ବର୍ଷା ଓ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଆଡ଼କୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ୧୯ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ଓ ଏହାର ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ପାଗ ମେଘୁଆ ରହିବ। ୧୯ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହି ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଣୁ ୧୯ ଓ ୨୦ ତାରିଖରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ଅତିପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଥିବାରୁ ଆକସ୍ମିକ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର୍‌ (ଏସ୍‌ଆର୍‌ସି) ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି।

କେନ୍ଦ୍ରର ‌ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି ଯେ ଲଘୁଚାପର ପ୍ରଭାବ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୂତ ହେବ। ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିବାର ସମ୍ଭବାନା ଥିବାରୁ ବନ୍ୟା ପରିସ୍ଥିତି ବି ଉପୁଜିପାରେ। ୧୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ। ଏଣୁ ‌‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିନ୍ତୁ ୨୦ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିବ। ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀରେ ବି ପ୍ରବଳ ବର୍ଷା ହେବ। ୨୧ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷିବ। ଏନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ପ୍ରବଳ ବର୍ଷା ଯୋଗୁଁ କଚ୍ଚା ରାସ୍ତା ଓ ଘର ଭାଙ୍ଗିବା, ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ, ବନ୍ୟା ପରିସ୍ଥିତି ଉପୁଜିବା ସହ ତଳୁଆ ଅଞ୍ଚଳରେ ପାଣି ଜମି ରହିବାର ଆଶଙ୍କା ଥିବାରୁ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ବନ୍ଧିତ ଖବର