ଜୀବିକା ପାଇଁ କୋହଳ ହେଲା ନିୟମ; ଖୋଲିବ ଦୋକାନବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିଳ୍ପ

ଭୁବନେଶ୍ୱର:  ଅଗଷ୍ଟ ମାସ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କ‌ରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଛନ୍ତି। ଅଗଷ୍ଟ ମାସରେ ରାଜ୍ୟ ସରକାର ଜୀବନ ସହ  ଜୀବିକା ଉପରେ ଗୁରୁତ୍ବ ଦେଇ ବହୁ କଟକଣା କୋହଳ କରିଛନ୍ତି। ଏଥିସହ ମୁଖ୍ୟ ସଚିବ କହିଛନ୍ତି, ‘ଆମକୁ ଅର୍ଥନୀତି ଇଂଜିନ ଚଳାଇବାକୁ ପଡ଼ିବ। ଜୀବନ-ବୀବିକା ପନ୍ଥା ଉପରେ ଗୁରୁତ୍ବ ଦେବାକୁ ହେବ। ଏଥିଲାଗି କଟକଣା କୋହଳ କରିବାକୁ ପଡ଼ିବ।’ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ୍ ଅନୁସାରେ ସମସ୍ତ ଦୋକାନ ବଜାର ଖୋଲିବ, ବ୍ୟାବସାୟିକ ଅନୁଷ୍ଠାନ କାର୍ଯ୍ୟ କରିବ, ଶିଳ୍ପ ଅନୁଷ୍ଠାନ ଚାଲିବ।  ଫଳରେ ଆସନ୍ତାକାଲି ଠାରୁ ଅଗଷ୍ଟ ୩୧ ଯାଏଁ କୋଭିଡ ଗାଇଡଲାଇନ ପାଳନ ସହ ଦୋକାନ ବଜାର ଖୋଲିବ । ଦୋକାନ ବଜାର ଖୋଲିବା ଦ୍ୱାରା  ଆର୍ଥିକ କାରବାର ହୋଇ ପାରିବ । ସେହିଭଳି ଗ୍ରାହକମାନେ ମଧ୍ୟ ଜିନିଷପତ୍ର ପାଇବା ପାଇଁ ଆଉ ପୂର୍ବ ଭଳି ହଇରାଣ ହେବ ନାହିଁ ।

ରାଜ୍ୟ ସରକାର ଆଜି ଅଗଷ୍ଟ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଆଜି କହିଛନ୍ତି, ବ୍ୟବସାୟ ପ୍ରତିଷ୍ଠାନରେ କୋଭିଡ-୧୯ ଗାଇଡଲାଇନକୁ ଅଣଦେଖା କରାଯାଇପାରିବ ନାହିଁ ।  ସାମଜିକ ଦୂରତା ଅବଲମ୍ବନ ଓ  ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ । ସର୍ବସାଧାରଣ ସ୍ଥଳରେ ମାସ୍କକୁ ଭଲଭାବରେ ପିନ୍ଧିବାକୁ ପଡ଼ିବ । ଏଥି ସହିତ ଦୋକାନୀ ଗ୍ରାହକଙ୍କୁ ଅତିକମରେ ୬ ଫୁଟ ଦୂରତାରେ ରହିବାକୁ କହିବେ । ବ୍ୟାବସାୟିକ ପ୍ରତିଷ୍ଠାନ ଓ ଦୋକାନରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ସୁନିଶ୍ଚିତ ଭାବେ ସାମାଜିକ ଦୂରତା ରକ୍ଷାକରାଯିବ । ନିୟମ ପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଗଷ୍ଟ ୫ରୁ ଯୋଗ ଶିକ୍ଷାକେନ୍ଦ୍ର ଓ ଜିମ୍ ଖୋଲିବ। ସେହିପରି  ସେଲୁନ, ସ୍ପା, ବିଉଟି ପାର୍ଲର  କୋଭିଡ ଗାଇଡଲାଇନକୁ ପାଳନ କରି ଖୋଲିବ। ସେଲୁନରେ ଜଣେ ଗ୍ରାହକଙ୍କ ପାଇଁ ବ୍ୟବହାର ହେଉଥିବା ଉପକରଣ ପୂର୍ବରୁ ଓ ପରେ ସାନିଟାଇଜ ହେବ । ଅଗଷ୍ଟ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ କୌଣସି ସ୍ଥାନରେ ବହୁଲୋକ ଏକତ୍ର ରହିପାରିବେ ନାହିଁ।

ସମ୍ବନ୍ଧିତ ଖବର