ମାସ୍କ ନପିନ୍ଧିଲେ ଧରାପଡ଼ିବେ ରାଜଧାନୀବାସୀ, ଜଗିବ ଡ୍ରୋନ

ମୁତୟନ ହେବେ ଟିମ, କୋଭିଡ-୧୯ ନିୟମ ଉଲଂଘନକାରୀଙ୍କ ଠାରୁ ଆଦାୟ କରିବେ ଜରିମାନା

ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତା ନିୟମ ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କିଛି ଲୋକ ଏହାକୁ ପାଳନ କରୁ ନାହାନ୍ତି । ତେଣୁ କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଡ୍ରୋନ ଖଞ୍ଜିବାକୁ ନିଷ୍ପତ୍ତି ନେଇଛି । ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି ।

ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଲୋକଙ୍କୁ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ହେବ । ଏଥି ପାଇଁ ଟିମ ମୁତୟନ ହେବେ । ଏମାନେ ବଜାର ଓ ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ନଜର ରଖିବେ । କୋଭିଡ-୧୯ ନିୟମ ଉଲଂଘନ କରୁଥିବା ଅର୍ଥାତ ମାସ୍କ ପିନ୍ଧୁ ନଥିବା ଲୋକଙ୍କଠାରୁ ଏହି ଟିମ ଜରିମାନା ଆଦାୟ କରିବ ।

ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ସ୍ୱତନ୍ତ୍ର ନିୟମ ଅନୁସାରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକମାନଙ୍କୁ କୁହାଯାଇଛି ଯେ, ସେମାନେ ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ ମିଟର ଅର୍ଥାତ ୬ଫୁଟ ସାମାଜିକ ଦୂରତା ବ୍ୟବଧାନ ରଖନ୍ତୁ । ନିୟମ ଉଲ୍ଲଂଘନ କଲେ ସଂପୃକ୍ତ ଦୋକାନୀ ଅଥବା ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ତେଣୁ ଗାଇଡଲାଇନକୁ ଉଭୟ ଦୋକାନୀ ଓ ଗ୍ରାହକ ପାଳନ କରିବାକୁ ବାଧ୍ୟ ହେବେ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ମାସରେ ଭୁବନେଶ୍ୱର ଓ କଟରେ ୧୦ ହଜାର ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏମାନେ ଲକଡାଉନ ନିୟମ ଉଲଂଘନ କରିଥିଲେ ।

ସମ୍ବନ୍ଧିତ ଖବର