ବାସୁଦେବପୁର: ଗତ ପଞ୍ଚାୟତ ନିର୍ବାଚନରେ ପରାଜୟ ପାଇଁ ଟାହିଟାପରା ଘଟଣାରେ ସ୍ବାମୀ ତ ଆତ୍ମହତ୍ୟା କରିଥିଲେ। ଠିକ୍ ସେହଦିନ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପତ୍ନୀ ବି ଆଜି ଆଖି ବୁଜିଛନ୍ତି। ପୁଣି ଆଜି ହେଉଛି ସ୍ବାମୀଙ୍କ ଦଶାହ। ଅପମାନବୋଧ ପାଇଁ ଦୁଇଟି ଜୀବନ ଚାଲିଯିବା ଘଟଣା ଜନମାନସରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଗତ ୧୩ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ସେହି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ ବିଜେଡିର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦ୍ମପୁର ବଜାରରୁ ଶୋଭାଯାତ୍ରା ବାହାରି ବଡ଼ଅଗାପୁର ଗାଁ ପର୍ଯ୍ୟନ୍ତ ଯାଇଥିଲା। ନିର୍ବାଚନରେ ହାରିଥିବା ସମିତି ସଭ୍ୟା ପ୍ରାର୍ଥୀ ସୁମତୀ ପରିଡ଼ାଙ୍କ ଘର ଆଗରେ ଶୋଭାଯାତ୍ରା ଯାଉଥିବାବେଳେ ସୁମତୀଙ୍କ ସ୍ବାମୀ ରମାକାନ୍ତ ପରିଡ଼ା ଘର ଆଗରେ ଛିଡ଼ା ହୋଇଥିଲେ। ରମାକାନ୍ତଙ୍କୁ ଦେଖି ଶୋଭାଯାତ୍ରାରେ ଯାଉଥିବା ସମର୍ଥକମାନେ ଟାହିଟାପରା କରିବା ସହ ଗଳାଧକ୍କା ମାରିଥିଲେ।
ଘଟଣାରେ ରମାକାନ୍ତ ଅପମାନବୋଧ କରିବା ସହ ଘରକୁ ଯାଇ ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ବାମୀଙ୍କ ଅବସ୍ଥା ଦେଖି ସ୍ତ୍ରୀ ସୁମତୀ ମଧ୍ୟ ବିଷ ପିଇ ଦେଇଥିଲେ। ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ, ଆଜି ସ୍ବାମୀଙ୍କ ଦଶାହରେ ସୁମତୀ ମଧ୍ୟ ଆଖି ବୁଜି ଦେଇଛନ୍ତି। ଖବର ପ୍ରଚାରିତ ହେବା ପରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପରିବାର ଲୋକ ବି ହତବାକ୍ ହୋଇଯାଇଛନ୍ତି। ସେପଟେ ଘଟଣାରେ ପୁଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/564dag654dga65gddggd.jpg)