ପୁରୀ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ଅବକାରୀ କମିସନର୍‌

କଟକ/ପୁରୀ : ପୁରୀ ଜିଲ୍ଲା ଅବକାରୀ ମୋବାଇଲ୍ ୟୁନିଟ୍‌ର ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା ଅବକାରୀ କମିସନରଙ୍କୁ ଲେଖି ଥିବା ଖୋଲା ଚିଠି ହଟଚମଟ ସୃଷ୍ଟି କରିଛି। ପୁରୀ ଥାନା ପୁଲିସ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଥିବା ଯେଉଁ ଅଭିଯୋଗ ଆସିଛି, ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଅବକାରୀ କମିସନରଙ୍କ କାର୍ଯ୍ୟାଳୟରୁ ପୁରୀ ଜିଲ୍ଲାପାଳଙ୍କୁ ଏହି ଘଟଣାର ତଦନ୍ତ ରିପୋର୍ଟ ମଗାଯାଇଛି। ଶ୍ରୀ ପଣ୍ଡା ଯେଉଁ ଟଙ୍କା କାରବାର ଅଭିଯୋଗ ଆଣିଛନ୍ତି, ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କୁହାଯାଇଛି। ପୁରୀ ଜିଲ୍ଲା ପୁଲିସ ବି ସମାନ୍ତରାଳ ଭାବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସଞ୍ଜୟ ପଣ୍ଡା ଅବକାରୀ କମିସନର ଆଶିଷ କୁମାର ସିଂହଙ୍କୁ ଲେଖିଥିବା ଚିଠିକୁ ନେଇ ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗର ଅଧିକାରୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାପାଳ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ରିପୋର୍ଟ ଅବକାରୀ କମିସନରଙ୍କ କାର୍ଯ୍ୟାଳୟରେ ଦାଖଲ କଲେ ଦୋଷୀ ଅଫିସରଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଇତିମଧ୍ୟରେ ଇନସ୍ପେକ୍ଟର ପଣ୍ଡା ଅଭିଯୋଗ କରିଛନ୍ତି ଯେ ସଚ୍ଚୋଟପଣିଆ ‌ଯୋଗୁଁ ତାଙ୍କୁ ବାରମ୍ବାର ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଉଛି। ୨୦୨୦ ଅକ୍ଟୋବରରେ ଏସଆଇରୁ ଇନସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ସମୟରେ ବିଭାଗରେ କିଛି ଗୋଷ୍ଠୀ ସିସିଆର୍ (ବୃତ୍ତିଗତ ଚରିତ୍ର ସଂହିତା) ଫାଇଲକୁ ହଜାଇ ଦେଇଥିଲେ। ଉଦ୍ଦେଶ୍ୟମୂଳକ ଭାବେ ବିଭାଗର କିଛି ଅଧିକାରୀ ତାଙ୍କ ପଛରେ ପଡ଼ିଯାଇଛନ୍ତି। ପୁରୀ ଅବକାରୀ ମୋବାଇଲ୍ ୟୁନିଟରେ ଏବେ ତାଙ୍କୁ ମିଶାଇ ଦୁଇ ଅଫିସର ଓ ଜଣେ କନଷ୍ଟେବଳ ଅଛନ୍ତି। ମହିଳା କନଷ୍ଟେବଳ ଏପ୍ରିଲ ୧୮ ତାରିଖରୁ ମାତୃତ୍ବ ପାଇଁ ଛୁଟିରେ ଥିବା ବେଳେ ଜଣେ ମହିଳା ଏସଆଇ ଅନ୍ୟ ଏକ ୟୁନିଟ ଦାୟିତ୍ବରେ ଅଛନ୍ତି। ଚଢ଼ଉ କ୍ଷେତ୍ରରେ ମହିଳା କର୍ମଚାରୀଙ୍କ ଆବଶ୍ୟକତା ରହିଛି। କିନ୍ତୁ ତାଙ୍କୁ କୌଣସି ପ୍ରକାର ସହଯୋଗ ମିଳୁନାହିଁ।

ପୁରୀ ଜିଲ୍ଲାର ସବୁ ଥାନା ଅଞ୍ଚଳରେ ଜିଲ୍ଲା ପୁଲିସ ଚୋରା ନିଶା ବେପାରୀଙ୍କଠାରୁ ବଟି ଆଦାୟ କରୁଛି। ନିଶା ବେପାରୀଙ୍କ ସୂଚନାଦାତା ସାଜିଛି। ଯେଉଁଥିପାଇଁ ଆମେ ଅବକାରୀ ଧରପଗଡ଼ ବେଳେ ଅନେକ ସମୟରେ ବିଫଳ ହେଉଛୁ। ଗତ ୧ ତାରିଖରେ ସମୂଦ୍ରକୂଳ ଥାନା ଅନ୍ତର୍ଗତ ବାଲି ନୋଳିଆ ସାହି, ମେରାଇନ୍ ଥାନା ଅନ୍ତର୍ଗତ ଭୋଇ ସାହିରେ ଦୁଇଟି ଅବକାରୀ ଚଢ଼ଉ ସମୟରେ ନିଶା ମାଫିଆମାନେ ପୁରୀରେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା ଜଣାପଡ଼ିଥିଲା।

ଭୁବନେଶ୍ବରରେ ଗଣମାଧ୍ୟମକୁ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଛନ୍ତି ଯେ ବ୍ୟବସ୍ଥାରେ ସରକାରଙ୍କର ଯାହା ଆଭିମୁଖ୍ୟ ରହିଛି, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର