ଏସ୍‌ସିବି ପାଇଁ ଉପଦେଷ୍ଟା କମିଟି ଗଢ଼ିଲେ ନବୀନ : ବିଶ୍ୱସ୍ତରୀୟ ହେବ ଏସ୍‌ସିବି ମେଡିକାଲ୍‌ କଲେଜ

କମିଟିରେ ୧୦ଜଣ ପ୍ରଖ୍ୟାତ ଡାକ୍ତର ସାମିଲ, ସେମାନଙ୍କ ଭିତରୁ ୭ ଜଣ ପଦ୍ମ ପୁରସ୍କାର ପ୍ରାପ୍ତ

ଭୁବନେଶ୍ବର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସ୍‌ସିବି)କୁ ବିଶ୍ବସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବଛାବଛା ୧୦ ଜଣ ପ୍ରତିଷ୍ଠିତ ଡାକ୍ତରଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରିଛନ୍ତି। କମିଟିର ଆବାହକ ଭାବେ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) କାର୍ଯ୍ୟ କରିବେ। କମିଟିରେ ଥିବା ଡାକ୍ତରମାନଙ୍କ ମଧ୍ୟରୁ ୭ ଜଣ ପଦ୍ମ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ୪ ଜଣ ଏସ୍‌ସିବିର ଆଲୁମିନି ସାମିଲ ଅଛନ୍ତି। କଟକ ବଡ଼ ମେଡିକାଲକୁ ଏମ୍‌ସ୍‌ ପ୍ଲସ୍‌ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ କଣ କଣ ବ୍ୟବସ୍ଥା ଓ ସୁବିଧା ଉପଲବ୍ଧ କରାଯିବ ସେଥିପାଇଁ କମିଟି ସୁପାରିସ କରିବ। ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ରେ କଟକ ଏସ୍‌ସିବିକୁ ୩ ହଜାର ଶଯ୍ୟା ବିଶିଷ୍ଟ ଏମ୍‌ସ୍‌ ପ୍ଲସ୍‌ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ସରକାର ୧ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଆସନ୍ତା ଦୁଇବର୍ଷ ଭିତରେ ଏସ୍‌ସିବିକୁ ବିଶ୍ବସ୍ତରୀୟ ମେଡିକାଲରେ ରୂପାନ୍ତରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

କମିଟିରେ ସ୍ଥାନ ପାଇଥିବା ଡାକ୍ତରମାନେ ‌ହେଲେ: ଡା. ରମାକାନ୍ତ ପଣ୍ଡା, ଡା.ଦେବୀ ସେଟ୍ଟୀ, ଡା.କେ ଶ୍ରୀନାଥ ରେଡ୍ଡି, ଡା. ସୁବ୍ରତ ଆଚାର୍ଯ୍ୟ, ଡା. ମୁକୁତ୍‌ ମିଞ୍ଜ୍‌, ଡା. ଦିଗମ୍ବର ବେହେରା, ଡା. ରାଜନ୍‌ ବାଡ଼େ, ଡା. ଜଗତ୍‌ ନରୁଲା, ଡା. ଜି.ଏନ୍‌ ରାଓ ଓ ଡା.ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର।

ପ୍ରଖ୍ୟାତ ହୃଦରୋଗ ଶଲ୍ୟ ଚିକିତ୍ସକ ଏବଂ ଏସିଆନ୍ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପଦ୍ମଭୂଷଣ ଡା. ରମାକାନ୍ତ ପଣ୍ଡା ୨୦୦୨ରେ ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରିଥିଲେ। କରୋନାରୀ ବାଏପାସ୍‌ ସର୍ଜରିରେ ସିଦ୍ଧହସ୍ତ ଡା. ପଣ୍ଡାଙ୍କର ବିଶ୍ବସ୍ତରରେ ଖ୍ୟାତି ରହିଛି। ସେ ମଧ୍ୟ କଟକ ଏସ୍‌ସିବିର ଆଲୁମିନି ରହିଛନ୍ତି। ତାଙ୍କ ବ୍ୟତୀତ ନାରାୟଣ ହୃଦାଳୟ ଅଧ୍ୟକ୍ଷ ତଥା ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ମେଡିକାଲ୍‌ ବିଶ୍ବବିଦ୍ୟାଳୟ ଓ ଆମେରିକାର ମିନିସୋଟା ମେଡିକାଲ୍‌ ସ୍କୁଲରେ ପ୍ରଫେସର ଭାବେ କାର୍ଯ୍ୟରତ ଡା.ଦେବୀ ସେଟ୍ଟୀ ୨୦୦୩ରେ ପଦ୍ମ ପୁରସ୍କାର ଓ ୨୦୧୨ରେ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ୧୯୯୨ ମସିହାରେ ପ୍ରଥମ କରି ଡା.ସେଟ୍ଟୀ ‘ରୋନୀ’ ନାମକ ଜନୈକ ୯ ଦିନର ଶିଶୁର ହାର୍ଟ୍‌ ସର୍ଜରି କରି ସଫଳତା ପାଇଥିଲେ। ସେ ମଧ୍ୟ କୋଲକାତାରେ ନୋବେଲ୍‌ ବିଜୟିନୀ ମଦର୍ ଟେରେସାଙ୍କର ଅସ୍ତ୍ରୋପଚାର କରିଥିଲେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ୧ ହଜାର ଶଯ୍ୟା ବିଶିଷ୍ଟ ନାରାୟଣ ହୃଦାଳୟରେ ଦୈନିକ ୩୦ଟି ହାର୍ଟ୍ ସର୍ଜରି ହେଉଛି। ଡା.ସେଟ୍ଟୀଙ୍କୁ ମୁଖ୍ୟମନ୍ତ୍ରୀ ଏସ୍‌ସିବି ଉପଦେଷ୍ଟା କମିଟିରେ ସ୍ଥାନ ଦେଇଛନ୍ତି।

ସେହିପରି ପଦ୍ମଭୂଷଣ ଡା.କେ ଶ୍ରୀନାଥ ରେଡ୍ଡି ଜଣେ ହୃଦ୍‌ ରୋଗ ଚିକିତ୍ସକ ଭାବେ ଅନେକ ସୁଖ୍ୟାତି ଅର୍ଜନ କରିଛନ୍ତି। ଡା. ରେଡ୍ଡି ବର୍ତ୍ତମାନ ଜନସ୍ବାସ୍ଥ୍ୟ ଫାଉଣ୍ଡେସନ୍‌ର ସଭାପତି ଅଛନ୍ତି। କଟକ ଏସ୍‌ସିବିର ଆଲୁମିନି ତଥା ପଦ୍ମଶ୍ରୀ ଡା. ସୁବ୍ରତ ଆଚାର୍ଯ୍ୟ ୪୦ ବର୍ଷ ଧରି ଦିଲ୍ଲୀ ଏମ୍‌ସ୍‌ରେ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ୨୦୧୨ରେ ସେ ଭୁବନେଶ୍ବର ଏମ୍‌ସ୍‌ରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ପରେ ଦିଲ୍ଲୀ ଏମ୍‌ସ୍‌ରେ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଡା. ଆଚାର୍ଯ୍ୟ ପସନ୍ଦ କରିଥିଲେ। କମିଟିର ଅନ୍ୟଜଣେ ସଦସ୍ୟ ତଥା କିଡନି ପ୍ରତିରୋପଣରେ ସିଦ୍ଧହସ୍ତ ପଦ୍ମଶ୍ରୀ ଡା. ମୁକୁତ୍‌ ମିଞ୍ଜ୍‌ ଚଣ୍ଡିଗଡ଼ ସ୍ଥିତ ପିଜିଆଇ ହସ୍ପିଟାଲ୍‌ର ରେନାଲ୍‌ ଟ୍ରାନ୍‌ସ୍‌ପ୍ଲାଣ୍ଟ୍‌ ସର୍ଜରି ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଡା. ମିଞ୍ଜ୍‌ ପ୍ରାୟ ୩ ହଜାର ୫୦୦ ରୋଗୀଙ୍କର କିଡନି ପ୍ରତିରୋପଣ କରିବାରେ ସଫଳତା ପାଇଛନ୍ତି। ସେ ନରୱେ, ସ୍ବିଡେନ୍‌, ଜର୍ମାନ୍‌ ଓ ଆମେରିକାରୁ କାଡ଼ାଭାରିକ୍‌ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସ୍ବତନ୍ତ୍ର ତାଲିମ୍‌ ନେଇଛନ୍ତି।

ପୂର୍ବଭାରତରେ ଫୁସ୍‌ଫୁସ୍‌ କେମୋଥେରାପିରେ ପ୍ରଥମ ଡାକ୍ତର ଭାବେ ଜଣାଶୁଣା ତଥା ଇଣ୍ଡିଆନ୍‌ ଷ୍ଟଡି ଫର୍‌ ଦ ଷ୍ଟଡି ଅଫ୍‌ ଲଙ୍ଗ୍‌ କ୍ୟାନ୍‌ସର୍‌ ପ୍ରତିଷ୍ଠାନର ପ୍ରତିଷ୍ଠାତା ପଦ୍ମଶ୍ରୀ ପ୍ରଫେସର ଡା. ଦିଗମ୍ବର ବେହେରାଙ୍କୁ କମିଟିରେ ସାମିଲ କରାଯାଇଛି। କଟକ ଏସ୍‌ସିବିର ଆଲୁମିନି ଡା.ବେହେରା ବର୍ତ୍ତମାନ୍‌ ଇଣ୍ଡିଆନ୍‌ କଲେଜ୍‌ ଅଫ୍‌ ଫିଜିସିଆନ୍‌, ଇଣ୍ଟର୍‌ନ୍ୟାସନାଲ୍‌ କଲେଜ୍‌ ଅଫ୍‌ ଆଞ୍ଜିଓଲୋଜି, ଇଣ୍ଡିଆନ୍‌ ଚେଷ୍ଟ୍‌ ସୋସାଇଟି ଆଣ୍ଡ୍‌ ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଅଙ୍କୋଲୋଜିର ସଦସ୍ୟ ଅଛନ୍ତି। ସେହିପରି ଟାଟା କ୍ୟାନ୍‌ସର୍‌ ହସ୍ପିଟାଲରେ ଅଙ୍କୋଲୋଜି ବିଶେଷଜ୍ଞ ଭାବେ କାର୍ଯ୍ୟରତ ପଦ୍ମଶ୍ରୀ ଡା. ରାଜନ୍‌ ବାଡ଼େ ସ୍ତନ କର୍କଟରେ ପ୍ରଥମ ଗବେଷକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ମେଡିସିନ୍‌ ପ୍ରଫେସର୍‌ ଡା. ଜଗତ୍‌ ନରୁଲା, ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଜି.ଏନ୍‌ ରାଓ ଓ ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଡା.ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଉପଦେଷ୍ଟା କମିଟିରେ ସାମିଲ କରିଛନ୍ତି।

ସମ୍ବନ୍ଧିତ ଖବର