ଏସ୍ଆଇଟି ତଦନ୍ତ କରିବାକୁ ଦାବି କଲା କଂଗ୍ରେସ
ନିଯୁକ୍ତିରେ ଦୁର୍ନୀତିର ସମ୍ଭାବନା ନାହିଁ: ମନ୍ତ୍ରୀ
ଭୁବନେଶ୍ବର : ଷ୍ଟାଫ୍ ସିଲେକ୍ସନ୍ କମିସନ୍ରେ ମହାଦୁର୍ନୀତିର ଆଭାସ ମିଳିଛି। ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ବିଶ୍ବାସ ତୁଟାଇ ଦେଇଛନ୍ତି ସରକାର। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଏକ ଫମ୍ପା ଘୋଷଣା ପାଲଟିଛି। କେବଳ ଜଣେ ପିଏସ୍ ଏକା ଦୁର୍ନୀତି କରିଥିବେ, ତାହା ଆଦୌ ବିଶ୍ବାସଯୋଗ୍ୟ ନୁହେଁ। କମିସନ୍ର ଅଧ୍ୟକ୍ଷ, ସଦସ୍ୟ ବି ଦୁର୍ନୀତିରେ ସଂପୃକ୍ତ ଥିବେ। ଏଠି ୫-ଟି ମନ୍ତ୍ର କୁଆଡ଼େ ଗଲା?
ଶନିବାର ଦିନ ବିଧାନସଭାରେ ଷ୍ଟାଫ୍ ସିଲେକ୍ସନ୍ କମିସନ୍ରେ ଦୁର୍ନୀତି ପ୍ରସଙ୍ଗରେ ହୋଇଥିବା ମୁଲତବୀ ଆଲୋଚନା ବେଳେ ଏମିତି ଗର୍ଜିଥିଲେ କଂଗ୍ରେସ ବିଧାୟକମାନେ। ପ୍ରଶାସନରେ ଦୁର୍ନୀତି ଚରିଯାଇଛି ବୋଲି ଆରୋପ ଲଗାଇଥିଲେ। ଦାବି କରିଥିଲେ, ତୁରନ୍ତ ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ବିଦା କରାଯାଉ। ଏସ୍ଆଇଟି ଗଠନ କରାଯାଇ ତଦନ୍ତ କରାଯାଉ।
ଶନିବାର କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବର ଶୀର୍ଷକ ଥିଲା ‘ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ରେ ହେଉଛି ମହାଦୁର୍ନୀତି। ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାରେ ସରକାର କୁନ୍ଥୁ କୁନ୍ଥୁ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଘୋଷଣା ପ୍ରହସନରେ ପରିଣତ।’ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଶାଣିତ ସମାଲୋଚନା କରିଥିଲେ। କହିଲେ ଯେ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେଲା ପରି ଅନୁଭବ ହେଉଛି। ମୁଖ୍ୟମନ୍ତ୍ରୀ ସବୁବେଳେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କଥା କହୁଛନ୍ତି। କିନ୍ତୁ ତାଙ୍କ ନିଜ ବିଭାଗରେ ଓଲଟା କାମ ହେଉଛି। ତାଙ୍କ ବିଭାଗ ଅଧୀନରେ ଥିବା ଷ୍ଟାଫ୍ ସିଲେକ୍ସନ୍ କମିସନ୍ରେ ଦୁର୍ନୀତି ହୋଇଛି। କେବଳ ଯେ ଜଣେ ପିଏସ୍ ଦୁର୍ନୀତି କରୁଥିଲେ ଓ ଏଥିରେ ଆଉ କେହି ସଂପୃକ୍ତ ନାହାନ୍ତି, ତାହା ବିଶ୍ବାସ କରିବା କଷ୍ଟ। ପିଏସ୍ ଯଦି ନିଯୁକ୍ତି ଦେବା ପାଇଁ ଟଙ୍କା ସଂଗ୍ରହ କରୁଥିଲେ, ତେବେ ତାହା ଦାୟିତ୍ବରେ ଥିବା ଅଧିକାରୀ ଜାଣିପାରିଲେ ନାହିଁ କେମିତି? ଏହା ଏକ ସ୍ବାଭାବିକ କଥା ଯେ ଜଣେ ବ୍ୟକ୍ତି ଯେତେବେଳେ ନିଯୁକ୍ତି ପାଇଁ ଲାଞ୍ଚ ଦେବ, ସେ ତାର କାମ ହେବା ନେଇ ସେତିକି ନିଶ୍ଚିତ ନ ହେଲେ ଲାଞ୍ଚ ଦେବନାହିଁ। ପିଏସ୍ କଥାରେ କେହି ଲାଞ୍ଚ ଦେବେନାହିଁ। କମିସନ୍ର ଅଧ୍ୟକ୍ଷ କିମ୍ବା ସଦସ୍ୟଙ୍କ ଠାରୁ ପ୍ରତିଶ୍ରୁତି ମିଳିଲା ପରେ ହିଁ ଜଣେ ଲାଞ୍ଚ ଦେବ। ଏଥିରୁ ଜଣାପଡ଼ୁଛି ସଂପୃକ୍ତ ପିଏସ୍ କେବଳ ଅଧ୍ୟକ୍ଷ/ସଦସ୍ୟ ଏବଂ ଲାଞ୍ଚଦାତାଙ୍କ ମଧ୍ୟରେ ଏକ ମାଧ୍ୟମ ହୋଇ କାମ କରୁଥିଲେ। ପୁଣି ଏହି ପିଏସ୍ ଜଣଙ୍କ କେମିତି ୨୩ ବର୍ଷ ହେଲା ଗୋଟିଏ ଜାଗାରେ ରହିଥିଲେ? ଏହି ତଦନ୍ତ ପ୍ରକ୍ରିୟାରେ କାହିଁକି ଅଧ୍ୟକ୍ଷ ଓ ସଦସ୍ୟଙ୍କ ଘର ଯାଞ୍ଚ୍ କରାଯାଇ ନାହିଁ? ଅଭିଯୁକ୍ତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତରବରିଆ ଭାବେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାର ଉଦ୍ୟମ କରୁଛନ୍ତି ବାହାରକୁ କୌଣସି କଥା ନ ଆସୁ। କମିସନ୍ର ଅଧ୍ୟକ୍ଷ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳ। ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ସାଧାରଣରେ ଧାରଣା ରହିଛି। କିନ୍ତୁ ତାଙ୍କୁ କମିସନ୍ର ଅଧ୍ୟକ୍ଷ କରାଯାଇଛି। ପୂର୍ବରୁ ଏହି ପଦବିରେ ପୂର୍ବତନ ଡିଜି ଗୋପାଳ ନନ୍ଦ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ପଟ୍ଟନାୟକ ପ୍ରମୁଖ ନିଯୁକ୍ତି ପାଇଥିଲେ। ସେମାନଙ୍କ ସ୍ବଚ୍ଛତା ପ୍ରତି କାହାର ସାମାନ୍ୟ ସନ୍ଦେହ ନାହିଁ। ତେଣୁ ଷ୍ଟାଫ୍ ସିଲେକ୍ସନ୍ କମିସନ ଦୁର୍ନୀତିର ତଦନ୍ତ ପାଇଁ ସରକାର ଏସ୍ଆଇଟି ଗଠନ କରନ୍ତୁ। ଏଥିରେ ପୁଲିସ୍ ଓ ଭିଜିଲାନ୍ସର ଦକ୍ଷ ଅଧିକାରୀମାନଙ୍କୁ ନିଅନ୍ତୁ। ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ମୁଖ୍ୟମନ୍ତ୍ରୀ ଗୃହର ଭାବାବେଗକୁ ବୁଝି ଏ ଦିଗରେ ପଦକ୍ଷେପ ନିଅନ୍ତୁ।
କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ସରକାର ହଜାର ହଜାର ଯୁବକ, ଯୁବତୀଙ୍କ ବିଶ୍ବାସ ତୁଟାଇ ଦେଇଛନ୍ତି। ଜଣେ ପିଏସ୍ଙ୍କୁ କିପରି ଏମିତି ଦୁର୍ନୀତି କରିବାକୁ ସୁଯୋଗ ମିଳିଲା? ତାଙ୍କ ଘର ରେଡ୍ ବେଳେ ୧୧୪ଟି ଆଡ୍ମିଟ୍ କାର୍ଡ ଜବତ ହୋଇଥିଲା। ଏଥିରୁ ଅଧ୍ୟକ୍ଷ ଓ ସଦସ୍ୟଙ୍କ ଉପରେ ସନ୍ଦେହ ଆସିବା ସ୍ବାଭାବିକ। ତେଣୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ କାହିଁକି? ଏ ସରକାରରେ ଯେଉଁମାନେ ଦୁର୍ନୀତି କରୁଛନ୍ତି ଓ ସରକାରଙ୍କ କଥା ମାନୁଛନ୍ତି, ସେମାନଙ୍କୁ ହିଁ ଅବସର ପରେ ଥଇଥାନ କରାଯାଉଛି। ବେଶି ଦୁର୍ନୀତି କରୁଥିବା ଲୋକଙ୍କୁ ବାଛି ଭଲ ଜାଗାରେ ଥଇଥାନ କରାଯାଉଛି। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଲେ, ଷ୍ଟାଫ୍ ସିଲେକ୍ସନ୍ କମିସନ୍ରେ ଦୁର୍ନୀତି ଯୋଗୁ ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଦେଇ ଅଯୋଗ୍ୟମାନେ ଚାକିରି ପାଇଛନ୍ତି। କମିସନ୍ ଅଧ୍ୟକ୍ଷ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳ ଥିଲା ବେଳେ ସେ କ’ଣ କ’ଣ କରୁଥିଲେ ତାହା ମୁଁ ଜାଣିଛି। କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ କହିଥିଲେ, ଗୋଟିଏ ଗୋଟିଏ ନିଯୁକ୍ତି ପରୀକ୍ଷାରେ ଫଳ ବାହାରିବାକୁ ୪/୫ ବର୍ଷ ଲାଗୁଛି। ଫଳରେ ଆଶାୟୀ ପିଲାଙ୍କ ବୟସ ଅତିକ୍ରାନ୍ତ ହୋଇଯାଉଛି। ଏମିତି ସ୍ଥିତିରେ ଯଦି ପିଲାଙ୍କୁ ଚାକିରି ଦେବାକୁ ଲାଞ୍ଚ ମଗାଯାଏ, ତେବେ ତାହା ଅତ୍ୟନ୍ତ ଲଜ୍ଜାଜନକ। ପ୍ରଶାସନରେ ଦୁର୍ନୀତି ମାଡ଼ିଗଲାଣି। କର୍ମଚାରୀ, ଅଧିକାରୀ ଲାଞ୍ଚ ନ ନେଲେ ବିଧାୟକ ପାଣ୍ଠି ବିଲ୍ ବି ପାସ୍ କରାଉ ନାହାନ୍ତି।
/sambad/media/post_attachments/wp-content/uploads/2021/06/tara.jpg)
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅଧୀନରେ ଷ୍ଟାଫ୍ ସିଲେକ୍ସନ୍ କମିସନ୍। ସେ ନିଜେ ଆଲୋଚନା ବେଳେ ଗୃହକୁ ଆସିଥିଲେ ଭଲ ହୋଇଥା’ନ୍ତା। ମୁଖ୍ୟମନ୍ତ୍ରୀ ଜିଲ୍ଲା ବୁଲୁଛନ୍ତି। କଂଗ୍ରେସ କର୍ମୀଙ୍କୁ ବିଜେଡିରେ ମିଶାଉଛନ୍ତି। କିନ୍ତୁ ପବିତ୍ର ଗୃହକୁ ଆସିଲେ କରୋନା ହୋଇଯାଉଛି। ଅଫିସର୍ମାନଙ୍କ ସମ୍ପର୍କୀୟମାନେ ସରକାରରେ କେତେ ନିଯୁକ୍ତି ପାଇଛନ୍ତି, ତାହାର ତାଲିକା ମୋ ପାଖରେ ଅଛି। ତଦନ୍ତ କଲେ ଏହି ତାଲିକା ମୁଁ ଦେବି।
ଶାସକ ଦଳ ସଭ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ କହିଲେ, ଏ ସରକାରରେ ସବୁଥିରେ ସ୍ବଚ୍ଛତା ଅବଲମ୍ବନ କରାଯାଉଛି। ପ୍ରିୟାପ୍ରୀତି ତୋଷଣ ଆଦୌ ହେଉ ନାହିଁ। ଷ୍ଟାଫ୍ ସିଲେକ୍ସନ୍ କମିସନ୍ ଏକ ସ୍ବାଧୀନ ସ୍ବୟଂଶାସିତ ସଂସ୍ଥା। ପିଏସ୍ କରିଥିବା ଦୁର୍ନୀତି ଉପରେ ତଦନ୍ତ ଚାଲିଛି। ସରକାର କାହାକୁ ଘଣ୍ଟ ଘୋଡ଼ାଇବାର ପ୍ରଶ୍ନ ଉଠୁନି। ଶାସକ ଦଳ ସଭ୍ୟ ଅଶ୍ବିନୀ ପାତ୍ର, ଲତିକା ପ୍ରଧାନ ଓ ସତ୍ୟନାରାୟଣ ପ୍ରଧାନ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିବା ସହ ଦୁର୍ନୀତି କ୍ଷେତ୍ରରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି କହିଥିଲେ।
/sambad/media/post_attachments/wp-content/uploads/2021/09/Arukha.jpg)
ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ଜଣେ ବ୍ୟକ୍ତିଗତ ଭାବେ ଦୁର୍ନୀତି କରିଥିବାର ଅଭିଯୋଗ ଆସିଛି ଓ ତାହାର ତଦନ୍ତ ଚାଲିଛି। ଅଧ୍ୟକ୍ଷ, ସଦସ୍ୟଙ୍କ ନାମରେ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ନିଶ୍ଚିତ ପଦକ୍ଷେପ ନିଆଯିବ। ସରକାର ଦୁର୍ନୀତିକୁ କେବେ ପ୍ରଶ୍ରୟ ଦିଅନ୍ତିନାହିଁ। ଯାହା ବିରୋଧରେ ଅଭିଯୋଗ ଆସୁଛି, ବିନା ପକ୍ଷପାତିତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ ଓ ସମୟାନୁବର୍ତ୍ତୀ କରିବା ନିମନ୍ତେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପ୍ରଯୁକ୍ତି ବିଦ୍ୟାର ସହାୟତା ନେଉଛନ୍ତି। ପ୍ରାର୍ଥୀମାନଙ୍କ ଠାରୁ ଅନ୍ଲାଇନ୍ ଦରଖାସ୍ତ ଗ୍ରହଣ କରିବା ଠାରୁ ଆରମ୍ଭ କରି ଫଳାଫଳ ପ୍ରକାଶ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସ୍ବୟଂକ୍ରିୟ ଚୟନ ପ୍ରକ୍ରିୟା ବ୍ୟବସ୍ଥା ମାଧ୍ୟମରେ କରାଯାଉଛି। ନିଯୁକ୍ତି ପ୍ରକ୍ରିୟାରେ ସର୍ବନିମ୍ନ ମାନବ ସମ୍ବଳ ବ୍ୟବହାର କରାଯାଉଥିବାରୁ ଏଥିରେ କର୍ମଚାରୀଙ୍କ ସଂପୃକ୍ତି ଥାଇ କୌଣସି ଦୁର୍ନୀତି ହେବାର ସମ୍ଭାବନା ନାହିଁ। କମିସନ୍ରେ ସାଧାରଣତଃ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀମାନେ ସମସ୍ତ ଗୋପନୀୟ ପରୀକ୍ଷା କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଅଭିଯୁକ୍ତ ହୋଇଥିବା କମିସନ୍ଙ୍କ ସଦସ୍ୟଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବଙ୍କ ପରୀକ୍ଷା କାର୍ଯ୍ୟରେ କୌଣସି ଭୂମିକା ନାହିଁ କିମ୍ବା କମିସନ୍ ତାଙ୍କୁ କୌଣସି ପରୀକ୍ଷା କାର୍ଯ୍ୟରେ ନିୟୋଜିତ କରିନାହାନ୍ତି। ସଂପୃକ୍ତ ପୂର୍ବତନ ପିଏସ୍ଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ କରାଯାଇଛି ଓ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ ପୂର୍ବକ ରାଜ୍ୟ ସରକାର ଅସାଧୁ ଓ ଅପାରଗ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଉଛନ୍ତି।