରାଜ୍ୟରେ କରୋନା ପଜିଟିଭ କେସ୍‌ର ୯୫ପ୍ରତିଶତ କେବଳ ଏହି ସଙ୍ଗରୋଧ କେନ୍ଦ୍ରରୁ ହିଁ ମିଳିଛି।

ସମ୍ବନ୍ଧିତ ଖବର