ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ: ୯୦%ରୁ ଅଧିକ ମାର୍କ ରଖିଛନ୍ତି ୪୦, ଏହି ୧୦ ଛାତ୍ରଛାତ୍ରୀ ରହିଛନ୍ତି ଶୀର୍ଷରେ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୭୪.୯୫ ପ୍ରତିଶତ ରହିଛି। ତେବେ ପୂର୍ବ ବର୍ଷ ଅପେକ୍ଷା ପାସ୍‌ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ତେବେ  ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ଟପ-୨ରେ ରହିଛନ୍ତି ନୟାଗଡ଼ ଏଚଏସ ସ୍କୁଲର ସୀତୁ ବେହେରା ଏବଂ ମନସ୍ବିତା ମହାନ୍ତି | ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ସେହିଭଳି ଟପ-୧୦ରେ ନିଜ ସ୍ଥାନ ବନାଇପାରିଛନ୍ତି ସରସ୍ବତୀ ବିଦ୍ୟା ମନ୍ଦିର ଏଚ ଏସ ସ୍କୁଲ, ବ୍ରହ୍ମପୁରର ରାହୁଲ ପ୍ରସନ୍ନ ସାହୁ, ରେଭେନ୍ସା ଏଚ ଏସ ସ୍କୁଲର ନିକୁଞ୍ଜ ଅଗ୍ରୱାଲ, କେନ୍ଦ୍ରାପଡା ଏଚ ଏସ ସ୍କୁଲର ସୁନୀଲ ପଣ୍ଡା, ବକ୍ସି ଜଗବନ୍ଧୁ ବିଦ୍ୟାଧର ଏଚ ଏସ ସ୍କୁଲର ଆଦ୍ୟାଶା ନନ୍ଦିନୀ, ନାଇସ ଏଚ ଏସ ସ୍କୁଲ ଅଫ କମର୍ସ, ବଲାଙ୍ଗୀରରୁ ରାମ ପ୍ରସାଦ ପାତ୍ର, ସରସ୍ବତୀ ବିଦ୍ୟା ମନ୍ଦିର ଏଚ ଏସ ସ୍କୁଲ, ବ୍ରହ୍ମପୁରର  ଏସ ସାଇ କ୍ରିଷ୍ଣ ପାତ୍ର, ବିକାଶ ଏଚ ଏସ ସ୍କୁଲ, ବରଗଡ଼ର ଶିଖର ଅଗ୍ରୱାଲ ଏବଂ ଖଲିକୋଟ ଏଚ ଏସ ସ୍କୁଲର ପି. ରାକେଶ |

ତେବେ ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୩୧୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି। ୧୨ ହଜାର ୨୧୫ ଜଣ ଛାତ୍ର ପାସ୍‌ କରିଥିବା ବେଳେ ସେମାନଙ୍କ ପାସ୍‌ ହାର ୭୩.୩୭ ପ୍ରତିଶତ ରହିଛି। ସେହିପରି ୭ହଜାର ୧୦୩ଜଣ ଛାତ୍ରୀଙ୍କ ପାସ୍‌ କରିଥିବା ବେଳେ ସେମାନଙ୍କ ପାସ୍‌ ହାର ୭୭.୮ ପ୍ରତିଶତ ରହିଛିି।୪୦ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪, ୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ତେବେ ନୟାଗଡ଼ରେ ସର୍ବାଧିକ ପାସ୍‌ ହାର ୮୮.୭୦ ପ୍ରତିଶତ ରହିଥିବା ବେଳେ ସର୍ବନିମ୍ନ ପାସ୍‌ ହାର ୩୪.୧୭ ପ୍ରତିଶତ ଦେବଗଡ଼ରେ ରହିଛି। ୨୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀ ଶହେ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପାସ୍‌ କରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର