ବୈଷୟିକ ଶିକ୍ଷା ପାଇଁ ୨ଟି କମିଟି ଗଠିତ : କମିଟିର ରିପୋର୍ଟ ଆଧାରରେ ହେବ ପରୀକ୍ଷା, ୧୧ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ତତ୍ପରତା ପ୍ରକାଶ କରିଛି ବୈଷୟିକ ଶିକ୍ଷା ଓ ଲିମ ବିଭାଗ। ଜୁନ୍୧୭ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବାକୁ ଥିବାରୁ ଆହୁରି ପ୍ରାୟ ୪୦ ଦିନ ଧରି ପିଲାମାନଙ୍କୁ ଘରେ ରହିବାକୁ ପଡ଼ିବ। ଏହାଦ୍ବାରା ଇଞ୍ଜିନିୟରିଂ, ଏମ୍‌ବିଏ, ଏମସିଏ, ଡିପ୍ଲୋମା, ପଲିଟେକ୍ନିକ୍, ଆଇଟିଆଇ ପରି ବିଭିନ୍ନ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀ ବହୁ ପରିମାଣରେ ପ୍ରଭାବିତ ହେବେ। ତେଣୁ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଓ ପରୀକ୍ଷା କିଭଳି ପ୍ରଭାବିତ ନ ହେବ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ସ୍ଥିର କରିବା ପାଇଁ ଦୁଇଟି କମିଟି ଗଠନ କରାଯାଇଛି। ଯେଉଁଥିରେ ବୈଷୟିକ ଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ବିଶ୍ବବିଦ୍ୟାଳୟ ଓ କଲେଜର ଅଧିକାରୀମାନଙ୍କୁ ସାମିଲ କରାଯାଇଛି। ସେମାନଙ୍କ ରିପୋର୍ଟ ଆଧାରରେ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିସହ ବାକି ଥିବା ପରୀକ୍ଷା ପରିଚାଳନା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ।

ସୂଚନା ଅନୁଯାୟୀ, କୋଭିଡ୍୧୯କୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ଯେଉଁଥିପାଇଁ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ହୋଇପାରିନି କି ଫଳ ପ୍ରକାଶ ପାଇନି। ଯାହାକି ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତାହାକୁ ଦୃଷ୍ଟିରେ ରଖି ଲକ୍‌ଡ଼ାଉନ ସମୟରେ ଇଞ୍ଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଭଳି ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯିବ, ପରୀକ୍ଷା କରାଯିବ ଓ ଫଳ ପ୍ରକାଶ ପାଇବ, ସେଥିପାଇଁ ଏକ କମିଟି ଗଠନ କରାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି। ସେହିପରି ନୂତନ ଶିକ୍ଷାବର୍ଷ ଓ ଏକାଡେମିକ୍ସ କାର୍ଯ୍ୟକଳାପ କିଭଳି ଜାରି ରହିବ, ସେନେଇ ରୂପରେଖ ପ୍ରସ୍ତୁତ କରିବାକୁ ଆଉ ଏକ କମିଟି ଗଠନ ହୋଇଛି। ଦୁଇଟି ଯାକ କମିଟି ମେ’ ୧୧ ସୁଦ୍ଧା ସେମାନଙ୍କ ରିପୋର୍ଟ ପ୍ରଦାନ କରିବେ। ଉକ୍ତ ରିପୋର୍ଟ ଆଧାରରେ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଗତକାଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଭାଗୀୟ ଯୁଗ୍ମ ସଚିବ ଅଜୟ କୁମାର ନାୟକ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକଙ୍କୁ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ପ୍ରାୟ ୫୦ ଦିନ ହେବ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢ଼ା ହୋଇନାହିଁ। ତେଣୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଥିବା ଯନ୍ତ୍ରପାତି, କମ୍ପ୍ୟୁଟର ଆଦି ବନ୍ଦ ରହିଛି। ମଝିରେ ମଝିରେ ସେଗୁଡ଼ିକୁ ଚାଲୁ କରା ନ ଗଲେ ନଷ୍ଟ ହୋଇଯିବ। ତାହାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଏ ଦିଗରେ ପଦକ୍ଷେପ ନେବା ସହ ୩୦ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଆରମ୍ଭ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର