୧୨ ହଜାର ୮୫୧ ପ୍ରସ୍ତାବ ଯାଞ୍ଚ: ନଭେମ୍ବରରେ ରିପୋର୍ଟ

ଶ୍ରୀମନ୍ଦିର ସଂସ୍କାର କମିସନ

କଟକ : ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ତଦନ୍ତ କମିସନଙ୍କ କଳାବିକାଶ କେନ୍ଦ୍ର ନିକଟସ୍ଥ କାର୍ଯ୍ୟାଳୟରେ ସତ୍ୟପାଠ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ଵିତ କରାଯାଇଛି। ୨୦୧୭, ଏପ୍ରିଲ ୨୦ ତାରିଖରେ କମିସନ୍‌ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ରିପୋର୍ଟ ଆସନ୍ତା ନଭେମ୍ବର ମାସରେ ଦାଖଲ ହେବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ରିପୋର୍ଟ ପ୍ରସ୍ତୁତ ପାଇଁ ଜନସାଧାରଣଙ୍କ ପକ୍ଷରୁ କମିସନଙ୍କ ନିକଟରେ ଦାଖଲ ସତ୍ୟପାଠ, ମତାମତ ଓ ଇ-ମେଲ ଗୁଡିକ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି।

ପ୍ରଥମ ରିପୋର୍ଟ ଦାଖଲ ପୂର୍ବରୁ କେତେକ ଯାଞ୍ଚ ସରିଥିବା ବେଳେ ଅବଶିଷ୍ଟ ପ୍ରସ୍ତାବ ଏବେ କମିସନଙ୍କ ଦ୍ୱାରା ନିଯୁକ୍ତ ଆସେସର(ବିଶେଷଜ୍ଞ) ଯାଞ୍ଚ କରୁଛନ୍ତି। କମିସନଙ୍କ ନିକଟରେ ମୋଟ ୧୨୮୫୧ଟି ପ୍ରସ୍ତାବ ଦାଖଲ ହୋଇଥିଲା। ୧୧ ହଜାର ୧୧୬ଟି ସତ୍ୟପାଠ, ୧୬୦୨ଟି ପ୍ରସ୍ତାବ, ଇ-ମେଲ ମାଧ୍ୟମରେ ମିଳିଥିବା ୧୩୩ଟି ପରାମର୍ଶର ସ୍କ୍ରୁଟିନି ପ୍ରକ୍ରିୟା ଚାଲିଛି। ପ୍ରକାଶିତ ୬ଟି ଟର୍ମ ଅଫ୍‌ ରେଫରେନ୍ସ ଆଧାରରେ ହସ୍ତଗତ ପ୍ରସ୍ତାବ ଗୁଡିକର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ କେଉଁ ପ୍ରସଂଗରେ ପରାମର୍ଶ ଦିଆଯାଇଛି ତାହା ଅନୁଧ୍ୟାନ କରାଯାଉଛି। ପ୍ରଦାନ କରାଯାଇଥିବା ମତାମତ/ପରାମର୍ଶର ପ୍ରସଂଗ ତଦନ୍ତ ପରିସରଭୁକ୍ତ କି ନାହିଁ ତାହା ନିର୍ଦ୍ଦିଷ୍ଟ ଭାବେ ଯାଞ୍ଚ କରାଯାଉଛି। ପ୍ରଦାନ କରାଯିବାକୁ ଥିବା ଦ୍ୱିତୀୟ ରିପୋର୍ଟରେ ଜନସାଧାରଣଙ୍କ ମତାମତ, ବିଭିନ୍ନ ବିଭାଗରୁ ମିଳିଥିବା ରିପୋର୍ଟ, କମିସନଙ୍କ ଦ୍ୱାରା ନିଯୁକ୍ତ କମିଟିର ରିପୋର୍ଟକୁ ଆଧାର କରି କମିସନ୍‌ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିବେ।

ଅନ୍ୟ ପକ୍ଷରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ରୋଷଘର ପରିସରରେ ରହିଥିବା ବ୍ୟବସ୍ଥା ଅନୁଧ୍ୟାନ ପାଇଁ କମିସନ୍‌ ଗଠନ କରିଥିବା ୫ ଜଣିଆ କମିଟି ସରଜମିନ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରି ସାରିଛି। କମିସନ ମଧ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନିକଟରୁ ମିଳିଥିବା ପ୍ରସ୍ତାବ/ପରାମର୍ଶକୁ ତର୍ଜମା କରୁଛନ୍ତି। ମତାମତ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ରହିଥିବା ବେଳେ ସେମାନଙ୍କ ସ୍ୱତନ୍ତ୍ର ସଂସ୍କାରମୂଳକ ପ୍ରସ୍ତାବ ଦେଇଛନ୍ତି। ଏଥି ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ପୁଲିସ, ବନ ବିଭାଗ, ଏଏସ୍‌ଆଇ ପକ୍ଷରୁ ବିଭିନ୍ନ ସମୟରେ କମିସନଙ୍କ ନିକଟରେ ଦାଖଲ ରିପୋର୍ଟ ଗୁଡିକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। କମିସନଙ୍କ ନିକଟରେ ପୁରୀ ପୁଲିସ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରଥଯାତ୍ରା ସମୟର ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ ଦାଖଲ କରି ସାରିଛି।

ପୁଲିସ ପକ୍ଷରୁ ଦାଖଲ ସିସି ଟିଭି ଫୁଟେଜରେ ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସିସି ଟିଭି ରେକର୍ଡିଂ ରହିଛି। ଶ୍ରୀମନ୍ଦିର ପ୍ରଶାସନ ଦାଖଲ କରିଥିବା ଫୁଟେଜ ମଧ୍ୟରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ଓ ରଥଯାତ୍ରା ସମୟର ଅନ୍ୟ କେତେକ ଉତ୍ସବର ଫଟୋ ରହିଛି। ଏହି ସବୁ ରେକର୍ଡିଂକୁ କମିସନଙ୍କ ଆସେସର ଯାଞ୍ଚ କରୁଥିବା ସୂଚନା ମିଳିଛି। କମିସନ ଚଳିତ ବର୍ଷ ରଥଯାତ୍ରାର ସମସ୍ତ ଘଟଣାକୁ ଅନୁଧ୍ୟାନ କରିବା ପାଇଁ ସିସି ଟିଭି ଫୁଟେଜ୍‌ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘୋଷଯାତ୍ରା ସମୟରେ କେଉଁ ଧରଣର ବିଭ୍ରାଟ, ବିଶୃଙ୍ଖଳା ହେଉଛି ଓ କେଉଁମାନେ ଏଥିରେ ଜଡିତ ତାହା ଅନୁଧ୍ୟାନ କରି କମିସନ୍‌ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ପରାମର୍ଶ ପ୍ରଦାନ କରିବେ। ଏଥି ସହିତ ପୁରୀକୁ ଆସୁଥିବା ଯାତ୍ରୀଙ୍କ ରହଣୀ, ଦର୍ଶନ ବ୍ୟବସ୍ଥା, ଶ୍ରୀଜୀଉଙ୍କ ରୀତିନୀତି, ପୁରୀ ସହରର ଆଇନ ଶୃଙ୍ଖଳା ପରିସ୍ଥିତି, ରୋଷଘର ପରିସ୍ଥତିରେ ଉନ୍ନତି ପ୍ରସଂଗରେ କମିସନ୍‌ ପରବର୍ତ୍ତୀ ରିପୋର୍ଟରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର