ଆସୁଛି ପରୀକ୍ଷା ପେ’ ଚର୍ଚ୍ଚା ୨୦୨୧ : ଏଥର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କ ସହ ଆଲୋଚନା

ଭୁବନେଶ୍ବର : ଲଗାତାର ୪ର୍ଥ ବର୍ଷ ଲାଗି ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥର ଛାତ୍ରଛ‌ାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସହ ପ୍ରଧାନମନ୍ତ୍ରୀ ଅନ୍‌ଲାଇନ୍‌ରେ ଆଲୋଚନା କରିବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ ଆମର ସା‌ହସୀ ଯୋଦ୍ଧାମାନେ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଛନ୍ତି। ତେଣୁ ପ୍ରତିଥର ପରି ଏଥର ବି ପରୀକ୍ଷା ପେ’ ଚର୍ଚ୍ଚା ୨୦୨୧ ଆସୁଛି। ଚଳିତଥର ଏହା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌‌ରେ ହେବ ଏବଂ ସାରା ବିଶ୍ବର ଛାତ୍ରଛାତ୍ରୀଙ୍କ ଲାଗି ଉନ୍ମୁକ୍ତ ରହିବ। ଆସନ୍ତୁ ଚାପମୁକ୍ତ ହୋଇ ସମସ୍ତେ ପରୀକ୍ଷା ଦେବା। ଲୋକଙ୍କ ଚାହିଦାକୁ ନଜରରେ ରଖି ଏଥର କାର୍ଯ୍ୟକ୍ରମରେ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ। ଗମ୍ଭୀର ବିଷୟ ଉପରେ ମଜାଦାର ଆଲୋଚନା ହେବ। ତେଣୁ ସମସ୍ତେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ଫେବ୍ରୁଆରି ୧୬ରେ ପରୀକ୍ଷା ପେ’ ଚର୍ଚ୍ଚା-୧.୦ ନୂଆଦିଲ୍ଲୀର ତାଲାକୋଟ୍ରା ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା। ଏହାର ଦ୍ବିତୀୟ ସଂସ୍କରଣ ୨୦୧୯ ଜାନୁଆରି ୨୯ ଓ ତୃତୀୟ ସଂସ୍କରଣ ୨୦୨୦ ଜାନୁଆରି ୨୦ରେ ଉକ୍ତ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥର କରୋନା ସଂକ୍ରମଣ ଲାଗି ପରୀକ୍ଷା ବିଳମ୍ବିତ ହୋଇଥିବା ବେଳେ ପରୀକ୍ଷା ପେ’ ଚର୍ଚ୍ଚା ବି ବିଳମ୍ବରେ ହେବ। ଏନେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର