ବାଣିଜ୍ୟକର ବିଭାଗର ଡାଟା ଏଣ୍ଟି୍ର ଅପରେଟରଙ୍କ ଚାକିରି ନିୟମିତ ପ୍ରସଂଗ : ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

କଟକ : ବାଣିଜ୍ୟ କର ବିଭାଗରେ ୨୦୦୫ରୁ ଠିକାରେ କାର୍ଯ୍ୟ କରୁଥିବା ଡାଟାଏଣ୍ଟି୍ର ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କ ଚାକିରି ନିୟମିତ ପ୍ରସଂଗରେ ୨୦୧୮, ମେ’ ୧୦ରେ ହାଇକୋର୍ଟ ପ୍ରଦାନ କରିଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାୟର କରଥିବା ଆବେଦନ ଖାରଜ ହୋଇଛି। ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟ କାଏମ ରହିଛି। ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଏସ୍‌.ଅବଦୁଲ ନାଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ଆବେଦନ ଖାରଜ କରିଛନ୍ତି। ଡାଟା ଏଣ୍ଟି୍ର ଅପରେଟରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୁରୁକ୍ରିଷ୍ଣ କୁମାର, ଭବାନୀ ଶଙ୍କର ତ୍ରିପାଠୀ ଓ ଅତୁଲ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ମାମଲାରୁ ବିବରଣୀରୁ ପ୍ରକାଶ ଯେ ୨୦୦୫ ଓ ଏହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗ ଭଳି ବାଣିଜ୍ୟକର ବିଭାଗରେ ଡାଟା ଏଣ୍ଟି୍ର ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପ୍ରଥମେ ନିର୍ଦ୍ଦିଷ୍ଟ ସଂସ୍ଥା ମାଧ୍ୟମରେ ଏପରି ଠିକା ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବିଭାଗ ସିଧା ସଳଖ ଡାଟା ଏଣ୍ଟି୍ର ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କୁ ନିଯୁକ୍ତି ଦେଇଥିଲା। ପ୍ରତିବର୍ଷ ସେମାନଙ୍କ ଚାକିରି ଚୁକ୍ତି ନବୀକରଣ କରାଯାଇଥିଲା। ୬ବର୍ଷରୁ ଅଧିକ ସମୟ ଧରି ଠିକାରେ କାର୍ଯ୍ୟ କରିଥିବା ଏପରି କର୍ମଚାରୀଙ୍କ ଚାକିରି ନିୟମିତ କରିବା ପାଇଁ ୨୦୧୩ରେ ସରକାର ନିୟମ ପ୍ରଣୟନ କରିଥିଲେ। କିନ୍ତୁ ଏହି ନିୟମ ଲାଗୁ କରିବାରେ ବାଣିଜ୍ୟକର ବିଭାଗ ଟାଳ ଟୁଳ ନୀତି ଅବଲମ୍ବନ କରିଥିଲା। ବାଣିଜ୍ୟକର ବିଭାଗର ବଡବିଲ ସର୍କଲରେ ଡାଟା ଏଣ୍ଟି୍ର ଅପରେଟର ଭାବେ କାର୍ଯ୍ୟ କରୁଥିବା ଯତିନ କୁମାର ଦାସ ଓ ଅନ୍ୟ ୭୪ ଜଣ ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରି ସ୍ୟାଟ୍‌ ୨୦୧୩, ସେପ୍ଟେମ୍ବର ୧୭ରୁ ଆବେଦନକାରୀଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ୟାଟ୍‌ଙ୍କ ୨୦୧୭, ମେ’ ୧୭ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଅର୍ଥ ସଚିବ ଓ ବାଣିଜ୍ୟକର କମିସନର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ କେ.ଆର୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏ ସଂପର୍କିତ ସରକାରଙ୍କ ଆବେଦନକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର