ସୋନି ନେଟ୍‌ଓ୍ଵର୍କ ଚୋରି ମାମଲା : ଓର୍‌ଟେଲ ଅଫିସ୍‌ରେ ପୁଲିସ ଚଢ଼ଉ

ଚନ୍ଦ୍ରଶେଖରପୁର : ସୋନି ନେଟଓ୍ଵର୍କ ଅଭିଯୋଗକୁ ଭିତ୍ତିକରି ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ପକ୍ଷରୁ ଓର୍‌ଟେଲ୍‌ କମ୍ୟୁନିକେସନ କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଗତ ମାର୍ଚ୍ଚରୁ ଚୁକ୍ତି ଶେଷ ହୋଇଥିଲେ ମଧ୍ୟ ଓର୍‌ଟେଲ୍‌ର ବିଭିନ୍ନ ପ୍ରସାରଣ ଶାଖା ଯଥା ଓର୍‌ଟେଲ୍‌ କେବୁଲ୍‌, ଓର୍‌ଟେଲ୍‌ ବ୍ରଡ଼ବ୍ୟାଣ୍ଡ, ଓର୍‌ଟେଲ୍‌ ଡିଜିଟାଲ୍‌ ଟିଭିରେ ସୋନିର ବିଭିନ୍ନ ଚ୍ୟାନେଲ୍‌ ବେଆଇନ୍‌ ଭାବରେ ପ୍ରସାରିତ ହେଉଥିବା ନେଇ ସୋନି ପକ୍ଷରୁ ଗୁରୁବାର ରାତିରେ ଚନ୍ଦ୍ରଶେଖରପୁର ଥାନାରେ ଓର୍‌ଟେଲ୍‌ ବିରୋଧରେ ଅଭିଯୋଗ କରାଯାଇଥିଲା। ଆଜି ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଦୀପକ ମିଶ୍ର, ଏସିପି ରବୀନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ କମିସନରେଟ୍‌ ପୁଲିସ୍‌ର ସାଇବର୍‌ ସେଲ୍‌ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ କାଳରେ ପୁଲିସ୍‌ ପକ୍ଷରୁ ସୋନି ଚ୍ୟାନେଲ୍‌ ସହିତ ଚୁକ୍ତିନାମା ସମ୍ବନ୍ଧିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ୧୯ଟି ଡିକୋଡ଼ ବକ୍ସ ଜବତ କରିଥିବା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ଚଢ଼ଉ କରାଯାଇଥିବା ଓର୍‌ଟେଲ୍‌ ପକ୍ଷରୁ କୁହାଯାଇଛି। ଏହା ଏକ ବୈଷୟିକ ମାମଲା ହୋଇଥିବାରୁ ତଦନ୍ତ ସମୟ ନେବ ବୋଲି ଡିସିପି ସୂଚନା ଦେଇଛନ୍ତି। ବିନା କୌଣସି ଦେୟରେ ଓର୍‌ଟେଲ୍‌ ସୋନିର ବିଭିନ୍ନ ଚ୍ୟାନେଲ୍‌କୁ ସାଟେଲାଇଟ୍‌ ଚୋରି କରି ପ୍ରସାରଣ କରୁଥିବା ସୋନି ପକ୍ଷରୁ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର