ମହିଳା ପୁଲିସଙ୍କ ଦେହରେ ଗୋଡ ବାଜିବାରୁ ୨ ଅସହାୟ ଯୁବତୀଙ୍କ ବିରୋଧରେ ପୁଲିସ ଲଗାଇଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ବର: ଗୋଡ଼ ବାଜିବାରୁ ଲାଗିଲା ଦଫା ୩୦୭ । ଏକଥା ଶୁଣିବା ବେଳକୁ ହୁଏତ ଆପଣଙ୍କୁ ଅଡୁଆ ଲାଗୁଥାଇପାରେ କାରଣ ହତ୍ୟା ଉଦ୍ୟମ ବେଳେ ଲାଗେ ଦଫା ୩୦୭ । ଗଣତନ୍ତ୍ର ଦିବସ ଦିନ ପରେଡ ପୂର୍ବରୁ ଦୁଇ ଭଉଣୀ ପ୍ରତିବାଦ କରୁଥିଲେ । ଆଉ ସେମାନଙ୍କୁ ପୁଲିସ ଉଠାଇ ନେବାକୁ ଚେଷ୍ଟା କରିଥିଲା । ଏହି ସମୟରେ କୁଆଡେ ଦୁଇ ଯୁବତୀ ହତ୍ୟା ଉଦ୍ୟମ କରିଥିଲେ ବୋଲି ପୁଲିସ ସେମାନଙ୍କ ବିରୋଧରେ ଲଗାଇଛି ୩୦୭-ଦଫା, ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।

ଜାନୁଆରୀ ୨୬ ପରେଡ ପୂର୍ବରୁ ରାସ୍ତା ଉପରେ  ପ୍ରତିବାଦ କରୁଥିବା ଦୁଇ ଯୁବତୀଙ୍କୁ ଘେରି ରହିଥିଲା ପୁଲିସ । ସେମାନେ ତଳେ ଶୋଇ ରହିଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଜଣେ ଯୁବତୀ ଛାଟିପିଟି ହେବାରୁ ତାଙ୍କର ଗୋଡ ଜଣେ ମହିଳା ପୋଲିସ ଅଧିକାରୀଙ୍କ ଗୋଡରେ ବାଜି ଯାଇଥିଲା  । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ଏହି ଦୁଇ ଯୁବତୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ-ଦଫା ୩୦୭ । ଏବେ ପ୍ରଶ୍ନ ଉଠୁଛି, ଏହି ଦୁଇ ଯୁବତୀଙ୍କ ଅପରାଧ କ’ଣ ଏତେ ସଙ୍ଗୀନ ଥିଲା ଯେ ସେମାନଙ୍କ ବିରୋଧରେ ଦଫା ୩୦୭ ଲାଗିବା ଜରୁରୀ ହୋଇପଡିଲା ।

ଦଫା -୩୦୭  ସେତେବେଳେ ଲାଗେ ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରେ ଏବଂ ସେଥିରେ ବିଫଳ ହୁଏ । ସରଳ ଭାଷାରେ କହିବାକୁ ଗଲେ ଯଦି ଜଣଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇନାହିଁ ତେବେ ଦଫା-୩୦୭ ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତେବେ ଦୁଇ ଯୁବତୀ କୌଣସି ପୁଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିନାହାନ୍ତି । ତେଣୁ ଦଫା ୩୦୭ କେମିତି ଲାଗିଲା ଏବେ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

କେବଳ ଦଫା ୩୦୭ ନୁହେଁ, ଏହାକୁ ମିଶାଇ ଲାଗିଛି ୯ଟି ଦଫା । ଏଥିରେ ଓଡିଶା ସହରାଂଚଳ ପୁଲିସ ଆଇନର ଦଫା ୯୬ ମଧ୍ୟ ଲାଗିଛି । ପୁଲିସ ନିଜ ଆଡୁ ଏଫଆଇଆର ସମୟରେ କିପରି ଏହି ଦଫା ଲଗାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । କୋରାପୁଟର ଏହି ୨ ଭଉଣୀ ପାର୍ବତୀ ମାଝି ଓ ଦମୟନ୍ତୀ ମାଝି  ତାଙ୍କ ବାପା ବୃନ୍ଦାବନ ମାଝିଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଗାଁ ଲୋକେ ମାଡ ମାରିବା ସହ ଘରେ ରହିବାକୁ ଦେଇ ନଥିଲେ । ଆଉ ନ୍ୟାୟ ପାଇବା ପାଇଁ ପ୍ରାୟ ୫ବର୍ଷ ଧରି ଲୋୟର ପିଏମଜିରେ ଧାରଣା ଦେଇଆସୁଥିଲେ ଏହି ଦୁଇ ଯୁବତୀ ।

ସମ୍ବନ୍ଧିତ ଖବର