ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ  ପି ନଡ୍ଡା ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ନଡ୍ଡା ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଅପରାହ୍ଣରେ ଫେରିଯିବେ ବୋଲି ଜଣାପଡ଼ିଛି।

Advertisment

ଓଡ଼ିଶା ବିଜେପି ସଦସ୍ୟତା ଅଭିଯାନ ମାଧ୍ୟମରେ ୧କୋଟି ସଦସ୍ୟଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି।  କେଉଁ ପର୍ଯ୍ୟାୟରେ କିଭଳି କାର୍ଯ୍ୟକ୍ରମ କରାଯିବ ସେନେଇ ଶ୍ରୀ ନଡ୍ଡା ଆଲୋଚନା କରିବେ। ସେହିପରି ସଦସ୍ୟତା ଅଭିଯାନ ଶେଷ ହେବା ପରେ ସଙ୍ଗଠନ ସ୍ତରରେ ବ୍ୟାପକ ଅଦଳବଦଳ ହେବାକୁ ଥିବାରୁ ଏନେଇ ମଧ୍ୟ ଶ୍ରୀ ନଡ୍ଡା ମତାମତ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାରକୁ ୧୦୦ଦିନ ପୂରିଛି। ଏହି ସମୟରେ ଆରମ୍ଭ ହୋଇପାରିନଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିପରି ଶୀଘ୍ର ଆରମ୍ଭ ହେବ ଏବଂ ଦଳର ଆଗାମୀ ରଣନୀତି କ’ଣ ରହିବ ସେନେଇ ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ କରିବେ ଆଲୋଚନା
୧କୋଟି ସଦସ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନ୍ବିତ କରିବେ

ଦଳର ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି ଯେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀଙ୍କ ସହ ବୈଠକରେ ଯୋଗଦେବା ପୂର୍ବରୁ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ  ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ପାର୍ଟିର ସଦସ୍ୟତା ଅଭିଯାନ ସଂପର୍କରେ ଆଲୋଚନା କରିବେ। ଏଥିରେ ରାଜ୍ୟର ବିଭିନ୍ନ ଗୋଷ୍ଠୀ, ଅନୁଷ୍ଠାନ ଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ। 

ସୂଚନାଯୋଗ୍ୟ ଯେ ବିଜେପିର ସଦସ୍ୟତା ଅଭିଯାନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଥିବାବେଳେ ଅକ୍ଟୋବର ୧ରୁ ୧୫ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ହେବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ୬ବର୍ଷ ତଳେ ବିଜେପି ଏହି ସଦସ୍ୟତା ଅଭିଯାନରେ ରାଜ୍ୟରେ ୪୨ଲକ୍ଷ ସଦସ୍ୟଙ୍କୁ ସାମିଲ କରିଥିଲା। ଏବେ ରାଜ୍ୟରେ ବିଜେପି ସରକାର ହୋଇଥିବାରୁ ଏହା ୧କୋଟିରେ ପହଞ୍ଚିବ ବୋଲି ଦଳ ପକ୍ଷରୁ କୁହାଯାଇଛି।