ମାଲକାନଗିରି: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ। ଏଥିରୁ ରାଜ୍ୟ ଓ ମାଲକାନଗିରି ଜିଲ୍ଲା ବାଦ ପଡ଼ି ନାହିଁ। ମାଲକାନଗିରି ଜିଲ୍ଲାରେ ନିର୍ବାଚନକୁ ନେଇ ନେତା ଓ ଅଭିନେତା ଯେତେ ତତ୍ପରତା ଦେଖାଉଛନ୍ତି। ସେହି ତୁଳନାରେ ଲୋକେ ମଧ୍ୟ କିଏ ଜିତିବ ଆଉ କିଏ ହାରିବ ସେନେଇ କଳ୍ପନା ଜଳ୍ପନା ଏବେ ଠାରୁ ଲଗାଉଛନ୍ତି। ସୋମବାର ମତଦାନ ଥିବା ବେଳେ ବିଭିନ୍ନ ଅଂଚଳରୁ ଲୋକେ ଘରବାହୁଡ଼ା ହେଉଛନ୍ତି। ଭୋଟ ଦେବା ପରେ ପୁଣି ନିଜର ଗନ୍ତବ୍ୟ ସ୍ଥଳକୁ ଚାଲିଯିବେ। କିନ୍ତୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଏଭଳି ଅଂଚଳ ରହିଛି ଯେଉଁଠି ନିର୍ବାଚନ କୌଣସି ଫରକ ପକାଏ ନାହିଁ।
ଏହି ନିର୍ବାଚନ ମଣ୍ଡଳୀର ମାଥିଲି ଏବଂ କୁଡୁମୁଲୁଗୁମ୍ମା ଅଂଚଳରେ ବହୁ ଆଦିବାସୀ ପରିବାର ପଥର ଫୁଟାଇ ନିଜର ଗୁଜରାଣ ମେଣ୍ଟାଉଛନ୍ତି। କାମଧନ୍ଦା ନମିଳିବାରୁ ନିକଟସ୍ଥ ଜଂଗଲରେ ପଥର ଫୁଟାଇ ତାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ନିର୍ବାଚନକୁ ନେଇ ଏମାନେ ଏତେ ସଜାଗ ନୁହନ୍ତି। ପ୍ରତି ୫ ବର୍ଷକୁ ଥରେ ନିର୍ବାଚନ ଆସେ ଓ ଚାଲିଯାଏ। କିନ୍ତୁ ଆମକୁ ପଥର ଫୁଟାଇଲେ ହିଁ ଚୁଲି ଜଣେ ବୋଲି ଏହି ପଥର ଫୁଟାଉଥିବା ଗରିବ ଆଦିବାସୀ ଲୋକେ କହନ୍ତି। ନେତା ଓ ମନ୍ତ୍ରୀ ଆସନ୍ତି ମିଥ୍ୟା ପ୍ରତିଶ୍ରୁତି ଦେଇ ପୁଣି ଚାଲିଯାନ୍ତି। ଆମେ ଏମିତି ବର୍ଷ ବର୍ଷ ଧରି ପଥର ଫୁଟାଇ ନିଜ ପିଲାଙ୍କ ପେଟରେ ଦାନା ଦେଉଛୁ ବୋଲି ଗ୍ରାମବାସୀ କହନ୍ତି। ଶିକ୍ଷା କଣ ଏମାନେ ଜାଣନ୍ତି ନାହିଁ।ନିଜର ସ୍ବଳ୍ପ ଜମିରେ ଧାନ, ମାଣ୍ଡିଆ, ସୁଆଁ ଆଦି ଚାଷ କରନ୍ତି। ଜଂଗଲରେ ପ୍ରତ୍ୟେକ ଋତୁରେ ମିଳୁଥିବା ଜଂଗଲଜାତ ଦ୍ରବ୍ୟକୁ ସଂଗ୍ରହ କରି ତାକୁ ବିକ୍ରି କରି ଚଳନ୍ତି। ଦିନ ତମାମ ପଥର ଫୁଟାଇବାରେ ସମୟ ଚାଲିଯାଉଥିବା ବେଳେ ଶିକ୍ଷା ଲାଭ କରିବା ଏବଂ ଭଲ ଘରଟିଏ କରିବା ଏମାନଙ୍କର ଭାଗ୍ୟରେ ଜୁଟେ ନାହିଁ। ଦିନସାରା ପଥର ଫୁଟାଇଲେ ମିଳୁଛି ମାତ୍ର ଶହେରୁ ଦେଢ ଶହ ଟଂକା।ସେତିକିରେ ପରିବାର ଚଳେ।
ଖରା, ଶୀତ ଓ ବର୍ଷା ଏମାନଙ୍କ ପାଇଁ ଏକାକାର।ସକାଳୁ ଜଂଗଲକୁ ଯାଇ ପଥର ଫୁଟାଇବା କାମ ଆରମ୍ଭ କରନ୍ତି ସଂଧ୍ୟା ହେଲେ ଘରକୁ ଫେରନ୍ତି। ନିର୍ବାଚନରେ ଭୋଟ ଦେବା ନଦେବା କୌଣସି ଫରକ ପଡେ ନାହିଁ। ଭୋଟ୍ ଦେଲେ କୌଣସି ଦଳ ସେମାନଙ୍କୁ ଘର ତୋଳି ଦେବ ନାହିଁ କି ପେଟ ପୁରା ଖାଦ୍ୟ ଯୋଗାଇ ଦେବ ନାହିଁ ବୋଲି ଯୁକ୍ତି ବାଢ଼ନ୍ତି।ପ୍ରତିବର୍ଷ ପରି ଏଥର ମଧ୍ୟ ନେତାମାନେ ଆସି ମିଥ୍ୟା ପ୍ରତିଶ୍ରୁତି ଦେଲେ। କିନ୍ତୁ ଆମେ ଏଥିରେ ପ୍ରଭାବିତ ନାହୁଁ ବୋଲି କହନ୍ତି। ବହୁ ପିଢି ଏହି କାମ କରିଆସୁଛୁ ଏବଂ କରିଚାଲିଥିବୁ। ତେଣୁ ନିର୍ବାଚନ ଆସିବ ଏବଂ ଯିବ। ଯଦି ନେତାମାନେ ଆମକୁ କାମଧନ୍ଦା ଯୋଗାଇ ଦେଇଥାନ୍ତେ ତେବେ ଆମେ ଏତେ କଷ୍ଟ କାମ କରିନଥାନ୍ତୁ ଏବଂ ଶିକ୍ଷା ଗ୍ରହଣ କରି ଭଲ କାମ କରିଥାନ୍ତୁ। ସରକାର କେବେ ଏମାନଙ୍କ ପ୍ରତି ସହୃଦୟ ହେବେ ଦେଖିବାକୁ ବାକି ରହିଲା।