ଗୁମୁଡ଼ୁମାହା ଗୁଳିକାଣ୍ଡ ଘଟଣା : ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ରିପୋର୍ଟ ଦାଖଲ

ଫୁଲବାଣୀ : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ କମିସନ ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ ମହମ୍ମଦ ଅଜ୍‌ମଲ ଆଜି ତାଙ୍କ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି।

୨୦୧୬ ଜୁଲାଇ ୮ ତାରିଖ ରାତି ସାଢେ ୮ଟାରେ ଘଟିଥିଲା ଲୋମହର୍ଷଣ ଗୁମୁଡୁମାହା ଗୁଳିକାଣ୍ଡ। ବାଲିଗୁଡ଼ା ଥାନା ଅଧୀନ ଗୁମୁଡୁମାହାର ୧୦-୧୨ ଜଣ ଲୋକ ଅଟୋରେ ମନରେଗା କାମ ପାରିଶ୍ରମିକ ଅର୍ଥ ନେବାକୁ ବାଲିଗୁଡ଼ାର ଏକ ବ୍ୟାଙ୍କକୁ ଆସି ସନ୍ଧ୍ୟାରେ ସମସ୍ତେ ଏକ ଅଟୋରେ ଘରକୁ ଫେରୁଥିଲେ। ସେମାନଙ୍କ ସହ ଆଉ କିଛି ଲୋକ ବି ସେହି ଅଟୋରେ ଥିଲେ। ପୁଲିସର ଏକ ପାଖିଆ ଗୁଳିମାଡ଼ରେ ଏକ ଦେଢ ବର୍ଷର ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମାଓବାଦୀ ଚଳପ୍ରଚଳ କରୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଛି ବୋଲି ପୁଲିସ ସେ ସମୟରେ ସଫେଇ ଦେଇଥିଲେ ବି ଏହି ଘଟଣା ରାଜ୍ୟ ଓ ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏହି ଘଟଣାରେ ରାଜ୍ୟ ସରକାର ପ୍ରଥମେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆରମ୍ଭରୁ ଏସଆଇଟି ତଦନ୍ତ ଅଟକି ଥିବା ବେଳେ ବିଚାର ବିଭାଗୀୟ ତଦନ୍ତକୁ ତ୍ୱରିତ କରା ଯାଇଥିଲା। ୨୦୧୭ ଫେବ୍ରୁଆରିରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇ ସେପ୍ଟେମ୍ବରରେ ଶେଷ ହୋଇଥିଲା। ସମୁଦାୟ ୧୦ଟି ପର୍ଯ୍ୟାୟରେ ୨୦ ଜଣ ସରକାରୀ ଓ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରା ଯାଇଥିଲା। ଗତ ଜାନୁଆରି ୨୧ ତାରିଖ ସୁଦ୍ଧା କମିସନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବାର ଥିଲା। ହେଲେ ଆଉ କିଛି ପ୍ରକ୍ରିୟା ବାକି ରହି ଯାଇଥିବାରୁ ରିପୋର୍ଟ ଦେବାକୁ କମିସନ ଆଉ ୨ ମାସ ସମୟ ନେଇଥିଲେ। ପୂର୍ବରୁ ୨୦୦୮ କନ୍ଧମାଳ ଦଙ୍ଗାର କମିସନ ତଦନ୍ତ ରିପୋର୍ଟ ଅଦ୍ୟାବଧି ସାର୍ବଜନୀନ ହୋଇ ନଥିବା ବେଳେ ଏବେ ଗୁମୁୁଡୁମାହା କମିସନ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର