୩୦ ଜିଲ୍ଲାକୁ ଜଳଯୋଗାଣ ପାଇଁ ପ୍ରତିବଦ୍ଧତା ଜରୁରୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୩୦ ପ୍ରତିଶତ ବା ୧୩.୫ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ଯୋଗାଇବାରେ ଉଠା ଜଳସେଚନ ନିଗମର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଗତ ୫୦ବର୍ଷ ଧରି ରାଜ୍ୟର ଏକ ଅପରିହାର୍ଯ୍ୟ ସଂସ୍ଥା ଭାବେ ଏହା ରହି ଆସିଛି। ତେବେ କୃଷକମାନଙ୍କ ସମସ୍ୟାକୁ ବୁଝିବା ଓ ତାର ତୁରନ୍ତ ସମାଧାନ ‌ହୋଇପାରିଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକସେବା ଭବନର କନଭେନ୍‌ସନ୍‌ ‌ସେଣ୍ଟରରେ ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ୧୯୭୩ ମସିହା ଅକ୍ଟୋବର ୧ତାରିଖରେ ଓଡ଼ିଶା ଉଠା ଜଳସେଚନ ପ୍ରତିଷ୍ଠା ହୋଇଥିଲା। ରାଜ୍ୟର କୃଷକମାନଙ୍କୁ ଜଳ ଯୋଗାଇବାରେ ଏହି ସଂସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏକ ଖାଦ୍ୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ଏବେ ବଳକା ରାଜ୍ୟରେ ପରିଣତ ହୋଇପାରିଛି। କୃଷି କ୍ଷେତ୍ରରେ ରାଜ୍ୟ ସରକାର ଆଣିଥିବା ପ୍ରଗତିଶୀଳ ନୀତିର ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘସ୍ଥାୟୀ, ଫସଲର ବିବିଧକରଣ, ଉନ୍ନତ ଜଳ ଯୋଗାଣ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷର ପଦ୍ଧତିକୁ ପରିବର୍ତନ କରିପାରିଛି।

ରାଜ୍ୟ ଉଠା ଜଳସେଚନ ନିଗମର ୫୦ତମ ପ୍ରତିଷ୍ଠା ଦିବସ
ଆସନ୍ତା ୫ବର୍ଷରେ ପ୍ରତିଷ୍ଠା ହେବ ୧ଲକ୍ଷ ବୋରୱେଲ୍‌

ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। କୃଷକମାନେ ହେଉଛନ୍ତି ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାର ମେରୁଦଣ୍ଡ। ତେଣୁ ଉତ୍ପାଦନ ବୃଦ୍ଧି ସହିତ କୃଷକଙ୍କ ମାନଦଣ୍ଡର ବୃଦ୍ଧି ପାଇଁ ନିରବଚ୍ଛିନ୍ନ ଜଳ ଯୋଗାଣର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା‌ ପାଇଁ ନିଷ୍ପତ୍ତି ନେଇଛନ୍ତି। କମ୍ ସମୟ ଓ ଖର୍ଚ୍ଚରେ ରାଜ୍ୟର ୩୦ଟି ଜିଲ୍ଲାକୁ ଜଳଯୋଗଣ ବ୍ୟବସ୍ଥା ପାଇଁ କଠିକ ପରିଶ୍ରମ ଓ ପ୍ରତିବଦ୍ଧତା ଜରୁରୀ। ଜଳସେଚନ କ୍ଷେତ୍ରରେ ପରିବର୍ତନ ପାଇଁ ୫-ଟିକୁ ଅନୁପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ଜଳଯୋଗାଣ କ୍ଷେତ୍ରରେ ଉଠା ଜଳସେଚନ ନିଗମ ବେଶ୍ ସଫଳତା ହାସଲ କରିଥିବା କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ନିଗମ ବର୍ତମାନ ସୁଦ୍ଧା ୧ଲକ୍ଷ ବୋର ୱେଲ୍‌ ପ୍ରତିଷ୍ଠା କରିଥିବା ବେଳେ ଆସନ୍ତା ୫ବର୍ଷ ଭିତରେ ଆହୁରି ୧ଲକ୍ଷ ବୋରୱେଲ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରହିଛି। ରାଜ୍ୟର କୃଷକମାମନଙ୍କ ଆୟ ବୃଦ୍ଧି କରିବାରେ ଉଠା ଜଳସେଚନ ନିଗମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଠା ଜଳସେଚନ ନିଗମର ଇ-ଲିଫ୍‌ଟ ଓ ଇଆରପି ଅଟୋମେସନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହାସହ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରିଥିଲେ। ଶେଷରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ନିଗମର ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର