ଭବାନୀପାଟଣା: ଆଉ କିଛିଦିନ ପରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଏଥି ପାଇଁ ପୁରପଲ୍ଲୀରେ ଧନୀଠୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସଜବାଜ ଆରମ୍ଭ କରିଦେଲେଣି। ଏପରିକି ଦାଦନ ଯାଉଥିବା ଶ୍ରମିକମାନେ ମଧ୍ୟ ନୂଆଁଖାଇକୁ ଧୁମ୍ଧାମ୍ରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାର ସୁଯୋଗ ନେଇ ଦାଦନ ସର୍ଦ୍ଦାରମାନେ ବଇନା (ଅଗ୍ରିମ) ଦେବାକୁ କଳାହାଣ୍ଡି ଜିଲ୍ଲାର ଗାଁ ଗାଁରେ ଡେରା ପକାଇଲେଣି।
କଳାହାଣ୍ଡିରୁ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଶ୍ରମିକମାନେ ନୂଆଁଖାଇ ପରେ ଯାଇଥାନ୍ତି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଗୋଆ, ଗୁଜରାଟ ସମେତ ବିଭିନ୍ନ ରାଜ୍ୟର ସହରଗୁଡ଼ିକୁ ପେଟପାଟଣା ପାଇଁ ଯାଇଥାନ୍ତି। ବର୍ଷତମାମ ଏମାନଙ୍କ ଘରେ ତାଲା ପଡୁଥିବା ବେଳେ ନୂଆଁଖାଇ ପାଇଁ ଫେରିଥାନ୍ତି। ଏହାର ସୁଯୋଗ ନେଇ ଦାଦନ ସର୍ଦ୍ଦାରମାନେ ପୁରୁଣା ଓ ନୂଆ ଶ୍ରମିକମାନଙ୍କୁ ବଇନା ଦେଇ ସଂରକ୍ଷିତ ରଖିବାକୁ ଗାଁ ଗାଁରେ ପହଞ୍ଚୁଛନ୍ତି। ଯିଏ ଥରେ ସର୍ଦ୍ଦାରଠୁ ବଇନା ଟଙ୍କା ଛିନିଲା (ଗ୍ରହଣ କଲା) ସେ ସେହି ସର୍ଦ୍ଦାର ପଠାଇବାକୁ ଥିବା ସ୍ଥାନକୁ ଯାଇ ଖଟିବାକୁ ବାଧ୍ୟ। ହେଲେ ନୂଆଁଖାଇ ପାଳନ ପାଇଁ ଗରିବ ଶ୍ରମିକମାନଙ୍କୁ ଟଙ୍କା ଦରକାର ହେଉଥିବାରୁ ସେମାନେ ବାଧ୍ୟ ହୋଇ ବଇନା ଗ୍ରହଣ କରୁଛନ୍ତି।
କଳାହାଣ୍ଡିରେ ୧୫% ଦାଦନ ସଂଖ୍ୟା ବୃଦ୍ଧି, ନିର୍ଯାତନା ବି ବଢ଼ିଛି
କୋଭିଡ୍ ବେଳେ ୬୦ ହଜାର ଫେରିଥିଲେ
ଫଳରେ ସର୍ଦ୍ଦାରମାନେ ଟଙ୍କା ଦେଇ ନୂଆଁଖାଇ ପରେ ଯିବାକୁ ଚୁକ୍ତି କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ଦଣ୍ଡପାଟ, ଗୋଲାମୁଣ୍ଡା ବ୍ଲକ୍, କୋକସରା, ଜୟପାଟଣା, ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଭବାନୀପାଟଣା, ନର୍ଲା, କେସିଙ୍ଗା ସମେତ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ରାଜ୍ୟ ବାହାରକୁ ଦାଦନ ଯାଇଥାନ୍ତି। ଜିଲ୍ଲାର ଧର୍ମଗଡ଼ ଦଣ୍ଡପାଟ ଅଞ୍ଚଳର ବେହେରାଗୁଡ଼ା ଗାଁରେ ଅନେକ ଲୋକଙ୍କ ଘରେ ବର୍ଷତମାମ ତାଲା ଝୁଲୁଥିବାବେଳେ କେବଳ ନୂଆଁଖାଇ କିଛିଦିନ ଘର ଖୋଲା ରହେ। ପରିବାରର ସମସ୍ତେ ଦାଦନ ଖଟିବାକୁ ଯାଉଥିବା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳେ। ଆସନ୍ତା ୨୮ ତାରିଖରେ ନୂଆଁଖାଇ ଥିବା ଯୋଗୁଁ ଶ୍ରମିକମାନେ ଘରମୁହାଁ ହେବାରେ ଲାଗିଛନ୍ତି।
କଳାହାଣ୍ଡିରେ ଦିନକୁ ଦିନ ଦାଦନ ସଂଖ୍ୟା ବୃଦ୍ଧି ପାଉଛି। କୋଭିଡ୍ ସମୟରେ ପ୍ରାୟ ୬୦ ହଜାର ଶ୍ରମିକ ନିଜ ଭିଟାମାଟିକୁ ଫେରିଥିଲେ। ବର୍ତ୍ତମାନ ଜିଲ୍ଲାରେ ଦାଦନ ସଂଖ୍ୟା ୧୫% ବୃଦ୍ଧି ପାଇଥିବା ଜଣାପଡ଼ିଛି। ସେହି ଅନୁପାତରେ ଦାଦନ ନିର୍ଯାତନା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ଉନ୍ନୟନମୂଳକ କାମରେ ନିୟୋଜିତ ଶ୍ରମିକମାନେ ସ୍ଥାନୀୟ ଠିକାଦାରଙ୍କ ଦ୍ବାରା ଶୋଷଣର ଶିକାର ହେବା ଓ ଠିକ୍ ସମୟରେ ପ୍ରାପ୍ୟ ପାଉନଥିବାରୁ ନିଜ ଭିଟାମାଟିରେ କାମ କରିବା ପରିବର୍ତ୍ତେ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ଉଚିତ ମନେ କରୁଛନ୍ତି। ଅନ୍ୟପକ୍ଷରେ ମନରେଗା ଯୋଜନା ଓ ଅନ୍ୟ ଯୋଜନାରେ ଠିକ୍ ଭାବରେ ପ୍ରାପ୍ୟ ପାଉନଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା କୁହାଯାଉଛି।